ବୈତରଣୀ ଜଳ : ଚୁକ୍ତି ଉଲ୍ଲଙ୍ଘନ କରୁଛି କମ୍ପାନୀ
କେନ୍ଦୁଝର : ଫେବୃଆରୀ ମାସ ଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ବୈତରଣୀ ନଦୀ ଜଳ ବ୍ୟବହାର ନ କରିବା ପାଇଁ ଚୁକ୍ତି ଥିଲେ ମଧ୍ୟ କେତେକ କମ୍ପାନୀ ମାନୁ ନ ଥିବାରୁ ଜିଲ୍ଲା ପରିଷଦ ଅଧିବେଶନରେ ଉଦ୍ବେଗ ପ୍ରକାଶ ପାଇଛି । ବିଶେଷ କରି ଖରା ଦିନରେ ସ୍ଲରି ପାଇପରେ ନଦୀ ଜଳ ବ୍ୟବହାର ହେଉଥିବାରୁ ବୈତରଣୀ ନଦୀ ଶୁଖିଯାଉଛି । ଲୋକମାନେ ପିଇବା ଏବଂ ଚାଷ କାର୍ଯ୍ୟ ପାଇଁ ସମସ୍ୟାରେ ପଡୁଛନ୍ତି ।
ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ଅଧିବେଶନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ସାଂସଦ ଅନନ୍ତ ନାୟକ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ, ଆନନ୍ଦପୁର ବିଧାୟକ ଅଭିମନୁ୍ୟ ସେଠୀ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ସୋମନାଥ ଦାସ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଅନୁବ୍ରତ ବେହେରା, ଜିଲ୍ଲାପାଳ ବିଶାଳ ସିଂହ, ବନଖଣ୍ଡ ଅଧିକାରୀ ଏଚ୍ଡି ଧନରାଜ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ନାଗଭୂଷଣ, ଜିଲ୍ଲା ପରିଷଦର ସଦସ୍ୟ, ପଂଚାୟତ ସମିତି ଅଧ୍ୟକ୍ଷ ଓ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ସିଂହ ସମସ୍ତଙ୍କୁ ସ୍ୱାଗତ ଜଣାଇ ଅଧିବେଶନ ଆରମ୍ଭ କରିଥିଲେ । ଶିକ୍ଷା ବିଭାଗର ଆଦର୍ଶ ସ୍କୁଲ, ରାଜ୍ୟ ମୁକ୍ତ ସ୍କୁଲ ପ୍ରତିଷ୍ଠାନ, ମଧ୍ୟାହ୍ନ ଭୋଜନ, ମୋ ସ୍କୁଲ ଅଭିଯାନ, ବିଭିନ୍ନ ସ୍କୁଲରେ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏକକ ଶିକ୍ଷକ ଥିବା ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ଆଲୋଚନା ହୋଇଥିଲା । ଅନେକ ବେସରକାରୀ ସ୍କୁଲରେ ଅଣ ତାଲିମପ୍ରାପ୍ତ ଶିକ୍ଷକ ପାଠ ପଢାଉଥିବାବେଳେ, ସେକ୍ସନରେ ୩୫ ରୁ ୪୦ ଛାତ୍ରଛାତ୍ରୀ ପାଠ ପଢିବା ବଦଳରେ ୬୦ ରୁ ୭୦ ଛାତ୍ରଛାତ୍ରୀ ପାଠ ପଢୁଥିବା ଉଦ୍ବେଗ ପ୍ରକାଶ ପାଇଥିଲା । ସହରରେ ଗଢି ଉଠୁଥିବା ଘରୋଇ ହଷ୍ଟେଲ ଓ ମେସ୍ଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶ ହୋଇଥିବାବେଳେ ଶୈକ୍ଷିକତା ବାତାବରଣ ଆଦୌ ନାହିଁ କହିଲେ ଚଳେ । ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଉଦବ୍ବେଗ ପ୍ରକାଶ ପାଇଥିଲା । ସେହିପରି ଚମ୍ପୁଆ ବିଧାୟକ ସନାତନ ମହାକୁଡ ସରକାରୀ ସ୍କୁଲରେ ପାଠ ପଢାର ନିମ୍ନଗାମୀ ହେଉଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ । ପୂର୍ତ୍ତ ବିଭାଗ ବିଭିନ୍ନ ସୂତ୍ରରୁ ପ୍ରାପ୍ତ ଅର୍ଥରାଶି ମାଧ୍ୟମରେ ରାସ୍ତା ଓ ପୋଲ ନିର୍ମାଣ, କୋଠାବାଡି ନିର୍ମାଣ ଆଦିର କାର୍ଯ୍ୟ ଅଗ୍ରଗତି ଏବଂ ଭବିଷ୍ୟତ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ଗ୍ରାମ୍ୟ ବିଭାଜନ ପକ୍ଷରୁ ପ୍ରଣୟନ କରାଯାଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ବିଜୁ ସେତୁ ଯୋଜନା ଆଦିର କାର୍ଯ୍ୟ ସମୀକ୍ଷା ହୋଇଥିଲା । ସେହିପରି ଜଳସେଚନ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରିତା ଉପରେ ବିଶଦ ଆଲୋଚନା କରାଯାଇଥିଲା ।
ବୈତରଣୀ ଜଳସେଚନ ଡିଭିଜନ୍ ଶାଳପଡା ଅଧିନରେ ଚାଲିଥିବା ବିଭିନ୍ନ ପ୍ରକାର କାର୍ଯ୍ୟର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା । ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, ବିଧାୟକ ସନାତନ ମହାକୁଡ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ ଚକ୍ରବର୍ତୀ ସ୍ଲରି ପାଇପ ଲାଇନରେ ଲୁହାପଥର କମ୍ପାନୀମାନେ ଆଉ ଏକ ପାଇପ ବିଛାଇ ବ୍ୟବହୃତ ପାଣିକୁ ଆଣି ପୁନଃ ବ୍ୟବହାର କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ବୈତରଣୀ ଜଳସେଚନ ଡିଭିଜନ, ଅଧିକ୍ଷଣ ଯନ୍ତ୍ରୀ ଇଂ ଲକ୍ଷ୍ମଣ ମାରାଣ୍ଡି ତୁରନ୍ତ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇନଟେକ ୱେଲ କରି ବୈତରଣୀ ନଦୀ ଜଳ ବ୍ୟବହାର କରୁଥିବା ଝୁମ୍ପୁରା ବ୍ଲକ୍ ବସନ୍ତପୁର ପଞ୍ଚାୟତ ଭାଲିଆକୁଦର ଅଞ୍ଚଳ ପରିଦର୍ଶନ କରି ସଭ୍ୟଙ୍କୁ ଅବଗତ କରିବାକୁ ନିଷ୍ପତ୍ତି ହୋଇଥିଲା । ବିଦୁ୍ୟତ୍କରଣ ବିଭାଗ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ଓ ରୂପାୟନ ସମ୍ପର୍କରେ ସଭ୍ୟ ବିମ୍ବାଧର ବିଶ୍ୱାଳ ଆଲୋଚନା କରିଥିଲେ । ଜାତୀୟ ରାଜପଥ ୨୦ର ଓଭରଲେଇଂ କାର୍ଯ୍ୟ, ସର୍ଭିସ ରୋଡ, ଶାଳପଡା ଓଭରବ୍ରିଜ କାମ ବିଳମ୍ବ ଚାଲିଥିବାରୁ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ଏନ୍ଏଚ୍ଏଆଇ ପ୍ରକଳ୍ପ ନିଦେ୍ର୍ଦଶକ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଥିଲା ।