ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ : ଷ୍ଟାଡ଼ିୟମ ବୁଲିଲେ ବିଶେଷଜ୍ଞ ଟିମ
କଟକ : ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ ମ୍ୟାଚ ପାଇଁ ବିଭିନ୍ନ ଗ୍ୟାଲେରୀର ନିରାପତ୍ତା ନିରୀକ୍ଷଣ କରିଛି ବିଶେଷଜ୍ଞ ଟିମ । ଓସିଏର ଟେକନିକାଲ କମିଟି ସହ ଭୁବନେଶ୍ୱର ଆଇଆଇଟି ର ବିଶେଷଜ୍ଞ ଓ ଆର ଆଣ୍ଡ ବି ବିଭାଗର ଯନ୍ତ୍ରୀମାନେ ବାରବାଟୀ ଷ୍ଟାଡ଼ିୟମର ୫, ୬ ଓ ୭ ନମ୍ବର ଗ୍ୟାଲେରୀ ସ୍ଥିତି ଓ ମରାମତି କାମ ନିରୀକ୍ଷଣ କରିଛନ୍ତି । କମିଟି ଆସନ୍ତା ୬ ତାରିଖ ସୁଦ୍ଧା ନିଜର ରିର୍ପୋଟ ଓସିଏ ସହ ରାଜ୍ୟ ସରକାରଙ୍କୁ ଦେବ ବୋଲି ଓସିଏ ବୈଷୟିକ କମିଟି ମୁଖ୍ୟ ସୂଚନା ଦେଇଛନ୍ତି । ତେବେ ଚଳିତଥର ୭ ନଂ ଗ୍ୟାଲେରୀର ମରାମତି କାର୍ଯ୍ୟ କାନାଡ଼ା ଓ ଥାଇଲାଣ୍ଡର ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଛି । ଗ୍ୟାଲେରୀ ସଂପୂର୍ଣ୍ଣ ନିରାପଦ ଅଛି ବୋଲି ଓସିଏ ବୈଷୟିକ କମିଟି ମୁଖ୍ୟ କହିଛନ୍ତି । ଅପର ପକ୍ଷରେ ୩ ଗ୍ୟାଲେରୀରେ ଦର୍ଶକଙ୍କ ନିରାପତ୍ତା ନିଶ୍ଚିତ କରାଇବା ପାଇଁ ସ୍ୱତନ୍ତ୍ର କରିଡ଼ର ବ୍ୟବସ୍ଥା ହୋଇଥିବା କମିଟି କହିଛି ।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ । ପିଚ ଓ ଆଉଟ ଫିଲ୍ଡକୁ ପ୍ରସ୍ତୁତ ରଖିବା ଲାଗି ଯୋରଦାର କାମ ଚାଲିଛି । ପାଗ ମଧ୍ୟ ଅନୁକୂଳ ରହିଛି । ଦୈନିକ ୨ ଥର ଆଉଟ ଫିଲ୍ଡ କାମରେ ଗ୍ରାଉଣ୍ଡସମ୍ୟାନ ଲାଗିଛନ୍ତି । ପ୍ରତ୍ୟେକ ଦିନ ରୋଲିଂ ସହିତ ଆବଶ୍ୟକୀୟ ପାଣି ସିଂଚନ କରାଯାଇଛି । ମ୍ୟାଚ ଲାଗି ୨ଟି ମୁଖ୍ୟ ପିଚ ପ୍ରସ୍ତୁତ ହୋଇଛି । ଏବେ ବାରବାଟୀ ଷ୍ଟାଡ଼ିୟମର ୭ଟି ଯାକ ଗ୍ୟାଲେରୀର ପୁନଃ ନିର୍ମାଣ କାର୍ଯ୍ୟ କରାଯାଉଛି । ଗୁରୁବାର ସୁଦ୍ଧା ୫ ଓ ୬ ନମ୍ବର ଗ୍ୟାଲେରୀ କାମ ଶେଷ ହୋଇଛି । ଅବଶିଷ୍ଟ ଗ୍ୟାଲେରୀ କାମ ଯୋରସୋରରେ ଚାଲିଛି । ଏହି ପୁନଃ ନିର୍ମାଣ କାର୍ଯ୍ୟରେ ଦର୍ଶକଙ୍କ ସୁବିଧା ଓ ପସନ୍ଦକୁ ଧ୍ୟାନରେ ରଖାଯାଇଛି । ପୂର୍ବରୁ ଏହି ସମସ୍ତ ଗ୍ୟାଲେରୀର ସିଟ ଗୁଡ଼ିକ ୧୯ଇଞ୍ଚ ବିଶିଷ୍ଟ ଥିଲା । କିନ୍ତୁ ଦର୍ଶକଙ୍କ ସୁବିଧା ପାଇଁ ଏବେ ସିମେଣ୍ଟ ଗ୍ୟାଲେରୀଗୁଡ଼ିକୁ ୨୨ଇଞ୍ଚିଆ କରାଯାଇଛି । ଏହାଦ୍ୱାରା ବାରବାଟୀରେ ସିଟ ସଂଖ୍ୟା କମିବାର ସମ୍ଭାବନା ଅଛି । ପୂର୍ବରୁ ବାରବାଟୀରେ ଦର୍ଶକଙ୍କ ସିଟ ସଂଖ୍ୟା ୪୫ହଜାର ଥିଲା । କିନ୍ତୁ ଗ୍ୟାଲେରୀଗୁଡ଼ିକର ନବକଳେବର ପରେ ଏହା କେତେ ହେବ ସେ ନେଇ କୌଣସି ସୂଚନା ମିଳିନାହିଁ ।