ପ୍ରଶାସନ ପାଖରେ ଅଛି ତ ଖବର? ଚୁଆ ପାଣି ଭରସାରେ ସାରଙ୍ଗପୁର ହଟିଂ ବାସିନ୍ଦା
ଦାନଗଦୀ : ସାରଙ୍ଗପୁର ପଞ୍ଚାୟତର ଏକ ସାହି ହେଲା ସାନର୍ଗଳା । ବସ୍ତିଟି ଦାନଗଦୀରୁ ଡୁବୁରୀ ଯିବା ରାଜରାସ୍ତାର ପାର୍ଶ୍ୱରେ ନୀଳାଚଳ କାରଖାନା ପାଚେରୀ ପାଖ ସାରଙ୍ଗପୁର ଗାଁକୁ ଯିବା ରାସ୍ତା ପାର୍ଶ୍ୱରେ ଅବସ୍ଥିତ । ନବେ ଦଶକରେ ଯେତେ ବେଳେ କଳିଙ୍ଗନଗରରେ ଶିଳ୍ପପତିଙ୍କ ପାଦ ପଡ଼ିଲା ସେତେ ବେଳେ ସୁଦୂର ଝାଡ଼ଖଣ୍ଡ, ମୟୁରଭଞ୍ଜ, ବାରିପଦା, କେନ୍ଦୁଝର ଅଂଚଳରୁ କାମଧନ୍ଦା ଉଦେଶ୍ୟରେ ଆଦିବାସୀ ଜନଜାତିର ପରିବାର ଏଠାକୁ ଆସି ଇଡ଼ିକୋ ଜମିକୁ ଜବର ଦଖଲ କରି ଛୋଟଛୋଟ କୁଡ଼ିଆ କରି, ପଲ୍ଲା ମାରି ରହିଲେ । ଗୋଟେ ଦୁଇଟା କୁଡ଼ିଆରୁ ଧୀରେ ଧୀରେ ସେମାନଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଲା । ସେତେବେଳେ ଏହାର ନାଁ ଥିଲା ସାରଙ୍ଗପୁର ହଟିଂ । ଲୋକମାନେ ଧିରେ ଧିରେ ସେମାନଙ୍କ ସମ୍ପର୍କୀୟ ବନ୍ଧୁ ବାନ୍ଧବଙ୍କୁ ଡାକି ଧିରେ ଧିରେ ଏକର ଏକର ଇଡ଼ିକୋ ଜମି ମାଡି ବସି ନିଜର କାୟା ବିସ୍ତାର ସହ ସ୍ଥାନୀୟ ବାସିନ୍ଦା ବୋଲି ଦାବି କଲେ । କିଛି କୁଜିନେତା ଓ ନେତା ନିଜର ଭୋଟ ବ୍ୟାଙ୍କ ବୃଦ୍ଧି କରିବା ପାଇଁ ନିଜର ସ୍ୱାର୍ଥ ପାଇଁ ଏହି ହଟିଂ ବାସିନ୍ଦାଙ୍କର ଆଧାରକାର୍ଡ କରିଦେଲେ । ଧିରେ ଧିରେ ଭୋଟର ପରିଚୟ ପତ୍ର କରିଦେଲେ । ଏହାପରେ ଏହି ହଟିଂର ନାଁ ଏବେ ହୋଇଗଲା ସାନର୍ଗଳା ସାହି । ୱାର୍ଡ ନମ୍ବର ୯ ଓ ୧୦ର ବାସିନ୍ଦା, ବଡ଼ ଦୁଃଖର କଥା ଏହି ସାହିରେ ଏବେ ୧୫୦ରୁ ଅଧିକ ପରିବାର ରହୁଥିବା ବେଳେ, ଲୋକସଂଖ୍ୟା ହଜାରରୁ ଅଧିକ ହେବ । ଏହି ବସ୍ତି ବାସିନ୍ଦ ମାନେ ତାଙ୍କ ସାହି ପାଖରେ ଥିବା ଏକ ଚୁଆରୁ ଦୈନିକ ପିଇବା ପାଇଁ ପାଣି ନିଅନ୍ତି । କାଳ କ୍ରମେ ଦୁଇଟା ନଳକୂଅ ଏହି ସାହିରେ ଥିଲେ ସୁଦ୍ଧା ସେହି ନଳକୂଅର ପାଣି ଲୌହ ଯୁକ୍ତ ଭଲ ଲାଗୁନାହିଁ ବୋଲି ପିଅନ୍ତି ନାହିଁ । ଏତେ ସଂଖ୍ୟକ ଲୋକେ ବାହାରେ ମଳତ୍ୟାଗ କରନ୍ତି ।
ନାଳରେ ଗାଧୁଆ ପାଧୁଆ କରନ୍ତି । ଛୋଟ ଛୋଟ ଶିଶୁ ମାନେ ସାରଙ୍ଗପୁର ଗାଁକୁ ଯିବା ରାସ୍ତା କଡ଼ରେ ମଳ ତ୍ୟାଗ କରିବା ସହ ଝିପି ଝିପି ବର୍ଷାରେ ସନ୍ତସନ୍ତିଆ, ଅନାବନା ଘାସ ପୂର୍ଣ୍ଣ ପରିବେଶରେ ରୁହନ୍ତି । ଛୋଟଛୋଟ କୁଡ଼ିଆପରି ଘର ସେଗୁଡିକ ପୁଣି ଲାଗି ଲାଗି ହୋଇଛି । ବସ୍ତିଟିରେ ମଶା ମାଛି ଭଣ ଭଣ ଅପରିଷ୍କାର ପରିବେଶ । କିଛି ପରିବାର ଘୁଷୁରୀ ରଖିଛନ୍ତି ଓ ପ୍ରାୟ ସମସ୍ତେ ଦେଶୀ ମଦ ଓ ହାଣ୍ଡିଆ ବିକ୍ରି କରିଥାନ୍ତି । ହାଣ୍ଡିଆରୁ ବାହାରୁ ଥିବା ପଚା ଭାତକୁ ବାହାରେ ପକାଇ ଦିଅନ୍ତି । ଯାହାଫଳରେ ବର୍ଷା ଦିନେ ପଚି ଜୀବାଣୁ ହେବା ସହ ଦୁର୍ଗନ୍ଧ ହୁଏ । ଏହି ରାସ୍ତା ଦେଇ ଲୋକମାନେ ଯିବା ଆସିବା କଲାବେଳେ ପଚା ଦୁର୍ଗନ୍ଧ ହୁଏ,ଏହି ସାହି ପାଇଁ ସରକାରୀ ସୁବିଧା ଆସୁଥିବା ବେଳେ ଏମାନେ ପ୍ରାୟତଃ ସବୁଥିରୁ ବଂଚିତ ହୁଅନ୍ତି, ଛୋଟ ଛୋଟ ମାଟି କାନ୍ଥରେ ହୋଇଥିବା ଘର ଉପରେ ଛଣ ଅଭାବରୁ ଆଜେବେଷ୍ଟ ପକାଇ ବସ୍ୱାସ କରନ୍ତି ଏହି ସାହି ବାସିନ୍ଦା, ତେଣୁ ସାରଙ୍ଗପୁର ନାଳକୁ ଏହି ବସ୍ତି ବାସିନ୍ଦା ବ୍ୟବହାର କରୁଥିବା ବେଳେ ପ୍ରଦୂଷିତ କରୁଛନ୍ତି । ସାହି ଯାକର ଅଳିଆ ଆବର୍ଜନା ଗଦା କରି ପରିବେଶ କିପରି ସ୍ୱଚ୍ଛ ରହିବ ସେଥି ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ସ୍ୱଚ୍ଛଭାରତ ମିଶନର ବସ୍ତି ପରିମଳ ବ୍ୟବସ୍ଥା ଏଠି ବାଟ ହୁଡୁଛି । ଜିଲ୍ଲା ସାରା ଝାଡାବାନ୍ତି ବ୍ୟାପୀବାରେ ଲାଗିଛି । ତେଣୁ ଏହି ଜନଜାତି ବସ୍ତିଟି ଶିଳ୍ପ କାରଖାନା ପାଚେରୀ ପାଖରେ ଏପରି ଅନ୍ଧାର ଓ ଦୃଷ୍ଟି ଆଢୁଆଳରେ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଶାସନ ଏହି ବସ୍ତିଟି ପ୍ରତି ଦୃଷ୍ଟି ଦେଇ କିପରି ସେମାନଙ୍କୁ ସଚେତନତା କରିବା ନିହାତି ଆବଶ୍ୟକ ହୋଇ ପଡିଛି । ନଚେତ ଆଗାମୀ ଦିନରେ ଏଠି ମଧ୍ୟ ଡ଼ାଇରିଆ ପରି ଅନେକ ରୋଗ ସୃଷ୍ଟି ହୋଇ ବ୍ୟାପି ପାରେ । ଯାହାକୁ ରୋକିବା ପ୍ରଶାସନ ପାଇଁ ସହଜ ବ୍ୟାପାର ହେବନି ।