୧୪ରେ ଆସିବେ ରାଷ୍ଟ୍ରପତି, ସମୀକ୍ଷା କଲେ ଆହୁଜା
ଭୁବନେଶ୍ୱର : ଆସନ୍ତା ୧୪ ଓ ୧୫ ତାରିଖ ଦୁଇଦିନ ପାଇଁ ଓଡ଼ିଶାଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ୧୪ ସଂଧ୍ୟାରେ ରାଷ୍ଟ୍ରପତି ଅଖିଳ ଭାରତୀୟ ଆରୁ୍ୟବିଜ୍ଞାନ ସଂସ୍ଥାନ(ଏମ୍ସ) ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହରେ ଏବଂ ୧୫ରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପରେ ସେ କଟକ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିପରି ୧୫ ତାରିଖ ଅପରାହ୍ଣରେ ରାଷ୍ଟ୍ରପତି କଟକ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନ ଯାଇ ସେଠାରେ ଶାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରିବେ । ଏହାସହ ‘କଳିଙ୍ଗ ରନô ପୁରସ୍କାର-୨୦୨୪’ ପ୍ରଦାନ କରିବେ । ଏହାକୁ ଦୃଷ୍ଟିରେ ରଖି ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।
ବିମାନ ବନ୍ଦର ନିକଟରୁ ରାଷ୍ଟ୍ରପତିଙ୍କୁ ପାଛୋଟି ଆଣିବା ଓ ପ୍ରତ୍ୟାବର୍ତ୍ତନ ସମୟରେ ମେଲାଣି ଦେବା ସହ ରାଜ ଭବନରେ ତାଙ୍କର ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଉତ୍ସବ ସ୍ଥଳରେ ଅଗ୍ନିଶମ ସେବା ବ୍ୟବସ୍ଥା, ସଡ଼କ ପଥରେ ଯାତ୍ରା ସମୟରେ କାର୍କେଡ୍ ପ୍ଲାନ, ଜରୁରୀ କାଳୀନ ଡାକ୍ତରୀ ଓ ସ୍ୱାସ୍ଥ୍ୟ ଯନô ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳକୁ ଯିବା ରାସ୍ତାର ଆବଶ୍ୟକ ମରାମତି ଓ ରକ୍ଷଣା ବେକ୍ଷଣ, ରାସ୍ତାର ପରିସ୍କାର ପରିଚ୍ଛନ୍ନତା ଆଦି ଉପରେ ବିଶେଷ ଭାବେ ଆଲୋଚନା କରି ଉଚିତ ପଦକ୍ଷେପ ନେବାକୁ ଶ୍ରୀ ଆହୁଜା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ରାଷ୍ଟ୍ରପତିଙ୍କ ଗସ୍ତକୁ ସୁଚାରୁ ରୂପେ ସମ୍ପାଦନ ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସତ୍ୟବ୍ରତ ସାହୁ, ପୁଲିସ ମହା ନିଦେ୍ର୍ଦଶକ ୱାଇ ବି ଖୁରାନିଆଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆଯୁକ୍ତ ପ୍ରମୁଖ ଯୋଗ ଦେଇଥିଲେ ।