ବୋଲବମ... ହର ହର ବମ ଧ୍ୱନିରେ କମ୍ପିବ ଶୈବପୀଠ

ବୋଲବମ... ହର ହର ବମ ଧ୍ୱନିରେ କମ୍ପିବ ଶୈବପୀଠ


 କଟକ : ଶ୍ରାବଣର ପ୍ରଥମ ସୋମବାରର ଅବସରରେ ଦେବଦେବ ମହାଦେବଙ୍କୁ ଜଳଲାଗି କରିବେ ଶିବଭକ୍ତ । ସେଥିପାଇଁ ଆଜିଠୁ କଟକର ଐତିହାସିକ ଗଡ଼ଗଡ଼ିଆ ଘାଟରୁ ଜଳ ନେଇ ରାଜ୍ୟର ବିଭିନ୍ନ ଶୈବାଳୟକୁ ଶିବଭକ୍ତ କାଉଡ଼ିଆମାନେ ଯାତ୍ରା ଆରମ୍ଭ କରିଛନ୍ତି । ବୋଲବମ.... ହରହର ବମ ଧ୍ୱନିରେ ପ୍ରକମ୍ପିତ ହେଉଛି ମହାନଦୀର ଗଡ଼ଗଡ଼ିଆ ଘାଟ । ମହାନଦୀରୁ ଜଳ ଆଣି, ବାଲିରେ ଶିବଲିଙ୍ଗ ଗଢ଼ି, ଫୁଲ ଚନ୍ଦନ ଧୂପ ଦୀପ ଦେଇ କାଉଡିଆମାନେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ଏହାପରେ କାନ୍ଧରେ ବାହୁଙ୍ଗୀ ଓ କଳସ ଧରି ରାଜ୍ୟର ବିଭିନ୍ନ ଶୈବାଳୟ ଅଭିମୁଖେ କାଉଡିଆମାନେ ଯାତ୍ରା ଆରମ୍ଭ କରିଛନ୍ତି । କିଏ ବାବା ଲିଙ୍ଗରାଜଙ୍କ ପାଖକୁ ଯାଉଛନ୍ତି ତ, ଆଉ କିଏ ଧବଳେଶ୍ୱରଙ୍କ ପାଖକୁ ଯାଉଛନ୍ତି । ଆଉ ଅନେକ ଭକ୍ତ ଲୋକନାଥ ଓ ଆରଡ଼ି ଭଳି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି । ମାସକ ଯାକ ସମସ୍ତ ରୀତିନିତି ଅନୁଯାୟୀ ଏହି ଶ୍ରାବଣମାସକୁ ବୋଲବମଧାରୀ ପାଳିବେ । ପ୍ରଥମ ସୋମବାର ଜୁଲାଇ ୧୪ରେ ଥିବାବେଳେ, ଏଥିପାଇଁ ଗଡ଼ଗଡ଼ିଆ ଘାଟ ବେଶ ଚଳଚଞ୍ଚଳ ହୋଇଉଠିଥିଲା । ସକାଳୁ କାଉଡିଆମନେ ଗଡ଼ଗଡ଼ିଆ ଘାଟରେ ନଦୀରୁ କଳସରେ ଜଳ ନେଇ ପୂଜାର୍ଚ୍ଚନା କରି କାନ୍ଧରେ ବାହୁଙ୍ଗୀ ରଖି ନିଜ ମାନସିକ ଅନୁଯାୟୀ ଶୈବପୀଠ ଅଭିମୁଖେ ବାହାରିଛନ୍ତି । ପୌରାଣିକ ମତ ଅନୁଯାୟୀ, ଏହି ଗଡ଼ଗଡ଼ିଆ ଘାଟ ସହିତ ପ୍ରଭୁ ଚୈତନ୍ୟଙ୍କ ସଂପର୍କ ରହିଛି । ଗଡ଼ଗଡ଼ିଆ ଘାଟରୁ ପାଣି ନେଇ ଗଡ଼ଗଡ଼େଶ୍ୱରଙ୍କ ନିକଟରେ ସଂକଳ୍ପ କଲେ କାଉଡିଆଧାରୀ ଭକ୍ତଙ୍କ କଷ୍ଟ ଲାଘବ ହେବା ସହିତ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ସକାଳ ୫ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ଘାଟ କୂଳରେ ଥିବା ଅସ୍ଥାୟୀ କ୍ୟାମ୍ପରେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ଏହାଛଡ଼ା କାଉଡିଆମାନଙ୍କ ପାଇଁ କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି । ଅପର ପକ୍ଷରେ କାଉଡିଆଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ଓ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । କଟକ ସହରରେ କାଉଡିଆମାନେ ଯିବା ଆସିବା ବାଟରେ ମୋବାଇଲ ପାଟ୍ରୋଲିଙ୍ଗ ଟିମ ଓ ପିସିଆର ରଖାଯାଇଛି । 
ଭୁବନେଶ୍ୱର : ଶ୍ରାବଣ ମାସକୁ ପୁନ୍ୟ ମାସ ଭାବେ ଗଣନା କରାଯାଏ  । ଏହିଦିନ ମାନସିକ ଧାରୀ ଶିବ ଭକ୍ତ କାନ୍ଧରେ କାଉଡି ନେଇ ତୁଠରୁ ଜଳନେଇ  ପାଦରେ ଚାଲିଚାଲି ମହାପ୍ରଭୁଙ୍କୁ ଜଳଲାଗି କରିଥାନ୍ତି  । ଏହାକୁ ଦୃଷ୍ଟିରେ ରଖି ଲିଙ୍ଗରାଜ ମନ୍ଦିର ସମେତ, ବିଶେଶ୍ୱର ମନ୍ଦିର, ଗଣ୍ଡମୁଣ୍ଡା ମହାକାଲେଶ୍ୱର ମନ୍ଦିର, ସିଦେ୍ଧଶ୍ୱର ମହାଦେବ ମନ୍ଦିର ଏବଂ ଏକାମ୍ର କ୍ଷେତ୍ରର ସମସ୍ତ ଶୈବପୀଠରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି କରାଯାଇଛି  । ସୋମବାର ସକାଳୁ ମହାଦେବଙ୍କର ଦୈନଦିନ ନୀତିକାନ୍ତି ସରିଲା ପରେ କାଉଡିଆ ଏବଂ ଭକ୍ତ ଦର୍ଶନ କରିପାରିବେ  । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟପକ ସୁରକ୍ଷା ବ୍ୟବସ୍ଥା ଗ୍ରହର କରାଯାଇଛି  ।
ଆସିକା: ଆଜିଠୁ ଆରମ୍ଭ ପବିତ୍ର ଶ୍ରାବଣ ସୋମବାର  । ସବୁଠି ବୋଲବମ ହର ହର ବମରେ ସମସ୍ତ ଘାଟ ଉଠୁଛି ପଡୁଛି  । ପବିତ୍ର ଶ୍ରାବଣ ସୋମବାର ରେ ଶିବ ମନ୍ଦିର ରେ ଜଳ ଅଭିଷେକ ପାଇଁ ଋଷିକୂଲ୍ୟା ନଦୀରେ କାଉଡିଆଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି  । ଆଜି ଋଷିକୂଲ୍ୟା- ବଡ଼ ନଦୀ ସଂଗମ ସ୍ଥଳ ଦୋ-ମୁହାଣୀ, ତ୍ରିବିଧେଶ୍ୱେର ମନ୍ଦିର ଘାଟ, ସୁବନେଶ୍ୱର ନଦୀ ଘାଟ, ପିତଳ ନଦୀ ଘାଟ ମାନଙ୍କରେ କାଉଡିଆ ମାନେ ଏକତ୍ରିତ ହୋଇ ପଣ୍ଡିତ ମାନଙ୍କ ଦ୍ୱାରା ପୂଜା ପାଠ କରିଥିଲେ  । ନୂତନ ଗେରୁଆ, କଳା, ଧଳା ରଙ୍ଗର ବସ୍ତ୍ର ପରିଧାନ କରି ଖାନ୍ଧରେ ବାହୁଙ୍ଗୀ ଧରି ଖାଲିପାଦରେ ନିଜର ମାନସିକ ଧାରଣ କରି ବିଭିନ୍ନ  ଶୈବ ପୀଠ ଅଭିମୁଖେ ଯାତ୍ରା କରନ୍ତି  । ଦିନ ରାତ୍ରକୁ ଏକ କରି ଭୋଲ ବମ, ହରହର ବମ ଧ୍ୱନୀରେ ରାସ୍ତା ସାରା ଯାତ୍ରା କରନ୍ତି  । ସୋମବାର ଦିନ ବାହୁଙ୍ଗୀରେ ନେଇଥିବା ଜଳକୁ ଶିବ ଲିଙ୍ଗରେ ଲାଗି କରି ନିଜ ନିଜ ଘରକୁ ଫେରି ଥାନ୍ତି  ।
କପିଳାସ ଅଭିମୁଖେ କାଉଡିଆ
ଢେଙ୍କାନାଳ: ଶ୍ରାବଣ ମାସର ପ୍ରଥମ  ସୋମବାରରେ ଜଳ ଲାଗି ପାଇଁ ଶୈବପୀଠ ଅଭିମୁଖେ କାଉଡ଼ିଆମାନେ  ଯାତ୍ରା କରିଛନ୍ତି । ଶହ ଶହ କାଉଡ଼ିଆ  ରବିବାର ବିଭିନ୍ନ ଗ୍ରାମର ବ୍ରାହ୍ମଣୀ ନଦୀ କୁଳରେ ପୂଜାର୍ଚ୍ଚନା କରି ପାଣିଭାର ଉଠାଇ କପିଳାସର ବାବା ଶ୍ରୀ ଶ୍ରୀ ଚଦ୍ରେଶଖର ଜୀଉଙ୍କ ସମେତ  କରମୂଳ ଗୌଡ଼େଶ୍ୱର,         ନାଗନାଥେଶ୍ୱର, ଭୋଳେଶ୍ୱର  ଉର୍ନ୍ନକୋଟିଶ୍ୱର ଆଦି ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ବିଶେଷ କରି ଶହ ଶହ ସଂଖ୍ୟାରେ କାଉଡ଼ିଆ କପିଳାସ ମୁହାଁ  ହୋଇଛନ୍ତି  । ଢେଙ୍କାନାଳ କପିଳାସ ରାସ୍ତାରେ ଏହି  କାଉଡ଼ିଆମାନେ ପାଦରେ ଚାଲି ଚାଲି ଯାଉଥୁବା ବେଳେ ଅପରପାଶ୍ୱ ଯାଜପୁର, ଚଣ୍ଡିଖୋଲରୁ ନିହଲପ୍ରସାଦ, ଭୁବନ ଦେଇ ହଜାର ହଜାର ଶ୍ରଦ୍ଧାଳୁ କପିଳାସ ପୀଠକୁ ଆସୁଥିବା  ଜଣାପଡ଼ିଛି  । ସେହିପରି କଟକ ଗଡ଼ଗଡିଆ ଘାଟରୁ ଶୁକ୍ରବାର ଓ ଶନିବାର ଠାରୁ ଶହ ଶହ କାଉଡିଆ ଜାତୀୟ ରାଜପଥ ଦେଇ କପିଳାସ ଅଭିମୁଖେ ବାହାରିଛନ୍ତି  । ସଂଧ୍ୟା ସୁଦ୍ଧା କପିଳାସ ପୀଠ ଉପରେ ଓ ପାହାଚ ତଳେ ପ୍ରାୟ ୫ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇସାରିଲାଣି  । ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି  ।