ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ପାଣିକୋଇଲି: ମା’ତାରିଣୀ ମହାବିଦ୍ୟାଳୟ ପରିସରରେ କୋରେଇ ପଞ୍ଚାୟତ ସମିତି ଆନୁକୂଲ୍ୟରେ ବ୍ଲକ୍ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ଅବନୀକାନ୍ତ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଶିବିରରେ ଶତାଧିକ ଅଧିକାରୀ କର୍ମଚାରୀ ନିୟୋଜିତ ହୋଇଥିଲେ । ଶିବିରରେ ମୋଟ ୭୦୬ ଜଣ ଭିନ୍ନକ୍ଷମ ପଞ୍ଜିିକୃତ କରିଥିଲେ । ଅସ୍ଥିଶଲ୍ୟ ବିଭାଗରେ ୩୧୫ ଜଣ, ଆଖି ବିଭାଗରେ ୯୫ଜଣ, କାନ ବିଭାଗରେ ୧୪୫ଜଣ, ମାନସିକ ବିକୃତ ବିଭାଗରେ ୧୨୪ଜଣ ଓ ଭେଷଜ ବିଭାଗରେ ୧୬ ଜଣ ଭିନ୍ନକ୍ଷମଙ୍କ ନାମ ପଞ୍ଜିକୃତ କରିଥିଲେ । ସେହିପରି ଏହି ଶିବିର ମାଧ୍ୟମରେ ୧୨ଜଣଙ୍କୁ ହି୍ୱଲଚେୟାର, ୧ଜଣଙ୍କୁ ଶ୍ରବଣ ଯନ୍ତ୍ର, ୨୭ ଜଣଙ୍କୁ ପେନ୍ସନ୍, ୪ଜଣଙ୍କୁ ବସ୍ ପାସ୍ ଓ ୪ଜଣ ଛାତ୍ରଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା । ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, କୋରେଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ଜୟନ୍ତୀ ଦଳେଇଙ୍କ ସମେତ ଜନପ୍ରତିନିଧି, ରାଜନେତା, ସମାଜସେବୀ ପ୍ରମୁଖ ଯୋଗଦେଇଥିଲେ । ପୁରୁଣା ହାତଲେଖା ପ୍ରମାଣପତ୍ର ବଦଳରେ ନୂତନ ଭାବେ ଡିଜିଟାଲ ପ୍ରମାଣପତ୍ର ଯୋଗାଯାଇଥିଲା । ଅପରପକ୍ଷେ ସବୁଠୁ ଅଧିକ ରୋଗୀ ଅସ୍ଥିଶଲ୍ୟ ବିଭାଗରେ ଆସିଥିବା ବେଳେ ସେମାନଙ୍କ ପାଇଁ ମାତ୍ର ଜଣେ ଡାକ୍ତର ନିଯୁକ୍ତ ଥିଲେ । ଫଳରେ ସେହି ଶିବିରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଠେଲାପେଲା ମଧ୍ୟରେ କିଛି ଭିନ୍ନକ୍ଷମ ଡାକ୍ତର ଦେଖାଇ ନପାରି ଫେରିଯାଇଥିବା ଦେଖିବାକୁ ମିଳିଥିଲା ।