ବଢ଼ିଲା ଆସ୍କା ୪୦ ଦର; ସୁଦୃଢ଼ ହେବ ଆସିକା ସମବାୟ ଚିନି ଶିଳ୍ପ
ଆସିକା: ଅନେକ ଦିନ ପରେ ରାଜ୍ୟ ସରକାର ଆସ୍କା ୪୦ର ଦର ବୃଦ୍ଧି କରିଛନ୍ତି । ଏବେ ୨୦୦ ମିଲି ଆସ୍କା ୪୦ ଦର ୬୦ ବଦଳରେ ୭୦ ଟଙ୍କା ନିର୍ଦ୍ଧାରିତ ହୋଇଛି । ଏହାଦ୍ୱାରା ଆସିକା ସମବାୟ ଚିନିଶିଳ୍ପର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ ବୋଲି ଆଶା କରାଯାଉଛି । ଆସ୍କା ୪୦ର ଦର ବୃଦ୍ଧି ପାଇଁ ସ୍ଥାନୀୟ ବିଧାୟକ ସରୋଜ ପାଢ଼ୀ, ଚିନିଶିଳ୍ପର ଏମଡ଼ି ଓ ଜିଲ୍ଲା ପ୍ରଶାସନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ତ କଥାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଆସ୍କା ୪୦ର ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ।
କଥା ଦେଇ କଥା ରଖିଲେ ମୋହନ ସରକାର । ଗତ ଡିସେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତା ହୋଇଥିବା ଚିନି ଶିଳ୍ପ ପୁନଃ ଉଦ୍ଧାର ଓ ଆଧୁନିକକରଣ ନିମନ୍ତେ ଟାସ୍କ ଫୋର୍ସ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ସେହି ବୈଠକରେ ଆସ୍କା ୪୦ର ଦର ବୃଦ୍ଧି ସମ୍ପର୍କରେ ଆସିକା ବିଧାୟକ ସରୋଜ କୁମାର ପାଢୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଚିନିଶିଳ୍ପର ପରିଚାଳନା ନିଦେ୍ର୍ଦଶକ ଡକ୍ଟର ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରସ୍ତାବକୁ ସରକାର ଗ୍ରହଣ କରିଥିଲେ ।
ଗତ ଡିସେମ୍ବର ୩୧ ତାରିଖରେ ଓଡିଶା ରାଜ୍ୟ ପାନୀୟ ନିଗମର ପତ୍ର ସଂଖ୍ୟା ୩୨୯୮/୨୪ ପ୍ରକାରରେ ପ୍ରତି ବୋତଲ ପିଛା ୧୦ ଟଙ୍କା ବୃଦ୍ଧି କରି ଆସିକା ଚିନିଶିଳ୍ପ ନିମନ୍ତେ ନୁଆ ବର୍ଷରେ ଏକ ସ୍ୱତନ୍ତ୍ର ଭେଟି ଦେଇଛନ୍ତି । ଗତ ୨୦୧୯ ପର ଠାରୁ ଏହାର ଦର ବୃଦ୍ଧି ହୋଇନଥିଲା । ଆସିକା ସମବାୟ ଚିନି ଶିଳ୍ପରେ ପ୍ରସ୍ତୁତ ଦେଶୀ ମଦ ଆସ୍କା ୪୦, ଯାହା ଓଡିଶା ରାଜ୍ୟ ମଦ ନିଗମକୁ ନିରନ୍ତର ଭାବେ ବିକ୍ରୟ କରାଯାଉଛି । ଆଜି କାଲି ପ୍ରତ୍ୟେକ ଜିନିଷର ଅହେତୁକ ଦରଦାମ ବୃଦ୍ଧି ଯୋଗୁ ଦେଶୀ ମଦ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ କଞ୍ଚାମାଲର ଦର ବୃଦ୍ଧି ହୋଇଅଛି । କିନ୍ତୁ ଏହି ଆସ୍କା ୪୦ ବିକ୍ରିରୁ ଚିନି ଶିଳ୍ପ ଲାଭାଂଶ ପରିମାଣ ଖୁବ୍ ନଗଣ୍ୟ ରହୁଥିଲା । ତେଣୁ ସ୍ଥାନୀୟ ବିଧାୟକ, ସାଂସଦ, ପରିଚାଳନା ପରିଷଦର ସଭାପତି, ଉପ ସଭାପତି ଏବଂ ସଦସ୍ୟ ସମେତ ଚିନିଶିଳ୍ପର ଏମ୍ଡିଙ୍କ ଏକତ୍ରିତ ସାମୂହିକ ପ୍ରୟାସ ଦ୍ୱାରା ସରକାର ଓ ଅବକାରୀ ବିଭାଗକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଯାହାଫଳରେ ରାଜ୍ୟ ସରକାର ଚିନିଶିଳ୍ପର ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଚିନିଶିଳ୍ପରେ ପ୍ରସ୍ତୁତ ଦେଶୀ ସୁରା ଆସ୍କା ୪୦ର ଦରବୃଦ୍ଧି କରିଛନ୍ତି । ଯାହାର (ପ୍ରତି ୨୦୦ ଏମଏଲ) ଏକ ବୋତଲ ପିଛା ମୂଲ୍ୟ ୬୦ ଟଙ୍କା ପରିବର୍ତ୍ତେ ୭୦ ଟଙ୍କାକୁ ନିର୍ଦ୍ଧାରଣ ହୋଇଛି । ରାଜ୍ୟ ସରକାରଙ୍କ ବର୍ଦ୍ଧିତ ଦର ଅନୁସାରେ ଆସ୍କା ୪୦ ବିକ୍ରି ହେଲେ ନିଶ୍ଚିତ ଭାବେ ଆସିକା ସମବାୟ ଚିନିଶିଳ୍ପ ଲିଃ ର ଆର୍ଥିକ ମେରୁଦଣ୍ଡକୁ ଆଂଶିକ ଭାବେ ସୁଦୃଢ କରିପାରିବ ବୋଲି ଆଶା କରାଯାଉଛି ।