ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା

 ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗତ ମାର୍ଚ୍ଚ ମାସ ୧୧ ତାରିଖରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରାଯାଇଥିଲା । ଜନସାଧାରଣଙ୍କୁ ନାଗରିକକୈନ୍ଦ୍ରିକ ସେବା ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ଯେଉଁ ପ୍ରତିବଦ୍ଧତା ରହିଛି ତାହାକୁ ଦୃଷ୍ଟିରେ ରଖି ବିଭାଗମାନେ ବିଭାଗୀୟ କାର୍ଯ୍ୟ ନିଷ୍ଠାର ସହ ସମ୍ପାଦନ ପାଇଁ ପ୍ରୟାସ ଜାରି ରଖୁବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ । ବୈଠକରେ ଆର୍ଥିକ ବର୍ଷ ୨୦୨୪-୨୫ ସୁଦ୍ଧା ବିଭିନ୍ନ ବିଭାଗର ଖର୍ଚ୍ଚ ପ୍ରତିଶତ ସମୀକ୍ଷା କରାଯାଇଥିଲା । ୨୦୨୫-୨୬ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗ ପାଇଁ ବଜେଟ୍ ପ୍ରାବଧାନ ଅନୁସାରେ ଅର୍ଥ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ୨୦୨୪-୨୫ ବର୍ଷରେ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତି ବାବଦରେ କରାଯାଇଥିବା ଖର୍ଚ୍ଚ ଓ ବିନିଯୋଗ ପ୍ରମାଣପତ୍ର ପ୍ରଦାନକୁ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା-ଭିଜନ ୨୦୩୬ ଓ ୨୦୪୭ ପ୍ରସଙ୍ଗରେ ଆଲୋଚନା କରାଯାଇ ବିଭିନ୍ନ ବିଭାଗର ପ୍ରମୁଖ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା ।
ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ସମସ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।