ସହକାରୀ ଶ୍ରମ ଅଧିକାରୀଙ୍କ ଏସସିବି ବିଲ୍ଡିଂ ନିର୍ମାଣ ଯାଞ୍ଚ
ଭୁବନେଶ୍ୱର: ସହକାରୀ ଶ୍ରମ ଅଧିକାରୀ ରଶ୍ମି ରଞ୍ଜନ ବରାଳ ଏବଂ ଦୀପଙ୍କର ଦୀକ୍ଷିତ ନିର୍ମାଣାଧୀନ ନୂତନ ଏସସିବି କୋଠା ପରିଦର୍ଶନ କରି ନିର୍ମାଣ କାମର ତଦାରଖ କରିଥିଲେ । ବିଶେଷ କରି ଶ୍ରମିକମାନେ ସରକାରୀ ନିୟମର ଅନୁପାଳନ କରୁଛନ୍ତି କି ନାହିଁ ତା’ର ଯାଞ୍ଚ କରିଥିଲେ । ତେବେ ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସେଠାରେ କୌଣସି ନିର୍ମାଣ କାର୍ଯ୍ୟ ଚାଲୁ ନ ଥିବା ଜଣାପଡ଼ିଥିଲା । ଏହା ବ୍ୟତୀତ ପ୍ରତିଦିନ ଶ୍ରମିକମାନଙ୍କୁ ବଣ୍ଟନ ପାଇଁ ୧ ଲକ୍ଷ ଓଆରଏସ ପ୍ୟାକେଟ ଉପଲବ୍ଧ ଥିବା ବେଳେ ଶ୍ରମିକମାନେ ପିପିଇ କିଟ୍ ସୁରକ୍ଷା ଉପକରଣ ବ୍ୟବହାର କରୁଥିବା ନଜିର ରହିଛି । ସେହିପରି ଏହି ସ୍ଥାନରେ ନିୟୋଜିତ ୧୨୦ ନିର୍ମାଣ ଶ୍ରମିକ ପୂର୍ବରୁ ପଞ୍ଜୀକୃତ ହୋଇସାରିଛନ୍ତି । ଅନସାଇଟ୍ ପଞ୍ଜୀକରଣ ମଧ୍ୟ ନିରନ୍ତର ଭାବରେ କରାଯାଉଛି ବୋଲି ସହକାରୀ ଶ୍ରମ ଅଧିକାରୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଡହ ଡହ ଖରାରେ ଶ୍ରମିକମାନେ କଟକ ବଡ଼ ମେଡିକାଲର ନୂଆ ବିଲ୍ଡିଂ କାମ କରୁଛନ୍ତି ବୋଲି ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଥିଲା ।