ଗୋଡ଼ ଓ ହାତରେ ପଡ଼ିଥିଲା ବେଡ଼ି
ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାରେ ମାମଲା ରୁଜୁ ନହୋଇ ଜଣେ ଯୁବକଙ୍କୁ ଦୁଇ ଦିନ ଥାନା ଭିତରେ ଗୋଡ଼ ଓ ହାତରେ ହ୍ୟାଣ୍ଡକପ୍ ପକାଇ ଥାନା ଅଧିକାରୀ ଅଟକ ରଖିଥିଲେ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ହସ୍ତକ୍ଷେପ କରିଛନ୍ତି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଥାନାରେ ପହଁଚି ବାଲେଶ୍ୱର ସାଂସଦ ପହଁଚି ସେ ଏସପିଙ୍କୁ ଭିଡିଓ କଲରେ ଦେଖାଇଥିଲେ । ପରେ ଥାନା ଅଧିକାରୀ ଯୁବକଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଅପରପକ୍ଷରେ କାର୍ଯ୍ୟରେ ଅବହେଳା ପାଇଁ ଡିଆଇଜି ଭୋଗରାଇ ଥାନା ଆଇଆଇସି ଶ୍ରୀବଲ୍ଳଭ ସାହୁଙ୍କୁ ନିଲମ୍ବିତ କରିଛନ୍ତି । ସୂଚନା ଅନୁଯାୟୀ, ବାଇକ୍ ଅଦଳବଦଳ ନେଇ ଭୋଗରାଇ ବ୍ଲକ ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳଙ୍କ ବିରୋଧରେ ବାରବାଟିଆ ଗ୍ରାମର ଜୟନ୍ତୀ ଦତ୍ତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କାର୍ତ୍ତିକଙ୍କୁ ଗତକାଲି ଭୋଗରାଇ ପୁଲିସ ଉଠାଇ ଆଣି ଥାନାରେ ହାତ ଓ ଗୋଡ଼ରେ ବେଡି ପକାଇ ଅଟକ ରଖିଥିଲେ । ମାତ୍ର ଦୁଇ ଦିନ ଧରି ଯୁବକଙ୍କୁ ଏମିତି ଘଟଣା ସଂପର୍କରେ ଖବର ପହଞ୍ଚିବା ପରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଭୋଗରାଇ ଥାନାକୁ ଆସି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିଥିଲେ ।
ଏହାକୁ ନେଇ ବାଲେଶ୍ୱର ଏସପିଙ୍କୁ ଭିଡିଓ କଲି ମାଧ୍ୟମରେ ଯୁବକଙ୍କ ହାତ ଗୋଡ଼ ବନ୍ଧା ଥିବା ଦେଖାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ । ଯୁବକଙ୍କ କହିବା ଅନୁଯାୟୀ, ଥାନା କର୍ମଚାରୀ ଅଟକ ଯୁବକଙ୍କୁ ପ୍ରବଳ ମାଡ଼ ମାରିବା ସହ ତାଙ୍କୁ କାଲିଠୁ ଗାଧୋଇବା ପାଇଁ ଦେଇନାହାନ୍ତି । ଭୋଗରାଇ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ଏସପିଙ୍କ ସହିତ ଯୋଗାଯୋଗ ପରେ ଅଟକ ଥିବା ଯୁବକଙ୍କୁ ମେଡ଼ିକାଲ ପାଇଁ ପଠାଇଛନ୍ତି । ହାତ ଓ ଗୋଡରେ ବେଡି ପକାଇବା ଘଟଣାକୁ ସାଂସଦ ନିନ୍ଦା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିବା ବେଳେ ଥାନାରେ କର୍ମଚାରୀ ଅଭାବରୁ ଏଭଳି ବେଡି ପକାଯାଇଛି ବୋଲି ଭୋଗରାଇ ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି । ଅପରପକ୍ଷରେ ସନ୍ଧ୍ୟା ସମୟରେ ଅତିରିକ୍ତ ଏସପି ଦେବଜ୍ୟାତି ଦାଶ, ଏସିଡିଓ ମାନସ କୁମାର ଦେଓ ଭୋଗରାଇ ଥାନାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।