ଦେଶରେ ମାଓ ନିପାତ ଅଭିଯାନ ସଫଳ ହେଉଛି
ରାଜ୍ୟ ସମେତ ସାରା ଦେଶରେ ମାଓବାଦ ହିଂସା କମିବାରେ ଲାଗିଛି । କେନ୍ଦ୍ର ଗୃହମନ୍ତ୍ରୀ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି, ୨୦୨୬ ସୁଦ୍ଧା ଭାରତ ମାଓବାଦ ମୁକ୍ତ ହେବ । ଏହି କ୍ରମରେ ସାରା ଦେଶରେ ମାଓ ପ୍ରଭାବିତ ଅଞ୍ଚଳଗୁଡିକରେ ମାଓ ଅପରେସନ ଜୋରଦାର କରାଯାଉଛି । ଏହା ଭିତରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ଏକ ୨୪ ପୃଷ୍ଟାର ବୁକଲେଟ୍ ଜାରି କରିଛି । ଏହି ବୁକଲେଟରେ ସ୍ପଷ୍ଟ କରାଯାଇଛି କି, ଗୋଟିଏ ବର୍ଷ ମଧ୍ୟରେ ୩୫୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।
ମୃତ ମାଓବାଦୀଙ୍କ ମଧ୍ୟରେ ୧୩୬ ଜଣ ମହିଳା ମାଓବାଦୀ ରହିଛନ୍ତି । ଏହାସହ ମୃତ ମାଓବାଦୀଙ୍କ ମଧ୍ୟରେ ୪ ଜଣ କେନ୍ଦ୍ରୀୟ କମିଟି ସଭ୍ୟ ଓ ୧୫ ଜଣ ରାଜ୍ୟ କମିଟି ସଭ୍ୟଙ୍କର ମୃତ୍ୟୁ ହୋଇଛି । ସବୁଠୁ ଅଧିକ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟର ୨୮୧ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ସରକାରଙ୍କ ଯୋଜନାବଦ୍ଧ ଆକ୍ରମଣ ଓ ସୁରକ୍ଷାବାହିନୀର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ଗୋଟିଏ ସପ୍ତାହ ଧରି ସହିଦ୍ ସପ୍ତାହ ପାଳନ କରିବ ମାଓ ସଂଗଠନ । ଏହାସହ ଏହି ବୁକଲେଟରେ ମାଓବାଦୀଙ୍କ ଆଗାମୀ ରଣନୀତି ସ୍ପଷ୍ଟ କରିଛି କମିଟି ।