ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନେଇ ବୈଠକ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ହଲଠାରେ ଟେବୁଲ ଟପ ଏକ୍ସରସାଇଜ ଏବଂ ସାମୂହିକ ଅଭ୍ୟାସ ୨୦୨୫ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୮ ତାରିଖରେ ଜିଲ୍ଲାସ୍ତରରେ ପୂର୍ବାହ୍ନ ୧୦ ଘଟିକାରୁ ୦୧ ଘଟିକା ଓ ବ୍ଲକସ୍ତରରେ ଅପରାହ୍ନ ୨ ଘଟିକାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହେବ । ବନ୍ୟା ବାତ୍ୟା ବଜ୍ରପାତ ଆଦି ଭଳି ପ୍ରାକୃତିକ ବିପର୍ଯ୍ୟୟ ସୂଚନା ଆସିଲେ ସରକାରୀ ବିଭାଗୀୟ ଅଧିକାରୀ ମାନେ କିଭଳି ପଦକ୍ଷେପ ନେବେ ତାର ପୂର୍ବାଭିନୟ କରାଯିବ । ସମସ୍ତ ସମ୍ପୃକ୍ତ ଅଧିକାରୀ, କର୍ମକର୍ତାମାନେ ବିପର୍ଯ୍ୟୟର ପରିଚାଳନା ନିମନ୍ତେ ପୂର୍ବ, ପରେ ଓ ସେହି ସମୟରେ ସେମାନଙ୍କ ଦାୟିତ୍ୱ ଓ କର୍ତବ୍ୟ କଣ ରହିଛି ତାର ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ଉପସ୍ଥାପନା କରାଯିବ । ସାମୂହିକ ଅଭ୍ୟାସ ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ତଥା ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ତଥା ବ୍ଲକ ସ୍ତରୀୟ ଅନ୍ୟ ସହଯୋଗୀ ସଂସ୍ଥା ମୁଖ୍ୟ, କମୁ୍ୟନିଟି କର୍ମକର୍ତା ପ୍ରମୁଖଙ୍କୁ ପରାମର୍ଶ ଦିଆଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ସମୟରେ ଯେପରି କୌଣସି ପ୍ରକାର ଅଘଟଣ ନହୁଏ ସେଥି ପ୍ରତି ବିଶେଷ ସତର୍କ ତଥା ଅଭ୍ୟାସ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଡେପୁଟି କଲେକ୍ଟର ଆପତ୍ତକାଳୀନ ଅଭିଳାଷ ପୁରୋହିତ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଇଜାଜ ଇକବାଲ ଉପସ୍ଥିତ ଥିବା ବେଳେ ଜିଲ୍ଲାର ଉପଜିଲ୍ଲାପାଳ, ସମସ୍ତ ବିଡିଓ, ତହସିଲଦାର, ଅନ୍ୟାନ୍ୟ ସହଯୋଗୀ ସଂସ୍ଥା କର୍ମକର୍ତ୍ତା, ଆଶ୍ରୟ ସ୍ଥଳୀ ପରିଚାଳନା କର୍ମକର୍ତ୍ତା, ନିର୍ବାହୀ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗଦାନ କରି ନିଜ ନିଜର ମତାମତ ପ୍ରଦାନ ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।