ଭାରତ ଉପରେ ଟ୍ରମ୍ପ ଶୁଳ୍କକୁ ଜେଲେନସ୍କିଙ୍କ ସମର୍ଥନ
ନୂଆଦିଲ୍ଲୀ : ରୁଷରୁ ତେଲ କିଣିବାକୁ ନେଇ ଭାରତ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଏହାସହ ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଭାରତ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି । ଏହାରି ଭିତରେ ଆସିଛି ବଡ ଖବର । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଭାରତ ଭଳି ଦେଶ ଉପରେ ଆମେରିକାର ଶୁଳ୍କକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ, ରୁଷ ସହିତ ଚୁକ୍ତି ଯୋଗୁଁ ଲାଗିଥିବା ଶୁଳ୍କ ସଠିକ ପଦକ୍ଷେପ ବୋଲି ଜେଲେନ୍ସକି ଏକ ସାକ୍ଷାତକାରରେ ଏବିସି ନୁ୍ୟଜକୁ କହିଛନ୍ତି ।
ଜେଲେନ୍ସକି କହିଛନ୍ତି ଯେ ସେ ଭାବନ୍ତି ଯେ ରୁଷ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଶୁଳ୍କ ଲଗାଇବା ଠିକ୍ । ଜେଲେନ୍ସକିଙ୍କୁ ସାଂଘାଇ ସହଯୋଗ ସଂଗଠନ (ଏସିଓ) ର ଏକ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ ଗସ୍ତ ବିଷୟରେ ତାଙ୍କର ମତାମତ ବିଷୟରେ ପଚରାଯାଇଥିଲା, ଯେଉଁଠି ତିନି ନେତାଙ୍କ ଫଟୋ ଏକାଠି ଭାଇରାଲ ହୋଇଥିଲା । ଟ୍ରମ୍ପ ପ୍ରଶାସନ ରୁଷ ବିରୋଧରେ କଟକଣା ବଢାଇବାକୁ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କର ଏପରି ବିବୃତ୍ତି ଆସିଛି । ଗତ ମାସରେ ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଟ୍ରମ୍ପଙ୍କ ଶିଖର ସମ୍ମିଳନୀ କୂଟନୈତିକ ସଫଳତା ହାସଲ କରିବାରେ ବିଫଳ ହୋଇଥିଲା । ରବିବାର ଦିନ ଟ୍ରମ୍ପ କହିଥିଲେ ଯେ ସେ ରୁଷ ବିରୋଧରେ କଟକଣା ବଢାଇବାକୁ ପ୍ରସ୍ତୁତ । ଜାତୀୟ ଅର୍ଥନୈତିକ ପରିଷଦ ନିଦେ୍ର୍ଦଶକ କେଭିନ୍ ହାସେଟ୍ ମଧ୍ୟ ଭାରତକୁ ଏକ ବିଶେଷ ଉଦାହରଣ ଭାବରେ ଉଲ୍ଲେଖ କରି ମସ୍କୋ ବିରୋଧରେ ନୂତନ କଟକଣା ଲାଗୁ କରାଯିବାର ସୂଚନା ଦେଇଥିଲେ । ଗତ ମାସରେ ମୋଦି ୟୁକ୍ରେନରେ ଯୁଦ୍ଧ ବନ୍ଦ ପାଇଁ ଦୁଇଥର ଜେଲେନ୍ସକିଙ୍କ ସହ କଥା ହୋଇଥିଲେ । ମୋଦି କହିଥିଲେ ଯେ ଜେଲେନ୍ସକିଙ୍କ ସହ କଥା ହୋଇ ଓ ସାମ୍ପ୍ରତିକ ଘଟଣାବଳୀ ଉପରେ ତାଙ୍କର ଦୃଷ୍ଟିକୋଣ ଶୁଣି ସେ ଖୁସି । ଦ୍ୱନ୍ଦ୍ୱର ଶୀଘ୍ର ଓ ଶାନ୍ତିପୂର୍ଣ୍ଣ ସମାଧାନର ଆବଶ୍ୟକତା ଉପରେ ମୁଁ ଭାରତର ସ୍ଥିର ମତାମତ ଜଣାଇଛି । ଭାରତ ଏହି କ୍ଷେତ୍ରରେ ସମସ୍ତ ପ୍ରକାରର ଯୋଗଦାନ ଦେବାକୁ ଓ ୟୁକ୍ରେନ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ପ୍ରତିବଦ୍ଧ ବୋଲି ମୋଦି ଏକ୍ସରେ କହିଥିଲେ । ଗତ ସପ୍ତାହରେ ମୋଦି ୟୁକ୍ରେନର ପରିସ୍ଥିତି ବିଷୟରେ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍, ୟୁରୋପୀୟ ପରିଷଦ ମୁଖ୍ୟ ଆଣ୍ଟୋନିଓ କୋଷ୍ଟା ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ମଧ୍ୟ କଥା ହୋଇଥିଲେ ।