ରାଜସ୍ଥାନ୍ ରୟାଲ୍ସର ରନ୍ ବର୍ଷା 

 ନୂଆଦିଲ୍ଲୀ  : ୫୦ ରନ୍ରେ ରାଜସ୍ଥାନ ରୟାଲ୍ସର ଦ୍ୱିତୀୟ ବିଜୟ । ପଞ୍ଜାବ କିଙ୍ଗ୍ସର ଘରୋଇ ଗ୍ରାଉଣ୍ଡରେ ପଞ୍ଜାବକୁ ହରାଇ ବାଜିମାରିନେଲା ରାଜସ୍ଥାନ । ପଞ୍ଜାବ କିଙ୍ଗସ୍ ବହୁ ସଂଘର୍ଷ ପରେ ବି ମ୍ୟାଚ୍କୁ ନିଜ ସପକ୍ଷରେ ନେଇ ପାରିନଥିଲା । ରାଜସ୍ଥାନର ବୋଲରଙ୍କ ସାମ୍ନାରେ ଫିକା ପଡ଼ିଥିଲେ ପଞ୍ଜାବର ବ୍ୟାଟର । ଆରମ୍ଭରୁ ଆକ୍ରମଣାତ୍ମକ ବୋଲିଂ କରି ପଞ୍ଜାବର ଜଣକ ପରେ ଜଣେ ବ୍ୟାଟରକୁ ପାଭିଲିଅନକୁ ପଠାଇଥିଲେ  ରାଜସ୍ଥାନର ବୋଲର । ମ୍ୟାଚ୍ର ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ଶେଷରେ ମାଟି କାମୁଡ଼ିଥିଲା ପଞ୍ଜାବ କିଙ୍ଗସ୍ ।   
ଶନିବାର ଆଇପିଏଲ୍ର ୧୮ ତମ ସଂସ୍କରଣର ୧୮ତମ ମ୍ୟାଚ୍ ସନ୍ଧ୍ୟାରେ ଖେଳାଯାଇଥିଲା । ସନ୍ଧ୍ୟାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ । ଚଣ୍ଡିଗଡ଼ର ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ଆଗରେ ୨୦୬ ରନର ଲକ୍ଷ୍ୟ ରଖିଥିଲା ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍ରେ ପଞ୍ଜାବ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୫ ରନ୍ କରିଥିଲା । ଫଳରେ ପଞ୍ଜାବ କିଙ୍ଗ୍ସ ସାମ୍ନାରେ ୨୦୬ ରନର ବିଜୟ ଲକ୍ଷ୍ୟ ରହିଥିଲା । ରାଜସ୍ଥାନ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ ୬୭ ଏବଂ ରିୟାନ ପରାଗ ୪୩ ରନ କରିଥିଲେ । ସେହିପରି ପଞ୍ଜାବ ପକ୍ଷରୁ ଲକି ଫର୍ଗସନ ଦୁଇଟି, ଅର୍ଶଦୀପ ଏବଂ ମାର୍କ ୟନସନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । 
ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ଭଲ ଆରମ୍ଭ କରିଥିଲା । ପାୱାର-ପ୍ଲେରେ ଯଶସ୍ୱୀ ଜୈସ୍ୱାଲ ଏବଂ ସଞ୍ଜୁ ସାମସନ ୫୩ ରନ୍ କରିଥିଲେ । ରାଜସ୍ଥାନକୁ ୧୧ତମ ଓଭରରେ ପ୍ରଥମ  ଝଟକା ଲାଗିଲା । ଅଧିନାୟକ ସଞ୍ଜୁ ସାମସନ ୨୬ ବଲ୍ରେ ୩୮ ରନ୍ କରି ଆଉଟ୍ ହୋଇଥିଲେ । ଯଶସ୍ୱୀ ଜୈସ୍ୱାଲ ୪୫ ବଲ୍ରେ ୬୭ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ନୀତିଶ ରାଣା ୭ ବଲ୍ରେ ମାତ୍ର ୧୨ ରନ୍ କରିପାରିଥିଲେ । ହେଟମାୟର ୧୨ ବଲ୍ରେ ୨୦ ରନ୍ ଯୋଗଦାନ ଦେଇଥିଲେ । ରିୟାନ ପରାଗ ଅପରାଜିତ ୪୩ ରନ୍ କରିଥିଲେ । ଧ୍ରୁବ ଜୁରେଲ ୫ଟି ବଲ୍ରେ ୧୩ ରନ୍ କରିଥିଲେ ।
ସେହିପରି ପଞ୍ଜାବର ଓପନର ପ୍ରିୟାନ୍ସ ଆର୍ଯ୍ୟା ୧ ବଲରେ ଶୂର କରି ଆଉଟ ହୋଇଥିଲେ । ପ୍ରଭାସିମରନ ସିଂହ ୧୬ ବଲରେ ୧୭, ଶ୍ରେୟାସ ଆୟର ୫ ବଲରେ ୧୦, ମାର୍କସ ୭ ବଲରେ ୧, ନେହାଲ ବଧେରା ୪୧ ବଲରେ ୬୨, ମ୍ୟାକ୍ସୱେଲ ୨୧ ବଲରେ ୩୦  କରି ଆଉଟ ହୋଇଥିଲେ ।