ସାଇକେଲ ରଖିବାରୁ ଯୁବକଙ୍କୁ ଆକ୍ରମଣ ସହ ଲୁଟ୍
ଭୁବନେଶ୍ୱର, ୭ା୫ : ରାତିରେ ଘର ପଛପଟେ ଏକ ବାଇସାଇକଲ ରଖିବାକୁ ନେଇ ମାଆ ପୁଅକୁ ଗାଳି ଗୁଲଜ । ଏନେଇ ବିରୋଧ କରିବାରୁ ହତ୍ୟା ଉଦେଶ୍ୟରେ ଲୁହା ରଡରେ ମରଣାନ୍ତକ ଆକ୍ରମଣ ସହ ଘରେ ପଶି ଆଲମିରା ଭାଙ୍ଗି ଟଙ୍କା ଲୁଟ୍ । ଏନେଇ ଅଭିଯୋଗକାରୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ୟୁନିଟ୍-୫ କେଶୋରୀ ନଗର ବସ୍ତିର ବାଦଲ ନାୟକ ।
ସୂଚନାଯୋଗ୍ୟଯେ, ସୋମବାର ରାତି ୯ଟା ବେଳେ ଅଭିଯୁକ୍ତ ବାଦଲ ଓ ତାର ମାଆ ଅଭିଯୋଗକାରୀ ଅଶୋକ କୁମାର ନାୟକଙ୍କୁ ତାଙ୍କର ଘର ପଛପଟେ ଏକ ବାଇସାଇକଲ ପାର୍କିଂ କରି ରଖିଥିବାକୁ ନେଇ ଗାଳି ଗୁଲଜ କରିଥିଲେ । ସେହି ସମୟରେ ଅଭିଯୋଗାକରୀ ତାଙ୍କ ବାଇସାଇକଲର ଚାବିଟି ହଜିଥିବା ବେଳେ ତାକୁ ପାଇ ସାଇକଲଟିକୁ ସେଠାରୁ ବାହାର କରିଦେଇଥିଲେ । ହେଲେ ଅଭିଯୁକ୍ତ ଏଥିରେ ରାଗିଯାଇ ଅଭିଯୋଗକାରୀଙ୍କୁ ହତ୍ୟା କରିବା ଉଦେଶ୍ୟରେ ଏକ ଲୁହା ରଡରେ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଅଭିଯୋଗକାରୀ ଅଶୋକ ଗୁରୁତର ଆହତ ହେବାରୁ ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ଏହି ସମୟରେ ଅଭିଯୁକ୍ତ ଓ ତାର ଜଣେ ସହଯୋଗୀ ଅଭିଯୋଗକାରୀଙ୍କ ଘରେ ପସି ଆଲମିରା ଭାଙ୍ଗି ୫୦ ହଜାର ଟଙ୍କା ନେଇଯାଇଥିଲେ । ଏହା ଜାଣିବା ପରେ ମଙ୍ଗଳବାର ଦିନ ଅଭିଯୋଗକାରୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଛି ।