ବିଭିନ୍ନ ସ୍ଥାନରେ ଅଖିମୁଠି ଅନୁକୂଳ
ବାଲେଶ୍ୱର : : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସଦର ନିର୍ବାଚନମଣ୍ଡଳୀର ଓଲନ୍ଦା ସାରଗାଁ ପଞ୍ଚାୟତ ଅନ୍ତର୍ଗତ ପୋତାଗାଁ ଠାରେ ବିଧାୟକ ମାନସ କୁମାର ଦତ୍ତ ଅଖିମୁଠି ଅନୁକୂଳ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେଠାରେ ଆୟୋଜିତ ପୂଜାକର୍ମରେ ବିଧାୟକ ଶ୍ରୀ ଦତ୍ତ ଅଂଶଗ୍ରହଣ ସହ ଚାଷୀକୂଳଙ୍କ ନିମନ୍ତେ ମାଟି ମା'ଙ୍କୁ ପ୍ରାର୍ଥନା କରିଥିଲେ । ପରେ ସେ ବିଧି ପୂର୍ବକ ଜମିରେ ହଳ ଲଙ୍ଗଳ ଚଳାଇବା ସହ ବିହନ ବୁଣି ଅଖିମୁଠି ଅନୁକୂଳ କରିଥିଲେ । ଏହି ଅବସରରେ ସ୍ଥାନୀୟ ଚାଷୀକୂଳର ଗୁରୁଜନମାନଙ୍କୁ ସେ ସମ୍ବର୍ଦ୍ଧିତ କରିଥିଲେ । ଅକ୍ଷୟ ତୃତୀୟା ଭଳି ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀ ଖରିଫ ଋତୁ ପାଇଁ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀଙ୍କୁ ହଜାରେ କୋଟିରୁ ଅଧିକ ଟଙ୍କାର ମୁଖ୍ୟମନ୍ତ୍ରୀ କିଷାନ ସହାୟତା ରାଶି ପ୍ରଦାନ କରିବା ବାସ୍ତବିକ ଏକ ଖୁସିର ବିଷୟ ବୋଲି ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ କହିଥିଲେ । ଚଳିତ ଋତୁରେ ଚାଷୀଭାଇମାନଙ୍କ ଜମିରେ ଭଲ ଫସଲ ହେବା ନିମନ୍ତେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସରପଞ୍ଚ ଆରତୀ ଦାସ, ସମିତି ସଭ୍ୟା ରଶ୍ମିତା ନାୟକ, ଗୌରାଙ୍ଗ ଦାସ, ବିଷ୍ଣୁପଦ ପ୍ରଧାନ, ପିତାମ୍ବର ଭୂୟାଁ, ରଘୁନାଥ ପ୍ରଧାନ, କାର୍ତ୍ତୀକ ଶତପଥୀ, ପୀତବାସ ଭୂୟାଁ, ବିରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ସାରସକଣା: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ପୂଜା କରି ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି ସ୍ଥାନୀୟ ସାରସକଣା ବିଧାୟକ ଭାଦବ ହାଁସଦା । ପବିତ୍ର ଅକ୍ଷୟ ତୃତୀୟା ଚାଷୀ ଭାଇଙ୍କ ପାଇଁ ଏକ ପବିତ୍ର ଦିନ । ଏହି ପରିପ୍ରେକ୍ଷୀରେ ସାରସକଣା ନିର୍ବାଚନ ମଣ୍ଡଳୀର କୃଷକ ଭାଇମାନଙ୍କୁ ଉତ୍ସାହିତ କରିବାକୁ ଯାଇ ବିଧାୟକ ଭାଦବ ହାଁଁସଦା ନିଜେ କୃଷକ ଭାବେ ମାଟି ମା’ର ପୂଜାର୍ଚ୍ଚନା କରିଛନ୍ତି । ସାରସକଣା ବ୍ଲକ ସ୍ଥିତ କାଶୀପାଳ ଗ୍ରାମରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବି ନାଏକଙ୍କ ପୌରାହିତ୍ୟରେ ଶତାଧିକ କୃଷକମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡିଶା ଏକ କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବା ବେଳେ ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଅଖିମୁଠି ଅନୁକୂଳ । ଏହି ଅବସରରେ ଜଣେ ସାଧାରଣ ଚଷା ପୁଅ ଭାବେ ଧୋତି ଗଞ୍ଜିଟିଏ ପିନ୍ଧି ଚାଷ କାର୍ଯ୍ୟ ଆରମ୍ଭ କରି ବିଲରେ ଧାନ ବୁଣିଲେ ବିଧାୟକ ଭାଦବ ହାଁସଦା । ତେବେ ଅକ୍ଷୟ ତୃତୀୟାକୁ କୃଷକମାନେ ବେଶ ଉସôାହ ସହକାରେ ପାଳନ କରିଥାନ୍ତି । ଆଜିର ଦିନରେ ଚଷା ପୁଅ ନିଜ କ୍ଷେତରେ ଅକ୍ଷିମୁଠି ଅନୁକୂଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥାଏ । ଆଜିର ଦିନରେ ଚାଷୀମାନେ ନୂଆ ଧାନ ବିହନ ନେଇ ନିଜ କ୍ଷେତରେ ବୁଣି ହଳ କରି ଧରିତ୍ରୀ ମାତା ଓ ମା' ଲକ୍ଷ୍ମୀଙ୍କର ଆର୍ଶୀବାଦ ମିଳି ଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଟାଙ୍ଗୀ-ଚୌଦ୍ୱାର : କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଶାଳଗାଁ ପଂଚାୟତ ଖାଇପଡିଆ ଗ୍ରାମରେ ଥିବା ଏକ କ୍ଷେତରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ଅନୁଷ୍ଠିତ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଟାଙ୍ଗୀ ବିଜେପି ସଂଗଠକ ହିମାଂଶୁ ମହାନ୍ତି ଯୋଗ ଦେଇ ନୀତି କାନ୍ତିରେ ପୂଜାର୍ଚ୍ଚନା କରିବା ପରେ ଅଖିମୁଠି ଅନୁକୂଳ କରିଥିଲେ । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରଯାଏ । ଏହା ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ଓଡିଶାର ପୁରପଲ୍ଲୀରେ କୃଷକମାନେ ଏହାକୁ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି ବୋଲି ଶ୍ରୀ ମହାନ୍ତି ମାଧ୍ୟମରେ ପ୍ରକାଶ କରିଥିଲେ । ଏଥିସହିତ ଏହିଦିନ କୃଷକମାନେ ଭଲ ସମୟ ଦେଖି ଅଖିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବହୁ ଚାଷୀମାନେ ଯୋଗ ଦେବା ସହିତ କୃଷି କ୍ଷେତରେ ସୁନାମ ଅର୍ଜନ କରିଥିବା ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଂଚଳର ବରିଷ୍ଠ ନାଗରିକ ଓ ମହିଳାମାନେ ଉପସ୍ଥିତ ଥିଲେ ।
ନିଶ୍ଚିନ୍ତକୋଇଲି: ମାହାଙ୍ଗା ବ୍ଲକର ମଣିଯୋରୀ ଠାରେ ଜୟ କୃଷକ କ୍ଲବ ପକ୍ଷରୁ ପବିତ୍ର ଅକ୍ଷୟତୃତୀୟା ଓ କୃଷକ ଦିବସ ଅବସରରେ କୃଷକ ମନ୍ଦିର ପୂଜା, ଅଖିମୁଠି ଅନୁକୁଳ ଏବଂ କୃଷକ ଗୌରବ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଭାରତବର୍ଷର ପ୍ରଥମ କୃଷକ ପ୍ରତୀକସ୍ତମ୍ଭ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ମାହାଙ୍ଗାର ମଣିଯୋରୀ ଠାରେ ଥିବା ଏହି ବିଚିତ୍ର ମନ୍ଦିରରେ କୃଷକ ଦେବତା ହିଁ ପୂଜା ପାଇଥାନ୍ତି, ଯାହାକି ଭାରତ ବର୍ଷରେ ନିଆରା । ପ୍ରାରମ୍ଭରେ ଅତିଥିମାନେ କୃଷକ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଅଖିମୁଠି ଅନୁକୂଳ କରିଥିଲେ । ସେହିପରି ବୟାଳିଶି ମୌଜାସ୍ଥିତ କଳପଡାଠାରେ ୟୁନିୟନ ଫର କଟକସଦର ଡେଭଲପମେଣ୍ଟର ସଭାପତି ପ୍ରଫେସର ମନୋଜ ନାୟକ ଅଖିମୁଠି ଅନୁକୂଳ କରି କହିଛନ୍ତି ଯେ, ଚାଷ ନାହିଁ ଯାହାର ବାସ ନାହିଁ ତାହାର, ଯେଉଁ ବ୍ୟକ୍ତି ଚାଷ କାମ ସୂଚାରୁ ରୂପେ କରିପାରିଛି ସେ କଦାପି ଉପାସ ରହିବ ନାହିଁ କି କାହାରିକୁ ଉପବାସରେ ରଖାଇ ଦେବ ନାହିଁ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବିଜୟ ନାୟକ, ଅଭିମନୁ୍ୟ ସାହୁ, ସର୍ବେଶ୍ୱର ସ୍ୱାଇଁ , ଅମିତାବ୍ ମହାପାତ୍ରଙ୍କ ସମେତ ଶତାଧିକ ଚାଷୀ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ ।
ଢେଙ୍କାନାଳ: କୃଷି ହେଉଛି ଓଡ଼ିଶାର ମେରୁଦଣ୍ଡ । ଏହା ଆମର ସଂସ୍କୃତି ଓ ପ୍ରକୃତିର ଅବିଚ୍ଛେଦ୍ୟ ଅଙ୍ଗ । କୃଷି ଓ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠାରେ ବୈପ୍ଳବିକ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ଏହା ଏକ ଲାଭଜନକ ବୃତ୍ତି ହୋଇପାରୁଛି ବୋଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଢେଙ୍କାନାଳରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମତବ୍ୟକ୍ତ କରିଛନ୍ତି । ମହିଷାପାଟ ସ୍ଥିତ ଆଞ୍ଚଳିକ ତାଲିମ ଓ ସଂପ୍ରସାରଣ ପ୍ରତିଷ୍ଠାନର ଫାର୍ମ ମଧ୍ୟରେ ଚାଷକାର୍ଯ୍ୟର ଶୁଭାରମ୍ଭ ସ୍ୱରୂପ ଅଖିମୁଠି କାର୍ଯ୍ୟ ଆରମ୍ଭ ହୋଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ପାରମ୍ପରିକ ହଳ କରି ଓ ଟ୍ରାକ୍ଟର ଚଳାଇ ଅଖିମୁଠିର ଶୁଭାରମ୍ଭ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ସାଂସଦଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି, ଉଦ୍ୟାନ ବିଭାଗର ଉପ ନିଦେ୍ର୍ଦଶିକା ଗୀତାଶ୍ରୀ ପାଢୀ ପ୍ରମୁଖ ଯୋଗ ଦେଇ ପବିତ୍ର ଅକ୍ଷୟ ତୃତୀୟା ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରି ଏହି ତିଥିରେ ସମସ୍ତ ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ କରାଯାଇପାରେ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶିବ ନାରାୟଣ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।