ଆମ ସଂକଳ୍ପ ନିଶା ନୁହେଁ, ଜୀବନ’ କାର୍ଯ୍ୟକ୍ରମ
କେନ୍ଦୁଝର : ବାଣିଜ୍ୟ ଓ ପରିବହନ ଏବଂ ଅବକାରୀ ବିଭାଗ ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ରେ ସଡକ ସଚେତନତା ଓ ଟ୍ରାଫିକ ନିୟମାବଳୀ ଉପରେ ଆମ ସଂକଳ୍ପ ନିଶା ନୁହେଁ ଜୀବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନିଶାମୁକ୍ତ ଭାରତ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ । ମଦ ପଇ ଗାଡି ଚାଳନା ଯୋଗୁଁ ରାଜ୍ୟରେ ସଡକ ଦୁର୍ଘଟଣା ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ଜାତୀୟ ରାଜପଥରେ ନିୟମିତ ଚେକିଂ କରିବାକୁ କହିଥିଲେ । ବିଶେଷ କରି ରାସ୍ତା କଡ ଢାବା ଏବଂ ହୋଟେଲରେ ଅବକାରୀ ବିଭାଗ ନିୟମିତ ଯାଞ୍ଚ କରିବାକୁ ସେ କହିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡ୍ରାଇଭରମାନଙ୍କୁ ନିଶା ଠାରୁ ଦୂରରେ ରହିବା ଏବଂ ସଡକ ନିୟମ ପାଳନ କରିବା ପାଇଁ ସଚେତନ କରାଯାଇଥିଲା । ଏଥିରେ ଆଂଚଳିକ ପରିବହନ ଅଧିକାରୀ ଇଂ. ଗୋପାଳ କୃଷ୍ଣ ଦାସ, ଅବକାରୀ ଅଧିକ୍ଷକ ଦିବ୍ୟରଞ୍ଜନ ଦୀପ,ସହ ସହାୟକ ଜିଲ୍ଲାପାଳ ସନ୍ତୋଷ ସାହୁ, ଅବକାରୀ ନିରୀକ୍ଷକ ବେଣୁଧର ସାମଲ ଓ ଟ୍ରାଫିକ ନିରୀକ୍ଷକ ସୁକୁମାର ସୋରେନ ଉପସ୍ଥିତ ଥିଲେ । ଏହି ଅବସରରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ୬ କୃତୀ ପ୍ରତିଯୋଗୀଙ୍କୁ ମନୋନୀତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ସେମାନଙ୍କୁ ହେଲମେଟ ପ୍ରଦାନ କରାଯାଇଥିଲା ।