ହାତୀଙ୍କ ପାଇଁ ହେବ ଧାନ ଚାଷ
ଭୁବନେଶ୍ୱର : ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନବସତି ଅଞ୍ଚଳରେ ଏପରି ଗଛ ଲଗାଇବା ଉଚିତ୍ ଯାହା ଲୋକଙ୍କୁ ଫଳ, ପୁଷ୍ପ ପ୍ରଦାନ କରୁଥିବା ସହିତ ଛାୟା ପ୍ରଦାନ କରିପାରିବ । ପଥପାର୍ଶ୍ୱ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲୋକମାନଙ୍କ କାମରେ ଲାଗିଲା ଭଳି ଗଛ ରୋପଣ କରନ୍ତୁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଉପସ୍ଥିତ ବନଖଣ୍ଡ ଅଧିକାରୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ।
ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ସମ୍ମିଳନୀରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମ ରାଜ୍ୟର ଏକ-ଚତୁର୍ଥାଂଶ ଲୋକ ହେଉଛନ୍ତି ଆଦିବାସୀ ସଂପ୍ରଦାୟର ଲୋକ । ସେମାନେ ମୁଖ୍ୟତଃ ବଣ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରନ୍ତି । ସେମାନଙ୍କ ପାଇଁ ସଂଘର୍ଷହୀନ ସହାବସ୍ଥାନ ସୃଷ୍ଟି ଓ ସେମାନଙ୍କ ସୁରକ୍ଷା କରିବା ହେଉଛି ସରକାରଙ୍କ ନୈତିକ ଦାୟିତ୍ୱ । ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସେମାନଙ୍କ ସହ ସମ୍ବେଦନଶୀଳତା ସହ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥି ସହିତ ହାତୀ ମନୁଷ୍ୟ ସଂଘର୍ଷକୁ ହ୍ରାସ କରିବା ପାଇଁ ବିଭାଗ ପକ୍ଷରୁ ଜଙ୍ଗଲ ଭିତରେ ହାତୀ ଖାଦ୍ୟ ପାଇଁ ଧାନ ଚାଷ କରିବା ପାଇଁ ବିଭାଗକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବୃକ୍ଷରୋପଣ ସହିତ ତା’ର ସୁରକ୍ଷା, ପରିଚାଳନା ଓ ତଥା ସବୁଜ ବଳୟ ବୃଦ୍ଧି ପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡିବ । ଏଥିସହିତ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ବନ୍ୟପ୍ରାଣୀ ଶିକାର ରୋକିବା, ଜଙ୍ଗଲ ନିଆଁ ରୋକିବାରେ ଜଙ୍ଗଲ ବିଭାଗ ଭଲ କାମ କରୁଛି । ତଥାପି ଏ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ କରିବାକୁ ପଡିବ । ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ପ୍ରମିଳା ପ୍ରଧାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀ ୨୦୩୬ ସମୃଦ୍ଧ ଓଡିଶା ଗଠନ ପାଇଁ ପରିକଳ୍ପନା କରାଯାଇଥିବା ସବୁଜ ଓଡିଶା ଗଠନର ଲକ୍ଷ୍ୟ ପୂରଣରେ ବିଭାଗୀୟ ଅଧିକାରୀଙ୍କ ନିଷ୍ଠାପର ଯୋଗଦାନ କାମନା କରିଥିଲେ । ଦୁର୍ନୀତି ବିରୋଧରେ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେଯେ, ବର୍ତ୍ତମାନର ସରକାର ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଥିଲେଯେ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ହେଉଛି ଏ ସମାଜର ଜୀବନ ରେଖା । ଏ ସୃଷ୍ଟିର ମୌଳିକତାକୁ ବଜାୟ ରଖିବାରେ ଏହି ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଛି । ଆଜି ଓଡିଶାରେ ଜଙ୍ଗଲ ଅଭିବୃଦ୍ଧି କ୍ଷେତ୍ରରେ ଯାହା ବି ଅଭିବୃଦ୍ଧି ହୋଇଛି ଏହାର ଶ୍ରେୟ ଆମ ନିଷ୍ଠାପର ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କର ବୋଲି ସେ କହିଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେଯେ, ଆମ ରାଜ୍ୟ ହେଉଛି ଏକ ଜୈବ ବିବିଧତା ପୂର୍ଣ୍ଣ ରାଜ୍ୟ । ଜଙ୍ଗଲ ସମ୍ପଦର ସୁରକ୍ଷା ସହିତ ଜଙ୍ଗଲ ଭିତରେ ଏବଂ ଜଙ୍ଗଲ ନିକଟରେ ରହୁଥିବା ଲୋକଙ୍କୁ ଜଙ୍ଗଲ ସଂରକ୍ଷଣ ପ୍ରତି ସଚେତନ କରିବା ସହିତ ଜଙ୍ଗଲ ମଧ୍ୟରେ ରହୁଥିବା ଲୋକଙ୍କ ଜୀବନ ଜୀବିକା ବୃଦ୍ଧି ପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର, ଉଦ୍ୟାନ କୃଷି ବିଭାଗ ଏବଂ ଓଡିଶା ରାଜ୍ୟ ବିହନ ନିଗମ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା । ଏହାଦ୍ୱାରା ରାଜ୍ୟର କୃଷକ ମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ମାନର ଫଳ ଚାରା ଯୋଗାଇ ଦିଆଯିବ । କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ପ୍ରେମ୍ କୁମାର ଝା, ପ୍ରଧାନ ମୁଖ୍ୟ ବନସଂରକ୍ଷକ (କେନ୍ଦୁପତ୍ର) ଉମା ନନ୍ଦୁରୀ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ବନଖଣ୍ଡର ବନ ସଂରକ୍ଷକ, ଡିଏଫ୍ଓ, ଏସିଏଫଙ୍କ ସମେତ ବିଭାଗୀୟ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେଇଥିଲେ । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ବନବାହିନୀ ମୁଖ୍ୟ ସୁରେଶ ପନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।