ବୁଝାମଣାକୁ ବିତିଲାଣି ୧୧ବର୍ଷ : ସର୍ଭେରେ ଅଟକିଛି ଜାତୀୟ ଜଳପଥ ବିକାଶ

 ଯାଜପୁର/ରସୁଲପୁର : ଜୁନ ୩୦ ୨୦୧୪ । ଜଳପଥର ବିକାଶ ଓ ଜଳପଥରେ ପରିବହନ ସାକାର କରିବାକୁ ଜଳପଥ ବିକାଶ ବୁଝାମଣା ବା ଏମ୍ଓୟୁ ସ୍ୱାକ୍ଷର ହୋଇଥିଲା । ବ୍ରାହ୍ମଣୀ ଅବବାହିକାରେ ଥିବା ତାଳଚେର-ଅନୁଗୁଳ ଏବଂ କଳିଙ୍ଗନଗର ଆଦି ଶିଳ୍ପାଞ୍ଚଳ ତଥା ସୁକିନ୍ଦା ଖଣି ସମୃଦ୍ଧ ଅଞ୍ଚଳର ପଣ୍ୟ କାରବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଜାତୀୟ ଜଳପଥ-୫ର ବିକାଶ ନିମନ୍ତେ ରାଜ୍ୟ ସରକାର ପାରାଦ୍ୱୀପ ବନ୍ଦର ଟ୍ରଷ୍ଟ, ଧାମରା ବନ୍ଦର କର୍ତ୍ତୃପକ୍ଷ ଏବଂ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧୀକରଣଙ୍କ ସହ ବୁଝାମଣା ହୋଇଥିଲା । ସେସମୟରେ ପାରାଦୀପ ବନ୍ଦର ଚେୟାରମ୍ୟାମ୍ ସୁଧାଂଶୁ ମିଶ୍ର, ଧାମରା ବନ୍ଦର ସିଇଓ ସନ୍ତୋଷ ମହାପାତ୍ର, ଭାରତୀୟ ଆନ୍ତର୍ଦେଶୀୟ ଜଳପଥ ପ୍ରାଧୀକରଣ ଚେୟାରମ୍ୟାନ ଅଭିତାଭ ବର୍ମା, ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ବି ମାଥିବାଥନନ୍ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । 
ବୁଝାମଣା ଅନୁସାରେ ୨୦୦୦ହଜାର କୋଟି ଟଙ୍କା ବିନିଯୋଗରେ ବ୍ରାହ୍ମଣୀର ନିମ୍ନ ଅବବାହିକାରେ ଖନନ କରି ଜଳପଥରେ ବାଣିଜ୍ୟ କାରବାର ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରାଯିବ । ପଥମ ପର୍ଯ୍ୟାୟରେ ଯୋକଡିଆ-ପଙ୍କପାଳ ଠାରୁ (କଳିଙ୍ଗନଗର) ଧାମରା ଓ ପାରାଦ୍ୱୀପ ମୁହାଣ ପର୍ଯ୍ୟନ୍ତ ୨୦୧ କିମି ଦୂରତ୍ୱ ଶଯ୍ୟାକୁ ଖନନ କରାଯାଇ ପଣ୍ୟବାହୀ ପୋତ ଚଳାଚଳ କରାଯିବ । ପୋତ ଚଳାଚଳ ନିମନ୍ତେ ୩ ମିଟରରୁ ଊଦ୍ଧ୍ୱର୍ ଜଳ ରହିବାର ବ୍ୟବସ୍ଥା କରାଯିବ । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ୨୦୧୭ ମସିହାରେ ଶେଷ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଯୋକଡିଆ ପଙ୍କପାଳ-(କଳିଙ୍ଗନଗର) ଠାରୁ ତାଳଚେର୧୩୧ କିମି.ବ୍ରାହ୍ମଣୀ ଖନନ କରାଯାଇ ପଣ୍ୟବାହୀ ପୋତ ଚଳାଚଳ ପାଇଁ ଉପଯୋଗୀ କରାଯିବ । ବୁଝାମଣା ଅବସରରେ ଜଳ ପଥର ବିକାଶ ହେଲେ ଶିଳ୍ପ ସମୃଦ୍ଧ କଳିଙ୍ଗନଗର ତାଳଚେର, ଧାମରା ଓ ପାରାଦ୍ୱୀପ ମଧ୍ୟରେ ବିକଳ୍ପ ପରିବହନ ମାର୍ଗ ଖୋଲିଯିବ । ଜଳପଥରେ ପରିବହନ ଯୋଗୁଁ ପରିବେଷ ସୁରକ୍ଷିତ ରହିବା ସହିତ ପରିବହନ ଖର୍ଚ୍ଚ କମିଯିବ । ଯଦ୍ୱାରା ସଡକ ଓ ରେଳପଥ ଉପରୁ ଚାପ କମିଯିବ । ଜଳପଥର ବିକାଶ ପାଇଁ ଆବଶ୍ୟକ ଜମି ଓ ଅନ୍ୟାନ୍ୟ ମୈାଳିକ ସୁବିଧା ରାଜ୍ୟ ସରକାର ବିନା ମୂଲ୍ୟରେ ଯୋଗାଇ ଦେବେ । ସେସମୟରେ ଅନ୍ତର୍ଦେଶୀୟ ଜଳମାର୍ଗ ପ୍ରଧୀକରଣର ସୂଚନା ଥିଲା ତାଳଚେରରୁ ଧାମରା ଯାଏ ବ୍ରାହ୍ମଣୀ ବିଭିନ୍ନ ଖଣ୍ଡ ଜେନାପୁର ନିକଟ ଯୋକଡିଆରୁ ଆଳି ନିକଟବର୍ତ୍ତୀ ବାଜପଡା ଖଣ୍ଡ ଇଷ୍ଟକୋଷ୍ଟ କେନାଲ ଜିଓଁଖଲି ଠାରୁ ଚାରବାଟିଆ ଖଣ୍ଡ ମନ୍ତେଇ ନଦୀ ବ୍ରାହ୍ମଣୀ ଖରସ୍ରୋତା ଓ ବୈତରଣୀ ମିଳିତ ଜଳଧାରାକୁ ସଂଯୋଗ କରୁଥିବା ଅନ୍ୟାନ୍ୟ ନଦୀର ବିକାଶ କରାଯିବ । ବୁଝାମଣା ପତ୍ର ସ୍ୱାକ୍ଷରର ୫ ମାସ ମଧ୍ୟରେ ଜଳମାର୍ଗ ପ୍ରାଧିକରଣ ପ୍ରକଳ୍ପ ଯୋଜନା ଏବଂ ବ୍ୟୟ ଅଟକଳ ପ୍ରସ୍ତୁତ କରିବେ । ଏହାକୁ ମଞ୍ଜୁରୀ ମିଳିବାର ୩ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ । ଭାରତ ସରକାର ଆର୍ଥିକ ସହାୟତାରେ ଜଳମାର୍ଗର ବିକାଶ ନିମନ୍ତେ ନଦୀଶଯ୍ୟା ଖନନ (ଭ୍ରେଜିଂ) ନଦୀର ଗଭୀରତା, ପଣ୍ୟବାହୀ ପୋତ ଯିବା ଆସିବା ପାଇଁ ଜଳସ୍ତର ରକ୍ଷା, ଲକ୍ ନିର୍ମାଣ, ମାଲ ବୋଝେଇ ଓ ଖଲାସ ପାଇଁ ଜେଟି ନିର୍ମାଣ ଓ ନୈା-ପରିବହନ ପାଇଁ ଆବଶ୍ୟକ ଯନ୍ତ୍ରପାତି ସ୍ଥାପନ କରାଯିବ । ଏଥିପାଇଁ ଚୁକ୍ତିବଦ୍ଧ ପକ୍ଷ ଏକ ସ୍ୱତନ୍ତ୍ର ଉଦେ୍ଦଶ୍ୟ ସାଧନ କାରି କମ୍ପାନୀ ମାଧ୍ୟମରେ ଯୋକଡିଆଠାରେ ପଣ୍ୟ ଭଣ୍ଡାର (କାର୍ଗୋ ଟର୍ମିନାଲ) ପ୍ରତିଷ୍ଠା କରାଯିବ । ଏହାଦ୍ୱାରା ଶିଳ୍ପ ଓ ଖଣିଜ ସମୃଦ୍ଧ ବ୍ରାହ୍ମଣୀ ଉପତ୍ୟକା ଜଳପଥରେ ପାରାଦ୍ୱୀପ ଓ ଧାମରା ବନ୍ଦର ସହ ସଂଯୋଗ ହୋଇପାରିବ । କିନ୍ତୁ ଯଦି ଦେଖିବା ତେବେ ବୁଝମଣାକୁ ୧୧ବର୍ଷ ବିତିଯାଇଥିଲେ ବି କେବଳ ସର୍ଭେରେ ଅଟକିଛି ଜାତୀୟ ଜଳପଥ ବିକାଶ । ଏଣୁ ସାଧାରଣଙ୍କ ମନରେ ଯେଉଁ ପ୍ରଶ୍ନଟି ଉଠିଛି ତାହା ହେଲା ଜଳପଥରେ ବାଣିଜ୍ୟ କାରବାର ଲକ୍ଷ୍ୟ ସାକାର ହେବତ? ଜଳପଥ ବିକାଶକୁ ନେଇ ଏମୟୁ ହେବା ପରେ କାର୍ଯ୍ୟରେ କିନ୍ତୁ କୈାଣସି ଅଗ୍ରଗତି ଘଟିନଥିଲା । କାହିଁକି ଏବଂ କ’ଣ ପାଇଁ ତାହା ସାଧାରଣ ଜନତାଙ୍କ ପାଇଁ ପୁରାପୁରି ଅଜ୍ଞ ରହିଥିଲା । ଜଳପଥ ବିକାଶ ଏକ ଫମ୍ପା ମାଠିଆ ବୋଲି ସାଧାରଣତ ଲୋକେ ଧରି ନେଇଥିଲେ । କିନ୍ତୁ ଦୀର୍ଘ ୮ବର୍ଷ ପରେ ହଠାତ ଜଳପଥ ବିକାଶ କଥା ଲୋକଙ୍କ ମନକୁ ଆସିଥିଲା । କାରଣଟି ଥିଲା ୨୦୨୨ ଏପ୍ରିଲ ୨୪ରେ ଭାରତର ଅନ୍ତର୍ଦେଶୀୟ ଜଳପଥ ପ୍ରାଧୀକରଣ ଅଧ୍ୟକ୍ଷ ସଂଜୟ ବନେ୍ଦାପାଧ୍ୟାୟଙ୍କ ସଦସ୍ୟ ଆଶୁତୋଷ ଗୌତମ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ଅବବାହିକାର ମୁଖ୍ୟଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା, ନିଦେ୍ର୍ଦଶକ ପଦ୍ମଲୋଚନ ରାଉଳ, ଭୁବନେଶ୍ୱର କ୍ୱାଲିଟୀ କଣ୍ଟ୍ରୋଲର ଅଧ୍ୟକ୍ଷଣ ଯନ୍ତ୍ରୀ ଅବିନାଶ ରାଉଳଙ୍କ ନେତୃତ୍ୱରେ ଆଇଡବ୍ଲୁଆଇର ଭାଇସ ଚେୟାରମ୍ୟାନ, କର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ରସୁଲପୁର ବ୍ଳକର ଯେକଡ଼ିଆ, ଧର୍ମଶାଳା ବ୍ଳକର ଜେନାପୁର ଏବଂ ପଙ୍କପାଳ ଠାରେ ନିର୍ମାଣ ହେବାକୁ ଥିବା ପଣ୍ୟ ଭଣ୍ଡାର ଅଂଚଳ ପରିଦର୍ଶନ କରିଥିଲେ । ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ପରେ ଜଳପଥ ବିକାଶ ଆଗେଇବ ବୋଲି ଆଶା କରଯାଉଥିଲା । ହେଲେ ସେଭଳି କିଛି ଅଗ୍ରଗତି ଘଟିନଥିଲା । ହେଲେ ଜଳପଥ ବିକାଶ ନିମନ୍ତେ୍ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ଭେ ହେବା ଏବଂ ସର୍ଭେ ସମ୍ଭନ୍ଧୀୟ ବୋର୍ଡ ମରାଯିବା ପରେ ଲୋକଙ୍କ ମନରେ ଏକ ବିଶ୍ୱାସ ଜନ୍ମିଥିଲା । କିନ୍ତୁ ଏଯାବତ କାର୍ଯ୍ୟ ଅଗେଇ ନଥିବା ଦେଖିବାକୁ ମିଳିଛି । ଏନେଇ ଯୋକଡ଼ିଆ ଜଳ ସମ୍ପଦ ବିଭାଗ ଯନ୍ତ୍ରୀ ସୁବାସ ଚନ୍ଦ୍ର ସାହୁଙ୍କୁ ପଚାରିବରେ ସେ କୁହନ୍ତି ଯୋକଡ଼ିଆ ଠାରୁ ଧାମରା ପର୍ଯ୍ୟନ୍ତ ଜାତୀୟ ରାଜପଥ-୫ର ବିକାଶ କରାଯିବା ପାଇଁ ଗୌହାଟିର ଆଇଆଇଟିକୁ ସର୍ଭେ ପାଇଁ ଦିଆଯାଇଛି । ସର୍ଭେ କରି ଟେଣ୍ଡର ପ୍ରକ୍ରିୟା କରାଗଲେ ଜାତୀୟ ଜଳପଥ କାର୍ଯ୍ୟ ଆରମ୍ଭ ହେବ । ସ୍ଥାନୀୟ ଅଧିବାସୀ ତଥା ଶ୍ରୀବନ୍ତପୁରର ପୂର୍ବତନ ସମିତିସଭ୍ୟ ରବିନ୍ଦ୍ର ପ୍ରତିହାରୀ କହିଛନ୍ତି, ଉକ୍ତ ପ୍ରକଳ୍ପକୁ ‘ସାଗରମାଳା’ ପ୍ରକଳ୍ପ ଆଖ୍ୟା ଦିଆଯାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ଭେ ହୋଇ ବୋର୍ଡ ମରାଯାଇଛି । ଏଯାବତ୍ କାର୍ଯ୍ୟ କିନ୍ତୁ ଆରମ୍ଭ ହୋଇନାହିଁ । ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ କଳକାରଖାନାକୁ ପାଣି ଯୋଗାଣ ହେଉଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳ ଜଳକଷ୍ଟ ଭୋଗିବାର ଆଶଙ୍କା ଅଛି । ଯୋକଡ଼ିଆ ଠାରୁ ଧାମରା ପର୍ଯ୍ୟନ୍ତ ଜାତୀୟ ଜଳପଥ-୫ର ବିକାଶ ହେଲେ ସ୍ଥାନୀୟ ଅଂଚଳବାସୀ ଉପକୃତ ହେବା ସାଙ୍ଗକୁ ବାଲି ଓ ଜଳ ବେଆଇନ ଚାଲାଣ ରୋକା ଯାଇପାରିବ । ତେବେ ସରକାରଙ୍କ ଏହି ଜଳପଥ ବିକାଶ ବୁଝାମଣା ବାସ୍ତବତା ନେବ ନାଁ ନାହିଁ ତାହା କିନ୍ତୁ ଅନ୍ଧାରରେ ବାଡ଼ି ଖୋଜିବା ପରି ହୋଇଛି ।