ବିଦ୍ୟାଳୟ ଅବ୍ୟବସ୍ଥାକୁ ନେଇ ଜନଅସନ୍ତୋଷ

 ତାଳଚେର: କୁନିକୁନି ଛାତ୍ରଛାତ୍ରୀଙ୍କ ସହ ଖେଳଖେଳୁଛି ଜଗନ୍ନାଥ ଡ଼ିଏଭି । ସାରା ଓଡ଼ିଶାରେ ହଇଜା ଚହଳ ପକାଇ ଆସୁଥିବାବେଳେ ତାଳଚେର ଡ଼ିଏଭି ପବ୍ଲିକ ସ୍କୁଲରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଜଗନ୍ନାଥ ଡ଼ିଏଭିରେ ଏଲ୍କେଜି ଠାରୁ ଆରମ୍ଭ କରି ଏକାଦଶ ପର୍ଯ୍ୟନ୍ତ ପ୍ରାୟ ୫ହଜାରରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରିଥାନ୍ତି । ମାତ୍ର ସେହି ଅନୁପାତରେ ପାନୀୟଜଳ ବ୍ୟବସ୍ଥା, ପରିଶ୍ରଗାର, ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଆବଶ୍ୟକ ଅନୁଯାୟୀ ଆଲୋକୀକରଣ ଓ ଫ୍ୟାନ ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ଘୋର ବ୍ୟାହତ ସୃଷ୍ଟି କରୁଛି । ବିଶେଷ କରି ଛାତ୍ରୀମାନଙ୍କ ପାଇଁ ଆବଶକୀୟ ପରିଶ୍ରା ଗୃହ ଓ ସେଥିରେ ଆବଶ୍ୟକ ଅନୁଯାୟୀ ଜଳ ଯୋଗାଣ ହେଉଥିବାରୁ ଛାତ୍ରୀମାନେ ୟୁରିନ୍ ଇନଫେକସନ୍ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଫଳରେ ଏଠାରେ ହଇଜା ବ୍ୟାପିବାର ଅଧିକ ଆଶଙ୍କା ଦେଖାଦେଇଛି । ଛାତ୍ରଛାତ୍ରୀଙ୍କ ଠାରୁ ପଢ଼ିବା ପାଇଁ ବିଦ୍ୟାଳୟ ପକ୍ଷରୁ ମାସିକ ୧୨ଶହ ଟଙ୍କାରୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ପାଇଁ ନିଆଯାଉଥିବାବେଳେ କର୍ତ୍ତୃପକ୍ଷ କାହିଁକି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ତାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୁନଶ୍ଚ ଏମସିଏଲ ପକ୍ଷରୁ କର୍ମଚାରୀଙ୍କ ପୁଅ, ଝିଅ ପାଇଁ ସ୍କୁଲ ବସ୍ର ସୁବିଧା ଥିବା ବେଳେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପାଇଁ ସେଭଳି ପଦକ୍ଷେପ ନିଆଯାଉନଥିବାରୁ ସେମାନେ ଗୋଟିଏ ଅଟୋରେ ବାଧ୍ୟ ହୋଇ ୧୨ରୁ ୧୫ ଠେଲାପେଲା ହୋଇ ଯାଉଛନ୍ତି ବୋଲି ଅଭିଯୋଗ ହେଉଛି । ଯଦି କୌଣସି ଅଘଟଣ ଘଟିଯାଏ ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ତେଣୁ ଏହାକୁ ବିଚରାକୁ ନିଆଯାଇ ସମ୍ପୃକ୍ତ କର୍ତ୍ତୃପକ୍ଷ ଏହାକୁ ଧ୍ୟାନ ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି । ଏ ସମ୍ପର୍କରେ ଡ଼ିଏଭି କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକି୍ରୟା ମିଳିପାରି ନାହିଁ ।