ବିଷ୍ଣୁପଦ ସେଠୀଙ୍କ ବାସଭବନ ଘେରାଉ ବେଳେ ମହୁମାଛି ଆକ୍ରମଣ
ଭୁବନେଶ୍ୱର, ୧୬ା୧୨ : ର୍ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ପରେ ତେଜିଛି ରାଜନୀତି । ଏନେଇ ଆଜି ବିଷ୍ଣୁପଦ ସେଠୀଙ୍କୁ ଗିରଫ ଦାବିରେ ଛାତ୍ର କଗ୍ରେଂସ ପକ୍ଷରୁ ବିଷ୍ଠୁପଦ ସେଠୀଙ୍କ ବାସଭବନ ଘେରାଉ ସମୟରେ ଦେଖିବାକୁ ମିଳିଛି ମହୁମାଛି ଆତଙ୍କ । ମହୁମାଛି ଆକ୍ରମଣରେ ବହୁ କଗ୍ରେଂସ କର୍ମୀ, ପୁଲିସ, ସାମ୍ବାଦିକ ଆହତ ହୋଇଥିବା ଦେଖିବାକୁ ମିଳିଛି । କିଛି କଗ୍ରେଂସ କର୍ମୀ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦେଖାଯାଇଛି ।
ସୂଚନା ଯୋଗ୍ୟଯେ, ତାରକା ହୋଟେଲ ସାମ୍ନାରୁ ର୍ମର୍ସିଡିଜ କାରରୁ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ କରିଥିଲା ସମନ । ତାଙ୍କ ଠାରେ କିଛି ପ୍ରମାଣ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବାରୁ ଏହାକୁ ନିଶ୍ଚିତ କରିବା ପାଇଁ ହାଜର ହେବାକୁ ସମନ କରାଯାଇଥିଲା । ଏହାସହ ଟେଣ୍ଡର ଫିକ୍ସିଂରେ ମାମଲାରେ ସଚିବ ବିଷ୍ପୁପଦ ସେଠୀଙ୍କ ଡ୍ରାଇଭରକୁ ମଧ୍ୟ ସମନ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ସିବିଆଇର ସମନ ପରେ ସଚିବ ବିଷ୍ଣୁପଦ ସେଠୀ ସିବିଆଇରେ ହାଜର ହେଉନିଥିବା ନେଇ ଓ ତାଙ୍କୁ ତୁରନ୍ତ ଗିରଫ ଦାବିରେ ସୋମବାର ଦିନ ମଧ୍ୟାହ ୧ଟା ବେଳେ ଛାତ୍ର କଗ୍ରେଂସ ପକ୍ଷରୁ ସଚିବ ବିଷ୍ଣୁପଦ ସେଠୀଙ୍କ ବାସଭବନ ଘେରାଉ କରାଯାଉଥିଲା । ଏହି ସମୟରେ ସେଠାରେ ଥିବା ଏକ ଗଛରେ ମହୁମାଛି ଘର ଥିବା ବେଳେ କେହି ମହୁମାଛି ବସାକୁ ଟେକା ମାରିଥିଲା । ଯାହାଫଳରେ କିଛି ବୁଝିବା ପୂର୍ବରୁ ଶହଶହ ମହୁମାଛି ମାନେ କଗ୍ରେଂସ କର୍ମୀଙ୍କ ଠାରୁ ଆରମ୍ଭ କରି ପୁଲିସ, ସାମ୍ବାଦିକ ଓ ସେଠାରେ ଥିବା ଅନ୍ୟ ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଫଳରେ କିଏ କୁଆଡେ ଦୌଡ଼ିଥିଲା ତ କିଏ ରାସ୍ତାରେ ପାଲ ଘୋଡାଇ ସୋଇପଡ଼ିଥିଲା ତ କିଏ କଗ୍ରେଂସ ବେନର ଗୁଡ଼ାଇ ଦୌଡ଼ିଥିଲା । ଏଭଳି ପ୍ରାୟ ୧ ଘଣ୍ଟାକାଳ ମହୁମାଛି ମାନେ ଗୋଡାଇ ଆକ୍ରମଣ କରିବା ଫଳରେ ବିଷ୍ଠୁପଦ ସେଠୀଙ୍କ ଫରେଷ୍ଟ ପାର୍କ ନିକଟ ବାସଭବନ ଅଞ୍ଚଳ କିଛି ସମୟ ଭିତରେ ପୁରା ଶୁନସାନ ହୋଇଯାଇ କଗ୍ରେଂସ କର୍ମୀଙ୍କ ଘେରାଉ ଏକ ପ୍ରକାର ପଣ୍ଡ ହୋଇଯାଇଥିବା ଦେଖାଯାଇଛି ।