ବିଶ୍ୱ ଅର୍ଥନୈତିକ ଫୋରମ୍ରେ ଅଂଶଗ୍ରହଣ କରିବେ ଅଶ୍ୱିନୀ
ନୂଆଦିଲ୍ଲୀ : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡାଭୋସଠାରେ ହେବାକୁ ଥିବା ବିଶ୍ୱ ଅର୍ଥନୈତିକ ଫୋରମ ୨୦୨୫ରେ ଅଂଶଗ୍ରହଣ କରିବେ । ତାଙ୍କର ଏହି ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିକଳ୍ପିତ ସାମଗ୍ରିକ ଏବଂ ପରିବର୍ତ୍ତନମୂଳକ ବିକାଶକୁ ଆଗେଇ ନେବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଡାଭୋସ ଯିବା ପୂର୍ବରୁ ଶ୍ରୀ ବୈଷ୍ଣବ ସମାଜର ସମସ୍ତ ବର୍ଗ, ବିଶେଷ କରି ବଞ୍ଚିତ ବର୍ଗଙ୍କର ବିକାଶ ସୁନିଶ୍ଚିତ କରିବା ପାଇଁ ଭାରତର ପ୍ରମୁଖ ପ୍ରୟାସଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, "ଭାରତର ପ୍ରଧାନମନ୍ତ୍ରୀ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି, ଯାହା ସମାଜର ସବୁଠାରୁ ଅବହେଳିତ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଥାଏ । ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣଠାରୁ ଆରମ୍ଭ କରି ଶୌଚାଳୟ, ଗ୍ୟାସ୍ ସଂଯୋଗ ଓ ଟ୍ୟାପ୍ ପାଣି ଭଳି ଅତ୍ୟାବଶ୍ୟକ ସେବା ଯୋଗାଇବା ଏବଂ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଭିତ୍ତିଭୂମିରେ ଉନ୍ନତି ଆଣିବା ପର୍ଯ୍ୟନ୍ତ, ସମଗ୍ର ବିଶ୍ୱ ଏଗୁଡ଼ିକ ସଂପର୍କରେ ଜାଣିବାକୁ ଚାହୁଁଛି । "ବିଶ୍ୱ ଅର୍ଥନୈତିକ ଫୋରମରେ ସାମଗ୍ରିକ ବିକାଶ, ସାମାଜିକ, ଭୌତିକ ଏବଂ ଡିଜିଟାଲ ଭିତ୍ତିଭୂମିରେ ପୁଞ୍ଜିନିବେଶ ଏବଂ ପ୍ରଯୁକ୍ତିବିଦ୍ୟାର ଗଣତାନ୍ତ୍ରିକରଣ ଉପରେ ବ୍ୟାପକ ଆଲୋଚନା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଥିଲେ ।