ମାଟି ମାଫିଆଙ୍କ କବଳରେ ନଦୀପଠା ଓ ଗୋଚର: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ?
ବିଞ୍ଝାରପୁର: ବିଞ୍ଝାରପୁରରେ ସକ୍ରିୟ ହୋଇପଡ଼ିଥିବା ମାଟି ମାଫିଆ ନଦୀପଠା ଓ ଗୋଚରକୁ କବଳିତ କରିଛନ୍ତି । ବେଫିକର ଭାବେ ନଦୀପଠା, ଗୋଚର ଆଉ ସରକାରୀ ଜମିରୁ ଟ୍ରିପଟ୍ରିପ ମାଟି ଲୁଟିବାରେ ଲାଗିଛନ୍ତି । ମାଟି ଆବଶ୍ୟକତା ଥିବା ଠିକାସଂସ୍ଥା ଓ ବ୍ୟକ୍ତିଗତ କିଛି ଲୋକଙ୍କ ଆବଶ୍ୟକ ମୁତାବକ ମାଫିଆମାନେ ଚଢ଼ାଦରରେ ମାଟି ବିକ୍ରି କରୁଛନ୍ତି । ବିଶେଷ କରି ଖରସ୍ରୋତା ନଦୀ ପଠା ଏମାନଙ୍କୁ ବେସ ସୁହାଇଛି । ସୟଦପୁର, ବିଞ୍ଝାରପୁର, କଲ୍ୟାଣପୁର, ବଗମରା, ଧରମପୁର ନଦୀପଠା ରହିଛି ଏମାଙ୍କ କବଜାରେ ବୋଲି ଚର୍ଚ୍ଚା ହେଉଛି । ସର୍କଲ ରାଜସ୍ୱ କାର୍ଯ୍ୟାଳୟ କିଛି କର୍ମଚାରୀଙ୍କୁ ହାତକରି ମାଫିଆ ମେସିନ ସାହାଯ୍ୟରେଟ୍ରିପ ଟ୍ରିପ ମାଟି ବେପାର କରୁଥିବା ବେଳେ ଏହା ଭିତରେ ରହିଛି କିଛି ଇଟା ବେପାରି ଇଟା ଭାଟି କରିବାରେ ଲାଗିଛନ୍ତି । କେହି ଅଧିକାରୀଙ୍କୁ ସୂଚନା ଦେଲେ ଅଧିକାରୀ ଚଢ଼ଉ ପୂର୍ବରୁ ଆଗ ମାଫିଆଙ୍କୁ ସତର୍କ କରି ଖସାଇ ଦେଉଥିବା ଅଭିଯୋଗ ହେଉଛି । କେବଳ ତହସିଲଦାର ଓ ଜିଲ୍ଲାଖଣି ଅଧିକାରୀ ନିଜ କାର୍ଯ୍ୟର ସମ୍ମାନ ଓ ଗାରିମା ବଜାଇ ରଖିବା ପାଇଁ ଚଢ଼ାଉ କରିଥାଆନ୍ତି । ଯାହା କେବଳ ଧର୍ମକୁ ଆଖିଠାର ଭଳି ବୋଲି ଅଭିଯୋଗ ହୋଇଆସୁଛି । ସେହିପରି ଗୁହାଳି, ଘଂଟିଆଳି ଓ ଅରେଇ ରାଜସ୍ୱ ମୌଜାରେ ସରକାରୀ ଓ ବେସରକାରୀ ଜମିରୁ ଦିନ ରାତି ହରଦମ ଚାଲିଛି ମଟି ବେପାର । ବିଞ୍ଝାରପୁରରେ ତହସିଲଦାର ପଦବୀ ଖାଲି ପଡିଥିବା ବେଳେ ଅତିରିକ୍ତ ତହସିଲଦାର ଏହି ଦାଇତ୍ୱରେ ଥିଲେ ହେଁ, ଅଭିଯୋଗ ଶୁଣିବା ଦୂରର କଥା ନିଜେ ଅଫିସ ଛାଡି ଯାଉ ନାହାଁନ୍ତି କି ରାଜସ୍ୱ ନିରୀକ୍ଷକ ଚଢାଉ ପାଇଁ ଆଗଭର ହେଉଛନ୍ତି । ଏପଟେ ଏସବୁ ସରକାର ଖଣି ବିଭାଗ ହସ୍ତାନ୍ତର କରିଦେଇଥିବା ବେଳେ ତହସିଲର କାମ ନୁହଁ ବୋଲି କହିଏଡାଇ ଦେଉଥିବା ବେଳେ ଖଣି ଅଧିକାରୀ ସବୁ କାର୍ଯ୍ୟ କାଗଜ କଲମରେ ସୀମିତ ରଖୁଛନ୍ତି । ଏସମ୍ପର୍କରେ ବାରମ୍ବାର ଜିଲ୍ଲାଖଣି ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଫୋନ ଉଠାଇ ନଥିଲେ । ଲାଗୁଛି ମାଟି ଆଉ ଇଟା ମାଫିଆଙ୍କ ନିକଟରେ ବନ୍ଧା ପଡିଛି ଖଣି ଓ ରାଜସ୍ୱ ବିଭାଗ । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।