କୋହଳ ତଦାରଖ ବ୍ୟବସ୍ଥା : ଭୁଲ ଜମି ପଞ୍ଜିକରଣର ସୁଯୋଗ ନେଉଛନ୍ତି ଦଲାଲ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୬ଟି ମଣ୍ଡିରେ ଚଳିତ ବର୍ଷ ଖରିଫ ଧାନ ବିକ୍ରୀ ପଞ୍ଜିକରଣ କରାଯାଉଛି । ଦଲାଲମାନଙ୍କ ଦ୍ୱାରା ତ୍ରୁଟିପୂର୍ଣ୍ଣ ପଞ୍ଜିକରଣ ରୋକିବା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ମାତ୍ର ମଣ୍ଡିସ୍ତରରେ ତଦାରଖ ବ୍ୟବସ୍ଥାର ବିଫଳତା ଯୋଗୁଁ ଦଲାଲମାନେ ଅନାୟାସରେ ଭୁଲଜମିକୁ ନିଜ ଅଥବା ସହଯୋଗୀଙ୍କ ନାମରେ ପଞ୍ଜିକରଣ କରି ପାର ଉତାର ହେଉଥିବା ଜଣାଯାଇଛି । ସରକାର ମଠମନ୍ଦିର ନାମରେ ଥିବା ଚାଷଜମି କେବଳ ପଟ୍ଟାମାଲିକଙ୍କ ଦ୍ୱାରା ହୋଇପାରିବ ବୋଲି ନିଦେ୍ର୍ଦଶାବଳୀ ଜାରିକରିଛନ୍ତି । ପଟ୍ଟାମାଲିକ ମୃତ ହୋଇଥିଲେ ଏହି ଧରଣର ଜମି ପଞ୍ଜିକରଣ ଆଦୌ ହୋଇପାରିବ ନାହିଁ । ମାତ୍ର ଚଳିତ ବର୍ଷ ଏକାଧିକ ମଣ୍ଡିରେ ପଟ୍ଟାଦାର ମୃତ ହୋଇଥିବା ମଠମନ୍ଦିର ଚାଷଜମି କେତେକ ମଣ୍ଡିରେ ପଞ୍ଜିକରଣ ହୋଇଥିବା ତଥ୍ୟ ହସ୍ତଗତ ହୋଇଛି । ପାରମ୍ପାରିକ ଭାବେ ମୋଟ ଚାଷଜମିର ୪୦ ପ୍ରତିଶତ ଓ ମୋଟ ଚାଷୀଙ୍କ ମଧ୍ୟରୁ ୩୦ ପ୍ରତିଶଦ ପଞ୍ଜିକରଣ ଆଦୌ ହୁଏ ନାହିଁ । ପଞ୍ଜିକରଣ ପ୍ରକ୍ରିୟା ଠାରୁ ବିଭିନ୍ନ କାରଣ ପାଇଁ ଦୂରେଇ ରହୁଥିବା ଚାଷଜମିଗୁଡିକ ମାଲିକଙ୍କ ନାମ ସାଙ୍ଗିଆ  ସମାନ ଥିବା ଦେଖି ଦଲାଲମାନେ ନିଜ ନାମରେ ପଞ୍ଜିକରଣ କରିନେଉଥିବା ଜଣାପଡିଛି । ଦଲାଲମାନେ ବିଭିନ୍ନ ମଣ୍ଡି ପରିଚାଳନା ସହ ସଂପୃକ୍ତ ହୋଇଛନ୍ତି ଅଥବା ମଣ୍ଡି କର୍ମଚାରୀଙ୍କ ସହ ହାତମିଳାଇ ଧାନ କିଣାବିକାରୁ ବିପୁଳ ମୁନାଫା ଉଠାଉଥିବା ଜଣାଯାଇଛି । ଚାଷୀ ପଞ୍ଜିକରଣ ପାଇଁ ମଣ୍ଡିୱାରୀ ତଦାରଖ କମିଟି ନିୟୋଜିତ ଅଛନ୍ତି । ନେରଡା, ନାଆମୀ, ତେସିଙ୍ଗା, ନାରାୟଣପୁର, ବାଲିପୋଖରୀ ପାକ୍ସ ପଞ୍ଜିକରଣ ଯାଞ୍ଚ ଅଧିକାରୀ ଭାବେ ସମବାୟ ସମିତି ନିରୀକ୍ଷକ ଋତୁପୂର୍ଣ୍ଣା ସାହୁଙ୍କୁ ଦାଇତ୍ୱ ଅର୍ପଣ କରାଯାଇଛି । ସେହିପରି ଜଳମଣ୍ଡୁଆ, ରହଣିଆ, ମାଳଦା ପାକ୍ସ, ମା ଦୁର୍ଗା-୧, ମା ଦୁର୍ଗା-୨ ଏସ.ଏସ.ଜି. ମଣ୍ଡି ପଞ୍ଜିକରଣ ତଦାରଖ ପାଇଁ ମାର୍କେଟିଂ ନିରୀକ୍ଷକ ହିମାଂଶୁ ଦାସଙ୍କୁ ଓ ମା ବଡମ୍ବା, ମା ମନ୍ତ୍ରବାସିନୀ, ସିରିଡି ସାଈ, ଓମ ବାବାମଣି, ଆଦଶକ୍ତି ଓ ଶକ୍ତିସ୍ୱରୂପା ଏସ.ଏସ.ଜି. ମଣ୍ଡି ପଞ୍ଜିକରଣ ଦାଇତ୍ୱ ମିଶନଶକ୍ତି ବ୍ଳକ ସଂଯୋଜକ ଶ୍ରୀକାନ୍ତ ଜେନାଙ୍କୁ ଦାଇତ୍ୱ ଅର୍ପଣ କରାଯାଇଛି । ପୁନଶ୍ଚ ପ୍ରତ୍ୟେକ ମଣ୍ଡିର ଆବେଦନ ଫର୍ମ ଯାଞ୍ଚ ପାଇଁ ମଣ୍ଡି ସମ୍ପାଦକ, ମଣ୍ଡି ଅଞ୍ଚଳର ରାଜସ୍ୱ ନିରୀକ୍ଷକ ଓ ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ନେଇ ଯାଞ୍ଚ କମିଟି ଗଠନ କରାଯାଇଛି । ସ୍ଥାନୀୟ ତହସିଲଦାର ପଞ୍ଜିକରଣ ଯାଞ୍ଚର ନୋଡାଲ ଅଧିକାରୀ ଦାୟିତ୍ୱରେ ରହିଛନ୍ତି । ଏହି ତ୍ରିସ୍ତରୀୟ ଯାଞ୍ଚ ବଳୟକୁ ଭେଦ କରି ଦଲାଲମାନେ ପଞ୍ଜିକରଣ ହେରଫେର କରିବା ବିଡମ୍ବନାର ବିଷୟ ହୋଇଛି । ପଞ୍ଜିକରଣରେ ହେଉଥିବା ବିପୁଳ ସଂଖ୍ୟକ ଜାଲିୟାତିକୁ ଅନୁମୋଦନ କରାଯିବା ଦ୍ୱାରା ବର୍ଷକୁ ବର୍ଷ ଦଲାଲମାନଙ୍କ ଦ୍ୱାରା ବେଆଇନ ପଞ୍ଜିକରଣ କାରବାର ବୃଦ୍ଧି ପାଉଛି । ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରଶାସନିକ ଯାଞ୍ଚ କମିଟି ଗଠନ କରାଯାଇ ଯାଞ୍ଚ କରାଯିବାକୁ ଦାବି ହୋଇଛି । ପଞ୍ଜିକରଣ ଜନିତ ଅନ୍ୟ ତ୍ରୁଟି ସୁଧରା ଯାଇଛି । ୩ ଜଣିଆ ଯାଞ୍ଚ କମିଟି ଯାଞ୍ଚ ସରିବା ପରେ ସବୁ ଠିକ ହେବ ବୋଲି ବ୍ଳକ ମାର୍କେଟିଂ ଅଧିକାରୀ ହିମାଂଶୁ ଦାସ ମତଦେଇଛନ୍ତି ।