ବ୍ୟାଙ୍କ ଠକେଇ ମାମଲା : ସୁବ୍ରତଙ୍କୁ ଗିରଫ କଲା ଇଓଡବ୍ଲୁ୍ୟ
ଖୋର୍ଦ୍ଧା : ବ୍ୟାଙ୍କରେ ଜାଲ କାଗଜପତ୍ର ଜମାଦେଇ ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିନେଇ ଇଓଡବ୍ଲୁ ଦ୍ୱାରା ସୁବ୍ରତ କୁମାର ନାୟକ ଗିରଫ ହେବା ପରେ ତାଙ୍କ ସହଯୋଗୀ ମାନଙ୍କ ମଧ୍ୟରେ ଛନକା ପଶିଛି । ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଅନେକ ଗୁଡିଏ କଳା ମୁଗୁନି ପଥର ଖଣି ରହିଛି । ସେଥି ମଧ୍ୟ ରୁ ଦୁଇଟି ଖଣିକୁ ଶ୍ରୀ ମନ୍ଦିର ପ୍ରଶାସନ ନିକଟରୁ ସୁବ୍ରତ ନିଲାମ ନେଇଥିବା ବେଳେ ଗୋଟିଏ ଖଣିର ସଲାମୀ ବାବଦ ଅର୍ଥ ପୈଠ କରି ଅନ୍ୟ ଖଣି ଟିକୁ ଖୋର୍ଦ୍ଧାର କିଛି ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଏବଂ ତକôାଳୀନ ପୁଲିସ ଅଧିକାରୀଙ୍କ ସହାୟତାରେ ଲୁଟ କରି କୋଟି କୋଟି ଟଙ୍କା ହଡପ କରାଯାଇଛି । ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ କାଇପଦର ମୌଜା ଅଧୀନ ରେ ଥିବା ଧନିଆ ପାହାଡରେ ଚାଲିଥିବା ବେଆଇନ ସ୍ପଲ୍ ଖଣିରେ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି । ଧନିଆ ପାହାଡ଼ ନିମ୍ବମୁଣ୍ଡିଆ ଖଣିର ନିଲାମ କାହାର ସଲଭେନସି ସାର୍ଟିଫିକେଟ ଦିଆଯାଇ ନିଆଯାଇଛି ତାହା ତଦନ୍ତ କରାଗଲେ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଉକ୍ତ ପାହାଡର ଖନନ ଏବଂ ଶ୍ରୀ ନାୟକ ଲଗାଇଥିବା ଅର୍ଥର ପୁଙ୍ଖାନୁପୁଙ୍ଖ ତଦନ୍ତ ଇଓଡବ୍ଲୁ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି । ଏହି ରାକେଟ ବହୁ ପ୍ରଭାବଶାଳୀ ବ୍ୟକ୍ତି, ପୁଲିସ ଓ ପ୍ରଶାସନର କେତେକ ଅସାଧୁ କର୍ମଚାରୀଙ୍କୁ ହାତ କରି ଖଣିରୁ ଶହଶହ ଟ୍ରିପ୍ ଚୋରି କରିଥିବା ମଧ୍ୟ କୁହାଯାଉଛି । ତେଣୁ ସୁବ୍ରତ ନାୟକଙ୍କର ବ୍ୟାଙ୍କ ଠକେଇର ଟଙ୍କା ସବୁ ଏହି ଖଣିରେ ଲାଗି ଥିବା ନେଇ ସାଧାରଣ ରେ ଆଲୋଚନା ହେଉଛି । ଏସମ୍ପର୍କରେ ବିଧିବଦ୍ଧଭାବେ ତଦନ୍ତ କରାଗଲେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି । ଅନ୍ୟପଟେ ସୁବ୍ରତଙ୍କ ଠକେଇ ସାମ୍ରାଜ୍ୟ କେଉଁ ଜିଲ୍ଲାକୁ ବ୍ୟାପିଛି ତାର ତଦନ୍ତ ଇଓଡବ୍ଲୁ କରୁଥିବାବେଳେ ଖୋର୍ଦ୍ଧା ଓ ଏହାର ଉପକଣ୍ଠରେ ରହିଥିବା ସହଯୋଗୀଙ୍କ ଭିତରେ ଛନକା ପଶିଲାଣି ବୋଲି କୁହାଯାଉଛି । ସୁବ୍ରତ ଙ୍କର ମା’ ଙ୍କ ମୃତୁ୍ୟ ପରେ ତାଙ୍କ ନାମରେ ଜାଲ କାଗଜ ପତ୍ର ପ୍ରସ୍ତୁତ କରି ଭୁବନେଶ୍ୱର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରୁ ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିନେଇ ଇଓଡବ୍ଲୁ ଦ୍ୱାରା ସୁବ୍ରତ କୁମାର ନାୟକ ଗିରଫ ହୋଇଛନ୍ତି ।