ବିଧାୟକଙ୍କ କାର-ସ୍କୁଟି ମୁହାଁମୁହିଁ, ଜଣେ ମୃତ

 ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡି ଛକ ନିକଟରେ ୧୬ ନଂ ଜାତୀୟ ରାଜପଥରେ ପଶ୍ଚିମବଙ୍ଗର ଜଣେ ବିଧାୟକଙ୍କ କାର୍ ସହିତ ଏକ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି । ମୃତ ବ୍ୟକ୍ତି ଜଣକ ସାଜନପୁରର ରାଧାକାନ୍ତ ଲେଙ୍କା ବୋଲି ଜଣାପଡ଼ିଛି । ସେ ବାସୁଦେବପୁର ହାଇସ୍କୁଲରେ ପିଅନ୍ ଭାବେ କାର୍ଯ୍ୟରତ ଥିଲେ ।  ବିଧାୟକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ହାୱଡା ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀର ଗୌତମ ଚୌଧୁରୀ ।
ସୂଚନାନୁସାରେ ଶ୍ରୀ ଚୌଧୁରୀ ସପରିବାରେ ଆଜି କାର ଯୋଗେ ପୁରୀ ଆସି ଫେରୁଥିବା ବେଳେ ଜାମୁଝାଡି ନିକଟରେ ତାଙ୍କ କାର୍ ଓ ପିଅନ ରାଧାକାନ୍ତ ଲେଙ୍କାଙ୍କ ସ୍କୁଟି ମଧ୍ୟରେ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡାକି ରାଧାକାନ୍ତଙ୍କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ରାଧାକାନ୍ତ ସ୍କୁଟି ଧରି ରଙ୍ଗରୁଟ୍ରେ ଯାଉଥିବା ବେଳେ ଏକ ଡାଇଭରସନ୍ରେ ହଠାତ୍ ଗାଡି ବୁଲାଇ ଦେଇଥିଲେ । ଫଳରେ ସେହି ସମୟରେ ବିଧାୟକଙ୍କ ଗାଡ଼ି ସହ ଧକ୍କା ହୋଇଥିଲା ।