ବଢ଼ିବ ଶ୍ରୀମନ୍ଦିର ସୁରକ୍ଷା
ଭୁବନେଶ୍ୱର : ଶ୍ରୀମନ୍ଦିରର ସୁରକ୍ଷା ବଢ଼ିବ । ଆଇନ୍ ଉଲ୍ଲଂଘନ କଲେ ଏବେ କଠୋର ଦଣ୍ଡବିଧାନ ନାହିଁ । ଆଗକୁ କଠୋର ଦଣ୍ଡବିଧାନ ନେଇ ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯିବ । ସେହିପରି ଆନନ୍ଦବଜାରରେ ମହାପ୍ରସାଦର ରେଟ୍ ଚାର୍ଟ ଲାଗିବ । ଶ୍ରୀମନ୍ଦିର ସୁରକ୍ଷା ଓ ପରିଚାଳନା ନେଇ ବୈଠକରେ ଏହି ସୂଚନା ମିଳିଛି ।
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିରରେ ପ୍ରଚଳିତ ନିୟମ ଅନୁଯାୟୀ କଠୋର ଦଣ୍ଡବିଧାନ ନାହିଁ । ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ୪ଟି ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ପ୍ରଥମ ବିନ୍ଦୁ ହେଉଛି କୌଣସି ବ୍ୟକ୍ତି ମୋବାଇଲ ଫୋନ୍ ଜାଣତରେ ଶ୍ରୀମନ୍ଦିର ପରିସରରେ ବ୍ୟବହାର କଲେ କଠୋର ଦଣ୍ଡବିଧାନ କରାଯିବ । ବର୍ତ୍ତମାନ ଏନେଇ ହଜାରେ ଟଙ୍କା ଜରିମାନା ରହିଛି । ଦ୍ୱିତୀୟ ବିନ୍ଦୁ ହେଉଛି କୌଣସି ହିସାବରେ ମହାପ୍ରଭୁଙ୍କ ସଂସ୍କୃତି ଗାରିମା ଜାଣତରେ କେହିବି କ୍ଷୁର୍ଣ୍ଣ କରିବେ ନାହିଁ । ସୋସିଆଲ ମିଡିଆରେ ଭାବାବେଗକୁ ଆଘାତ ଭଳି କୌଣସି ପୋଷ୍ଟ କରିବେ ନାହିଁ । ଯଦି ଏଭଳି ହୁଏ କଠୋର ଦଣ୍ଡବିଧାନ ହେବ । ଏପରିକି ୭ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବିଧାନ ପାଇଁ ପ୍ରସ୍ତାବ ଦିଆଯିବ । ତୃତୀୟ ବିନ୍ଦୁ ହେଉଛି ଅନଧିକୃତ ଭାବେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଲେ କଠୋର ଦଣ୍ଡବିଧାନ ସହ ଜାମିନି ନାମାଞ୍ଜୁର ପାଇଁ ପ୍ରସ୍ତାବ ଦିଆଯିବ । ଚତୁର୍ଥ ବିନ୍ଦୁ ହେଉଛି ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ କ୍ରମେ ଶ୍ରୀମନ୍ଦିର ଆଇନ୍ ୧୯୫୫ ଅନ୍ତର୍ଗତ ଦଣ୍ଡବିଧାନ ହୋଇପାରିବ । ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ହୋଇପାରିବ । ସେପଟେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସୁଆର ମହାସୁଆର ନିଯୋଗ ସହ ବୈଠକ ହୋଇଛି । ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୁଖୁଲି ଭୋଗ ଏବଂ ମହାପ୍ରସାଦ ପୃଥକ ସ୍ଥାନରେ ବିକ୍ରି ହେବ । ଆନନ୍ଦ ବଜାରରେ ଭକ୍ତ ମାନେ ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରସାଦ ପାଇପାରିବେ ସେନେଇ ରେଟ୍ ଚାର୍ଟ ମଧ୍ୟ ଖୁବଶୀଘ୍ର ଲଗାଯିବ । ତେବେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛି ସୁଆର ମହାସୁଆର ନିଯୋଗ । ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ବ୍ୟବସ୍ଥା କରାଗଲେ ଭକ୍ତମାନେ ଏକ ସୁଖଦ ଅନୁଭୂତି ନେଇଫେରିବେ । ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ନେଇ ସମସ୍ତ ପ୍ରସ୍ତାବ ଦିଆଯାଇଥିବା ବେଳେ ସରକାର ଏନେଇ ପଦକ୍ଷେପ ନେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଶ୍ରୀମନ୍ଦିରର ନୀତି ଓ ଉନ୍ନୟନ ପ୍ରଶାସକ, ସୁରକ୍ଷା ପ୍ରଶାସକ, ସ୍ୱତନ୍ତ୍ର ପୋଲିସ ବାହିନୀର କମାଣ୍ଟାଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।...