ଭଜନ ସମ୍ରାଟ ଭିକାରୀ ବଳ

 କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ର ସୋବଳାରୁ ଶ୍ରୀ ଜଗନ୍ନାଥଧାମ ଶ୍ରୀକ୍ଷେତ୍ର : ଦୀର୍ଘ ଆଠ ଦଶନ୍ଧିରୁ ଉଦ୍ଧ୍ୱର୍କାଳର ଜୀବନଯାତ୍ରା । ସେ ଯାତ୍ରାର ଆରମ୍ଭ ହୋଇଥିଲା ୨୫ ମଇ ୧୯୨୯ରୁ ଆଉ ଯାତ୍ରାର ସମାପ୍ତି ଘଟିଲା ୨ ନଭେମ୍ବର ୨୦୧୦ରେ । ସଙ୍ଗୀତର ମୂର୍ଚ୍ଛନା ଭିତରେ ହଜିଗଲା ଜୀବନଟିଏ । ଜୀବନ ସିନା ହଜିଗଲା, ସେ ଗାଇଥିବା ସଙ୍ଗୀତ ଭିତରେ ସେ ସବୁଦିନ ପାଇଁ ସ୍ମରଣୀୟ, ବରଣୀୟ ହୋଇ ରହିବେ । ସେ ହେଉଛନ୍ତି ଶ୍ରୀ ଜଗନ୍ନାଥଙ୍କର ପରମ ସେବକ, ଭକ୍ତି ସଙ୍ଗୀତର ମୁକୁଟ ବିହୀନ ସମ୍ରାଟ, କୋଟି ଓଡିÿଆଙ୍କ ମଉଡମଣି, ଭଜନ ସମ୍ରାଟ ଭିକାରୀ ବଳ । ଓଡ଼ିଶାର ଏମିତି ଘର ନଥିବ ଯେଉଁଠି ତାଙ୍କ ସ୍ୱର ଗୁଞ୍ଜରି ନଥିବ ବା ଏମିତି ମନ୍ଦିର ନଥିବ ଯେଉଁଠି ତାଙ୍କ ଗୀତ ଅନୁରଣିତ ହୋଇନଥିବ । ଏହାହିଁ ଥିଲା ତାଙ୍କର ବିଶେଷତ୍ୱ ।
    ୧୯୨୯ ମସିହା ମେ’ ୨୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ସୋବଳା ଠାରେ ଜନ୍ମଗ୍ରହଣ କରିଥିଲେ ଭିକାରୀ ବଳ । ପିତା ରାମଚନ୍ଦ୍ର ବଳ ଓ ମାତାଙ୍କ ନାମ ଗେହ୍ଲାରାଣୀ । ପିଲାଟି ବେଳୁ ତାଙ୍କର ସଙ୍ଗୀତ ପ୍ରତି ଥିଲା ଅସୀମ ଶ୍ରଦ୍ଧା । ମାତ୍ର ପନ୍ଦର ବର୍ଷ ବୟସରୁ ଉଭୟ ପିତା ଓ ମାତାଙ୍କୁ ହରାଇଥିଲେ ମଧ୍ୟ ସେ ସେଥିରେ ଭାଙ୍ଗି ପଡିନଥିଲେ । ପିତା-ମାତାଙ୍କ ବିଚ୍ଛେଦ, ଦାରିଦ୍ର୍ୟ ଓ ପ୍ରତିକୂଳ ପରିସ୍ଥିତି ତାଙ୍କୁ ସଙ୍ଗୀତ ସାଧନାରୁ ବିଚୁ୍ୟତ କରିପାରିନଥିଲା । ସୌଭାଗ୍ୟକୁ ସେ ଏପରି ଏକ ଗାଁରେ ଜନ୍ମ ନେଇଥିଲେ ଯାହାକି ‘କଳାନଗରୀ’ ରୂପେ ଖ୍ୟାତ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସେତେବେଳର ନାମକରା ତାବଲା ବାଦକ ସୁନାକର ସାହୁ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ପ୍ରତ୍ୟକ୍ଷ ସାନିଧ୍ୟ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ଏହାପରେ ସେ ଓଡିÿଶାର ଜଣେ ଅପ୍ରତିଦ୍ୱନ୍ଦୀ କଣ୍ଠଶିଳ୍ପୀ ରୂପେ ଅଖଣ୍ଡ ଯଶର ଅଧିକାରୀ ହୋଇପାରିଥିଲେ ।
    ଏହି ସମୟରେ କଲିକତାର ଏଚ୍ଏମ୍ଭି କମ୍ପାନୀ ପ୍ରସ୍ତୁତ ‘ଭକ୍ତି ପୁଷ୍ପାଞ୍ଜଳି’ କ୍ୟାସେଟ୍ ତାଙ୍କୁ ରାତାରାତି ଅଜସ୍ର ପ୍ରଶଂସା ଆଣି ଦେଇଥିଲା । ଏହି କ୍ୟାସେଟ୍ରେ “କୋଠ ଭୋଗଖିଆ ମୋ ଚକାଆଖିଆ, ଉଠ ହେ ପହଡ ଭାଙ୍ଗି” ତାଙ୍କୁ ବେଶ୍ ଲୋକପ୍ରିୟ କରାଇପାରିଥିଲା । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଗୋଟିଏ ପରେ ଗୋଟିଏ ଭଜନ ଗାଇ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ‘ହାତରେ ମୋ ମୁଠା ମୁଠା ଶରଧାବାଲି’ ଠାରୁ ଆରମ୍ଭ କରି, ମୁଁ ତ ବଡଦେଉଳର ପାରା, ଭକତ ବିଦୁର ଶାଗଭଜା ଦେଇ, ଷାଠିଏ ପଉଟି ଭୋଗରୁ ତୁମର, ଜଗବନ୍ଧୁ ହେ ଗୋସାଇଁ ଇତ୍ୟାଦି ସଙ୍ଗୀତର ମୂର୍ଚ୍ଛନା ଶ୍ରୋତାମାନଙ୍କୁ ସମ୍ମୋହନ ମନ୍ତ୍ରରେ ବାନ୍ଧି ରଖିଥିଲା । କେବଳ ଭଜନ ନୁହେଁ ଓଡିଶୀ, ଛାନ୍ଦ, ପଲ୍ଲୀଗୀତ ଓ ଚଳଚିତ୍ର ଗୀତ ଗାଇ ସେ ଛାଡି ଯାଇଛନ୍ତି ଭାବସ୍ପର୍ଶୀ ସ୍ୱର ସ୍ୱାକ୍ଷର । ପ୍ରଥମ ଚଳଚିତ୍ର ‘ଘର ସଂସାର’ରେ ପ୍ରଭୁ ପାଦ ତଳେ ପ୍ରଣତି ଢାଳେ .... ଗୀତ ଗାଇ ସେ ଅଶେଷ ପ୍ରଶଂସା ପାଇଥିଲେ । ଏଥି ସହିତ ଚଳଚିତ୍ର ଟିକେ ହସ ଟିକେ ଲୁହ, ମଥୁରା ବିଜୟ, ଭକ୍ତ ସାଲବେଗ, ରାମାୟଣ, ମନ ଆକାଶ ଏବଂ ବସୁଧା ପରି ୩୦ରୁ ଉଦ୍ଧ୍ୱର୍ ଚଳଚିତ୍ରରେ କଣ୍ଠଦାନ କରି ସେ ଚଳଚିତ୍ର ଜଗତରେ ମଧ୍ୟ ନିଜର ସ୍ୱାତନ୍ତ୍ର୍ୟ ପ୍ରତିପାଦିତ କରିଛନ୍ତି ।
    କେବଳ ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ନୁହେଁ ଜଣେ ଛାତ୍ରବତ୍ସଳ ଓ ଲୋକପ୍ରିୟ ସଙ୍ଗୀତ ଗୁରୁ ରୂପେ ସୁପରିଚିତ ଥିଲେ ଭିକାରୀ ବଳ । ୧୯୫୭ ମସିହାରୁ ତାଙ୍କର ସଙ୍ଗୀତ ଶିକ୍ଷକର ଜୀବନ ଅୟମାରମ୍ଭ । ପ୍ରଥମେ ଜଟଣୀର ଫ୍ରେଣ୍ଡସ୍ ଆସୋସିଏସନ୍ ଓ ପରେ ପରେ କେନ୍ଦ୍ରାପଡାର ଗୋକୁଳଚନ୍ଦ୍ର ସଙ୍ଗୀତ ସଦନ, କଟକର କଳାବିକାଶ କେନ୍ଦ୍ର ଏବଂ ଭୁବନେଶ୍ୱରର ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟରେ ଓଡିଶୀ ସଙ୍ଗୀତ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ବାସ୍ତବରେ କହିବାକୁ ଗଲେ ୧୯୫୭ରୁ ସଙ୍ଗୀତ ଶିକ୍ଷକର ଜୀବନ ଆରମ୍ଭରୁ ୧୯୯୭ରେ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଧ୍ୟାପକ ଭାବେ ଅବସର ନେବା ପର୍ଯ୍ୟନ୍ତ ଦୀର୍ଘ ୪୦ ବର୍ଷର ଜୀବନ ଥିଲା ସଙ୍ଗୀତ ପ୍ରତି ଉତ୍ସର୍ଗୀକୃତ । ଏହି ସମୟ ମଧ୍ୟରେ ସେ ସଙ୍ଗୀତ ଗୁରୁ ରାମହରି ଦାସଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି, ଲକ୍ଷ୍ମୀକାନ୍ତ ପାଲିତ ଓ ଶାନ୍ତିଲତା ବାରିକଙ୍କ ପର୍ଯ୍ୟନ୍ତ ଅନେକ ଯଶସ୍ୱୀ ଛାତ୍ର ସୃଷ୍ଟି କରିଯାଇଛନ୍ତି, ଯେଉଁମାନେ କି ସେମାନଙ୍କର ସଫଳତାର ଶ୍ରେୟ ନିଜର ପ୍ରିୟ ଗୁରୁଙ୍କୁ ଦେବାକୁ କୁଣ୍ଠାବୋଧ କରନ୍ତି ନାହିଁ ।
    ଯଥାର୍ଥରେ ସେ ଥିଲେ ଜଗନ୍ନାଥଙ୍କ ପରମଭକ୍ତ ଓ ଭଜନ ସମ୍ରାଟ । ନିଜର ଯାଦୁକରୀ କଣ୍ଠରେ ଭକ୍ତି ସଙ୍ଗୀତ ପରିବେଷଣ କରି ସେ ବିମୋହିତ କରୁଥିଲେ ଶ୍ରୋତାମାନଙ୍କୁ । କେବଳ ଆମ ରାଜ୍ୟରେ ନୁଜେଁ ସମଗ୍ର ଭାରତବର୍ଷର ବିଭିନ୍ନ ସହରମାନଙ୍କରେ ଭଜନ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏପରିକି ଭାରତ ବାହାରେ ସୁଦୂର ଆମେରିକା, ଇଂଲଣ୍ଡ, ଜାପାନ, ଇଟାଲୀ ଓ ହଲାଣ୍ଡ ଆଦି ଦେଶରେ ନିଜର ସୁଲଳିତ କଣ୍ଠସ୍ୱର ଯାଦୁ ଦେଖାଇବା ସହ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ଓ ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲୋ ବୋଧହୁଏ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ପରେ ଜଗନ୍ନାଥଙ୍କ ନାମ ଓ ଜଗନ୍ନାଥ ସଂସ୍କୃତିକୁ ଘରେ ଘରେ ପହଞ୍ଚାଇବାରେ ଭିକାରୀ ବଳଙ୍କ ଅବଦାନକୁ ଭୁଲି ହେବନାହିାଁ ସେଇଥି ପାଇଁ ତ ଜୀବଦଶାରେ ବଡଦେଉଳରେ ଜଗନ୍ନାଥଙ୍କ ‘ଚାମରସେବା’ ଓ ମୃତୁ୍ୟ ପରେ ରୋଷଶାଳାରୁ ‘ବୈଷ୍ଣବାଗ୍ନି’ ପ୍ରାପ୍ତ ହେବାର ବିରଳ ସୌଭାଗ୍ୟ ଲାଭ କରିଥିଲେ ସେ । ବିଭୁପ୍ରେମରେ ବିମୋହିତ ଏହି କଣ୍ଠଶିଳ୍ପୀ ସାରା ଜୀବନ ସଙ୍ଗୀତର ଅର୍ଘ୍ୟ ମଧ୍ୟରେ ତାଙ୍କ ଇଷ୍ଟଦେବ ଶ୍ରୀଜଗନ୍ନାଥଙ୍କ ଚରଣରେ ଭିକାରିର ଆସନରେ ନିଜକୁ ଅଧିଷ୍ଠିତ କରାଇଥିଲେ ।
    ନିଜର ସୁଲଳିତ କଣ୍ଠସ୍ୱର ପାଇଁ ସମସ୍ତ ଓଡିଆଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ଭିକାରୀ ବଳ । ସେ ଥିଲେ ଓଡିଆ ଭଜନର ଦେଦୀପ୍ୟମାନ ପୁରୁଷ । ଏଥିପାଇଁ ଅନେକ ପୁରସ୍କାର ଓ ସମ୍ମାନ ପ୍ରାପ୍ତ ହୋଇଥିଲେ ସେ । ଏକ ମନୋରମ ଓ ଭବ୍ୟ ସମାରୋହରେ ପୁରୀର ଠାକୁରରାଜା ଗଜପତି ଦିବ୍ୟସିଂହ ଦେବ ରାଉରକେଲା ଠାରେ ତାଙ୍କୁ ଭଜନ ସମ୍ରାଟ ଉପାଧିରେ ଭୂଷିତ କରିଥିଲେ । ଏଥି ସହିତ ଓଡିଶା ସରକାରଙ୍କ ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ, ଲଳିତ ସ୍ୱର ସାଧକ, ଭକ୍ତି କଣ୍ଠ, ଭକ୍ତି ସମ୍ରାଟ, ନୀଳଚକ୍ର ସମ୍ମାନ, ରାଜୀବ ଗାନ୍ଧୀ ସଦ୍ଭାବନା ସମ୍ମାନ ଆଦି ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇ ଓଡିଶାରେ ଜନପି୍ରୟ ହେବା ସହିତ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ହୋଇପାରିଥିଲେ ।
ଭିକାରୀ ବଳ ଆଜି ଆମ ଗହଣରେ ନାହାଁନ୍ତି । ତାଙ୍କ ବିୟୋଗ ଓଡିଶାର ସଙ୍ଗୀତ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି । ସେ ଶୂନ୍ୟତା କେବେ ପୂରଣ ହେବ କେଜାଣି? ହେଲେ ସେ ଗାଇଥିବା ଭଜନ, ଜଣାଣ ଭିତରେ ସେ ଜୀଇଁ ରହିଛନ୍ତି ଓ ଜୀଇଁ ରହିଥିବେ କାଳକାଳକୁ ।