ବିଶ୍ୱ ମାତୃ ଦିବସ ପାଳିତ

 ବାଲେଶ୍ୱର : ବାଲେଶ୍ୱର ବହିଘର-ବିଦ୍ୟାଭାରତୀ ସଭାଗୃହରେ କବି ଅଭୟ ଦାସଙ୍କ ପୌରୋହିତ୍ୟ ଏବଂ ରୂପାୟନର ସମ୍ପାଦିକା ଶ୍ରଦ୍ଧାଞ୍ଜଳି ରାୟଙ୍କ ସଂଯୋଜନାରେ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ବିଶିଷ୍ଟ ଉଦ୍ୟୋଗୀ ତଥା କବି ବାସନ୍ତୀ ପାଣି, ବାଲେଶ୍ୱର ଜିଲ୍ଲା ପରିଷଦ ୩୧ ନମ୍ବର ଜୋନ୍ ପ୍ରାକ୍ତନ ସଦସ୍ୟା ଜୟନ୍ତୀ ମିଶ୍ର ଏବଂ ସମାଜସେବିକା ପ୍ରଣିତା ମିଶ୍ର ପ୍ରମୁଖଙ୍କୁ ବନ୍ଦନୀୟା ମା’ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ମା’ମାନେ କେବଳ ପାଳନ କରି ନଥାନ୍ତି, ବରଂ ସେମାନେ ନିଜର ତ୍ୟାଗ ଓ ତିତିକ୍ଷା ବଳରେ ସଂସାରକୁ ଶିକ୍ଷିତ ଓ ସଂସ୍କୃତ କରିଥାନ୍ତି । ମାଆଟିଏ କେବେ କିଛି ନେବାକୁ ଅପେକ୍ଷା ରଖେନାହିଁ । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ସନ୍ତାନର ମଙ୍ଗଳ ହିଁ ଚାହିଁଥାଏ । ଯେଉଁଠି ମାତୃଜାତିକୁ ସମ୍ମାନ ମିଳିଥାଏ, ସେଠାରେ ଦେବତାମାନେ ବାସ କରିଥାନ୍ତ । ବିଶ୍ୱର ଯେତେ ବଡ଼ବଡ଼ ସଭ୍ୟତା ସୃଷ୍ଟି ହୋଇଛି ବା ତିଷ୍ଠି ରହିଛି, ତା ମୂଳରେ ମାତୃଜାତିର ବିଶେଷ ଭୂମିକା ରହିଛି ବୋଲି ଅତିଥିବକ୍ତା ତଥା ସମ୍ବର୍ଦ୍ଧିତ ବନ୍ଦନୀୟା ମାତୃମଣ୍ଡଳୀମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଡ. ରାଧାରଞ୍ଜନ ପଟ୍ଟନାୟକ, ସମ୍ମାନିତବକ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମଞ୍ଜୁଲତା ବଳ, ଅଧ୍ୟାପକ ଡ. ପ୍ରଦୀପ୍ତ ମିଶ୍ର, ସମାଜସେବୀ ଯାଦବେଶ ମିଶ୍ର, ବିଜୟ ଦାସ ଏବଂ ମଧୁସୂଦନ ମିଶ୍ର ପ୍ରମୁଖ ଯୋଗ ଦେଇ ମାତୃଦିବସର ମହତ୍ତ୍ୱ ସଂପର୍କରେ ଆଲୋଚନା କରିଥିବାବେଳେ ଦେବାଶିଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
 ବୈଶିଙ୍ଗା, ୧୨ା୫: ବୈଶିଙ୍ଗା ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦ୍ରର ପରିସରରେ ବିଶ୍ୱ ମାତୃଦିବସ ପାଳିତ ହୋଇଯାଇଛି । ବୈଶିଙ୍ଗା ସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମକୁମାରୀ ଅନୁପମା ଭଉଣୀ ଏହି କାର୍ଯ୍ୟକ୍ରମରେ  ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବ୍ରହ୍ମାକୁମାର ସୁଧୀର ସାହୁ ଯୋଗ ଦେଇଥିଲେ । ଭଗବାନଙ୍କ ସୃଷ୍ଟିରେ ମାଆ ଏବଂ କନ୍ୟାମାନଙ୍କ ଦ୍ୱାରା ହିଁ ବିଶ୍ୱର ପରିବର୍ତ୍ତନ ହୋଇ ପବିତ୍ରତା ଯୁକ୍ତ ଦୁନିଆର ସ୍ଥାପନ ହୋଇପାରିବ ବୋଲି ବ୍ରହ୍ମକୁମାରୀ ଅନୁପମା ଭଉଣୀ ମତବ୍ୟକ୍ତ କରିଥିଲେ । ଏଥିରେ ମୁଖ୍ୟଅତିଥି ସୁଧୀର ସାହୁ ଏହି ଦିବସର ମହତ୍ୱ ବିଷୟରେ ଗଭୀର ଆଲୋକପାତ କରିଥିବା ବେଳେ ବର୍ତ୍ତମାନ ସମୟରେ ବିଶ୍ୱରେ ଶାନ୍ତି ବାତାବରଣ ନିମନ୍ତେ ରାଜଯୋଗ ଭଟ୍ଟି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯୁଦ୍ଧରେ ମୃତାହତ ସମସ୍ତ ନାଗରିକ ପାଇଁ ନିରବ ପ୍ରାର୍ଥନା କରାଯାଇ ଶାନ୍ତି ଏବଂ ଶକ୍ତିର ଯୋଗଦାନ କରାଯାଇଥିଲା । ଏଥିରେ ବ୍ରହ୍ମାକୁମାର ମନୋଜ, ବ୍ରହ୍ମାକୁମାର ସତ୍ୟପ୍ରକାଶ, ବ୍ରହ୍ମାକୁମାର ଭଗବାନ, ବ୍ରହ୍ମାକୁମାର ଦିବ୍ୟରଞ୍ଜନ ପ୍ରମୁଖ ସହଯୋଗ କରିଥିବା ବେଳେ ବ୍ରକୁ ରମାମଣୀ ମାତା ଧନ୍ୟବାଦ ଅର୍ପଣ କରିଥିଲେ ।