ବେଲଗାମ ହେଉଛି ଭାରିଯାନ ଚଳାଚଳ : ୩ ମାସରେ ଗଲାଣି ୫ ଜୀବନ
ନୂଆପଡା: ନୂଆପଡ଼ା ସହରରେ ଦିନକୁ ଦିନ ଭାରୀଯାନ ଚଳାଚଳ ବେଲଗାମ ହେଉଛି । ଏମିତି ୩ ମାସରେ ବାଇକ ଦୁର୍ଘଟଣାରେ ୫ଜଣଙ୍କ ଜୀବନ ଚାଲିଯାଇଛି । ଅନ୍ୟପକ୍ଷେ ୧୮ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି । ଗତକାଲି ସ୍ଥାନୀୟ କୋର୍ଟ ସମ୍ମୁଖରେ ଜାତୀୟ ରାଜପଥ ଉପରେ ଏକ ବାଇକକୁ ଏକ ଟ୍ରକ ଧକ୍କା ଦେଇଥିଲା । ଏଥିରେ ସ୍ଥାନୀୟ ସିରତୋଲର ବାଇକ ଚାଳକ ରିତେଶ ମାଝି (୨୫)ଙ୍କ ମୃତୁ୍ୟ ହୋଇଛି । ଅନ୍ୟ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏଠି ଟ୍ରକର ମଝିରେ ବାଇକ ପଶି ଯିବାରୁ ଯୁବକଜଣକ ଟ୍ରାକ ଚାପାରେ ଜୀବନ ଚାଲିଯାଇଥିଲା । ସହର ମଝିରେ ଭାରୀଯାନ ଦ୍ରୁତଗତିରେ ଯାତାୟାତ କରୁଥିବାରୁ ଦୁର୍ଘଟଣା ଘଟିଥିବା ସହରବାସୀ ଅଭିଯୋଗ କରିଛନ୍ତି । ଗତ ମଇ ୨୦ରେ କୋମନା ଥାନା ଦର୍ଲିପଡ଼ା ପଞ୍ଚାୟତ ରେଙ୍ଗାବାହାଲ ଗାଁର ଛବିଲାଲ ସାହୁ ଓ ସ୍ତ୍ରୀ ରୁକ୍ମଣୀ ସାହୁ ଏକ ବାଇକରେ ଜୋଙ୍କ ଥାନା ଜଙ୍ଗୁଲା ଗାଁକୁ ଯାଉଥିଲେ । ରୁକ୍ମଣୀ ନିଜ ସ୍ୱାମୀ ସହ ହସଖୁସିରେ ମା' ଘରକୁ ଯାଉଥିଲେ । ଟ୍ରାଫିକ ଡେଇଁ ଖରିଆରରୋଡ଼ ପଟେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ସ୍ୱାମୀ ଓ ସ୍ତ୍ରୀ ରାଜପଥ ଉପରେ ଛଟିକି ପଡ଼ିଥିଲେ । ସେଠି ରୁକ୍ମଣୀଙ୍କ ମୁଣ୍ଡ ଓ ହାତ ଉପରେ ଟ୍ରକ ଚକ ଚଢିଯିବାରୁ ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିଲା । ସ୍ୱାମୀ ଗୁରୁତର ଆହତ ହୋଇଥିଲେ । ଗତ ଏପ୍ରିଲ ୨୦ରେ ନୂଆପଡ଼ା- ପତୋରା ନିର୍ମାଣାଧୂନ ରାସ୍ତାରେ ଗଡ଼ତୋର ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍କୁ ବାଇକ ସାଇଡ଼ ଦେଇଥିବାବେଳେ ଖାଲରେ ପଡିଯାଇଥିଲା । ଏହି ବାଇକ ଦୁର୍ଘଟଣାରେ ଧରମବନ୍ଧା ଥାନା ମୋହରାଡ଼ିହି ସୁପଲିଡୁଙ୍ଗୁରୀ ଗାଁର ଯୁବକଙ୍କ ମୃତୁ୍ୟ ହୋଇଥିଲା । ଏପ୍ରିଲ ୪ରେ ସ୍ଥାନୀୟ ସିଲଦା ନିକଟରେ ଏକ ଟ୍ରକକୁ ସାଇଡ଼ ଦେଉଥିବା ବେଳେ ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ମାଗୁରପାଣି ଗାଁର ଜୁନିୟର ଜାତୀୟ କବାଡ଼ି ଖେଳାଳି ଲାଲୁ ରାତଉଙ୍କ ମୃତୁ୍ୟ ହୋଇଥିଲା । ଏଥିରେ ଅନ୍ୟ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ମାର୍ଚ୍ଚ ୨ରେ ସ୍ଥାନୀୟ ଗଡ଼ତୋର ନିକଟରେ ପିକ୍?ଅପ ଭ୍ୟାନ ଓଲଟି ୧୩ଜଣ ଗୁରୁତର ଆହତ ହୋଇଥିଲେ । ଧରମବନ୍ଧା ଥାନା ଗିଧନିପାଣି ବାଂଜିପାଣି ଗାଁର ୨୫ରୁ ଊର୍ଦ୍ଧ୍ୱ ପୁରୁଷ, ମହିଳା ଓ ଶିଶୁ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଗୁର୍ଜିଭଟା ଗାଁକୁ ଏକୋଇସିଆ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ଏକ ପିକ୍ଅପ ଭ୍ୟାନରେ ଗାଁକୁ ଫେରୁଥିବା ବେଳେ, ଗଡ଼ତୋର ନିକଟରେ ଭାରସାମ୍ୟ ହରାଇ ଚାଷଜମିରେ ଓଲଟି ପଡିଥିଲା । ଏଭଳି ନୂଆପଡ଼ା ସହର ମଝିରେ ଦିନକୁ ଦିନ ଭାରୀଯାନ ବେଲଗାମ ହେଉଛି । ଭାରୀଯାନ ଦ୍ରୁତଗତିରେ ଯାତାୟାତ କରୁଥିବାରୁ ଦୁର୍ଘଟଣା ବଢିବାରେ ଲାଗିଛି । ଗତ ୩ମାସରେ ୫ଜଣଙ୍କ ମୃତୁ୍ୟ ହୋଇଥିବାବେଳେ, ୧୮ରୁ ଅଧୂକ ଲୋକେ ଗୁରୁତର ହୋଇଛନ୍ତି । ଏଣୁ ସହର ମଝିରେ ଭାରୀଯାନକୁ ନିୟନ୍ତ୍ରଣ କରିବା ଦିଗରେ ଜିଲ୍ଲା ଓ ପୁଲିସ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି ।