ବ୍ଲକ ଉପରେ ସୁକିନ୍ଦା ବିଜେପିର ଆଖି: ମଙ୍ଗ ଧରିଛନ୍ତି ଜିଲାପରିଷଦ ସଭ୍ୟ
ଯାଜପୁର: କ୍ଷମତାକୁ ଆସିବା ପରେ ସୁକିନ୍ଦା ବିଜେପି ଖଣି ଅଞ୍ଚଳରେ ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘକୁ ଦୁର୍ବଳ କରି ନୂଆକରି ଗଠିତ ଶ୍ରମିକ ସଂଗଠନକୁ ସବଳ କରିବାକୁ ଲାଗିପଡ଼ିଛି । ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ପରାମର୍ଶରେ ଚାଲିଥିବା ଓଡ଼ିଶା ମାଇନିଂ ୱାର୍କସ ୟୁନିୟନ ଖଣି ଅଂଚଳରେ ନିଜର ପ୍ରଭାବ ବିସ୍ତାର କେତେ କରିଛି ନକରିଛି, ତାହା ଭବିଷ୍ୟତ କହିବ, ହେଲେ ସୁକିନ୍ଦା ବିଜେପି ବ୍ଲକ ଉପରେ ଆଖି ପକାଇବା ଆରମ୍ଭ କରିଛି ।
ଗୋଳମାଳିଆ କରି ଅଧିନକୁ ବ୍ଲକ ଆଣିବାକୁ ଭିତିରି ଚେଷ୍ଟା ଆରମ୍ଭ ହୋଇଯାଇଥିବା ବେଳେ ଏହାର ମଙ୍ଗ ଶଙ୍ଖରୁ ବିଜୟି ହୋଇ ବିଜେପିକୁ ଲମ୍ପମାରିଥିବା ଜଣେ ଜିଲା ପରିଷଦ ସଭ୍ୟ ଧରିଛନ୍ତି । ଯାହା ସହଜ ବ୍ୟାପାର ହୋଇନଥିଲେ ହେଁ ସଂପୃକ୍ତ ଜିଲା ପରିଷଦ ସଭ୍ୟ ବ୍ଲକ ପ୍ରଥମେ ଗୋଳମାଳିଆ କରିବାକୁ ଗୋଟି ଚାଳନା ଆରମ୍ଭ କରି ଦେଇଛନ୍ତି । ଏକଥା ଜାଣିବା ପରେ ବ୍ଲକ ସମ୍ଭାଳୁଥିବା ବିଜେଡ଼ି ନେତା ଗୋଳମାଳରେ ସାମିଲ ପଂଚାୟତ ପ୍ରତିନିଧିଙ୍କ ନିକଟରେ ପହଁଚି ମନାଇବା ସହ ନିଜ ପକ୍ଷକୁ ନେଇଛନ୍ତି । ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ଖବର ମତେ ଗଲା ଦୁଇଦିନ ତଳେ ଜିଲା ପରିଷଦ ସଭ୍ୟ ୯ଜଣ ବିଜେଡ଼ି ସମର୍ଥôତ ସମିତିସଭ୍ୟଙ୍କ ସହ କଳିଙ୍ଗନଗର ଶିଳ୍ପାଂଚଳରେ ଥିବା ଏକ ହୋଟେଲରେ ଏକାଠି ହୋଇଥିଲେ । ଜିଲା ପରିଷଦସଭ୍ୟ ଏବଂ ସମିତିସଭ୍ୟ ହୋଟେଲରେ ଦୀର୍ଘସମୟ ଧରି ବ୍ଲକ ଗୋଳମାଳିଆ ଉପରେ ଆଲୋଚନା କରିଥିଲେ । ହେଲେ ଏକଥା ବିଜେଡ଼ି ଶିବିରରେ କୈାଣସି ସୂତ୍ରରୁ ପହଁଚି ଯାଇଥିଲା । ଆଉ ବ୍ଲକ ସମ୍ଭାଳୁଥିବା ବିଜେଡ଼ି ନେତା ଜିଲାପରିଷଦ ସଭ୍ୟଙ୍କ ସହ ହେଟେଲରେ ମନ୍ତ୍ରଣା କରିଥିବା ସମିତିସଭ୍ୟଙ୍କ ସହ ଯୋଗା ଯୋଗ କରିଥିଲେ । ଘରକୁ ଘର ଯାଇ ପହଁଚି ବିଜେଡ଼ି ନେତା ସମିତିସଭ୍ୟଙ୍କୁ ମନାଇବା ସହ ନିଜ ପାଲାରେ ରଖିବାକୁ ସମର୍ଥ ହୋଇଥିଲେ । ଫଳରେ ଜିଲା ପରିଷଦସଭ୍ୟ କରିଥିବା ଉଦ୍ୟମ ଆରମ୍ଭରୁ ଭଣ୍ଡୁର ହୋଇଯାଇଥିଲା । ଖଣି ପରେ ବ୍ଲକ ଗୋଳମାଳ କରିବାକୁ ସୁକିନ୍ଦା ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମରେ ବ୍ରେକ ଲାଗିବ ବୋଲି କୁହାଯାଇପାରିବନି । ଗୋଳମାଳ ଅଭିଯାନ ସଫଳ ହେବ କି ନାହିଁ ତାହାତ ସମୟ କହିବ, କିନ୍ତୁ ଏହା ସୁକିନ୍ଦା ବିଜେଡ଼ି ପାଇଁ ଏକ ସତର୍କ ଘଂଟି ବୋଲି କୁହାଯାଇପାରେ ।