ବିବାହର ମିଥ୍ୟା ପ୍ରତିଶୃତି ଦେଇ ନେଇଗଲା ୧୫ ଲକ୍ଷ; ଠକ ଗିରଫ

 ଭୁବନେଶ୍ୱର, ୧୬ା୧୨ : ନିଜ ଜେଜେବାପାକୁ ହସ୍ପିଟାଲକୁ ଦେଖାଇବାକୁ ଆସିଥିବା ନାତି ସେହି ହସ୍ପିଟାଲର ଜଣେ ନର୍ସଙ୍କୁ ନିଜ ଜାଲରେ ଫସାଇ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଲୁଟି ନେଲା ନଗଦ ୧୦ ଲକ୍ଷ ଟଙ୍କା ଓ ସୁନା ବ୍ରେସଲେଟ୍ । ପ୍ରଥମେ ହସ୍ପିଟାଲରୁ ଦେଖା ଚାହାଁ, ପରେ ମୋବାଇଲ ନମ୍ବର ଦିଆନିଆ ତା ପରେ ନିବିଡ଼ ସମ୍ପର୍କ । ଏହା ପରେ ବିବାହର ମିଥ୍ୟା ପ୍ରତିଶୃତି ଦେଇ ନର୍ସଙ୍କ ସହ ସମ୍ପର୍କ ତା ପରେ ଗର୍ଭ ନଷ୍ଟ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଆଜି ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଭଳି ଘଟଣା ଘଟିଛି ଖଣ୍ଡଗିରି ଥାନା ଅଞ୍ଚଳରେ । ଗିରଫ ଅଭିଯୁକ୍ତ ହେଲା, କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳ ଉପର ସାହିର ଭବାନୀ ଶଙ୍କର ନାୟକ ।
 ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ଜଣକ ଏକ ପ୍ରତିଷ୍ଠିତ ଡାକ୍ତରଖାନାରେ ଜଣେ ନର୍ସ ଭାବେ ଚାକିରି କରନ୍ତି । ଏହି ସମୟରେ ଅଭିଯୁକ୍ତ ଜଣକ ନିଜ ଜେଜେବାପାଙ୍କୁ ନେଇ ଉକ୍ତ ଡାକ୍ତରଖାନାକୁ ଚିକିତ୍ସା ଲାଗି ଗତ ୨ ବର୍ଷ ତଳେ ଆସିଥିଲେ । ସେଠାରେ ଚକିତ୍ସା ଚାଲିଥିବା ସମୟରେ ଅଭିଯୋଗକାରିଣୀ ନର୍ସଙ୍କ ସହିତ ଅଭିଯୁକ୍ତର ଚିହ୍ନା ପରିଚୟ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାପରେ, ଅଭିଯୁକ୍ତ ତାଙ୍କୁ ବିବାହ କରିବାର ମିଥ୍ୟା ପ୍ରତିଶୃତି ଦେଇ ତାଙ୍କ ସହ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଏବଂ ଏକ ସୁନା ବ୍ରେସଲେଟ୍ ନେଇଯାଇ ପରେ ଆଉ ନର୍ସଙ୍କୁ ଧରାଛୁଆଁ ଦେଇନଥିଲା । ଏହା ବ୍ୟତୀତ ଅଭିଯୁକ୍ତ ଜଣକ ସେହି ସମୟରେ ମଧ୍ୟରେ କିଛି ମେଡିସିନ ଦେଇ ଅଭିଯୋଗକାରିଣୀଙ୍କ ଗର୍ଭ ନଷ୍ଟ କରିଥିଲା । ଏନେଇ ନର୍ସ ଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଠକକୁ ଗିରଫ କରିଛି ।