ଦେଶବତ୍ସଳ କୃଷ୍ଣମୋହନ
ଜାତୀୟ ମୁକ୍ତି ସଂଗ୍ରାମରେ ଆତ୍ମୋତ୍ସର୍ଗ କରିଥିବା ବିରଳ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ୰ କୃଷ୍ଣମୋହନ ରାଉତରାୟ ଥିଲେ ଅନ୍ୟତମ ।ଏକାଧାରରେ ସେ ଥିଲେ ଜଣେ ସ୍ୱାଧୀନଚେତା, ଦୁଃସାହସୀ, ଅସୀମ ତ୍ୟାଗୀ, ଦକ୍ଷ ସଂଗଠକ, ପ୍ରଭାବଶାଳୀ ବକ୍ତା, ସଂଗ୍ରାମୀ ଓ ଦେଶପ୍ରାଣ ନେତା ତଥା ବହୁମୁଖୀ ପ୍ରତିଭାର ଅଧିକାରୀ । ଗାନ୍ଧିଜୀଙ୍କ ଆଦର୍ଶରେ ସେ ଗଭୀର ଭାବେ ଅନୁପ୍ରାଣିତ ହୋଇଥିଲେ। ଲୋକଙ୍କ ଦୁଃଖ ସୁଖରେ ସେ ଭାଗିଦାର ହେଉଥିଲେ । ଜନସାଧାରଣଙ୍କର ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ଅକୁଣ୍ଠ ସମର୍ଥନ ରହିଥିଲା । ଅସହଯୋଗ ଆନ୍ଦୋଳନ ଠାରୁ ବ୍ୟକ୍ତିଗତ ସତ୍ୟାଗ୍ରହ, ବିଦେଶୀ ଜିନିଷ ବର୍ଜନ, ଲବଣ ସତ୍ୟାଗ୍ରହ ଓ ଭାରତଛାଡ ଆନ୍ଦୋଳନ ପର୍ଯ୍ୟନ୍ତ ସେ ସବୁଥିରେ ଭାଗ ନେଇଥିଲେ। ଆନ୍ଦୋଳନ ସମୟରେ ଓଡ଼ିଶାର ଆଗଧାଡ଼ିର ନେତା ଗୋପବନ୍ଧୁ ଚୌଧୁରୀ, ମା’ ରମାଦେବୀ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ରାଜକୃଷ୍ଣ ବୋଷ, ବିନୋଦ କାନୁନ୍ଗୋ, ଯଦୁମଣି ମଙ୍ଗରାଜ, ସୁରେନ୍ଦ୍ରନାଥ ଦ୍ୱିବେଦୀ ପ୍ରଭୁତିଙ୍କ ସହ ତାଙ୍କର ପ୍ରତ୍ୟକ୍ଷ ଯୋଗାଯୋଗ ରହିଥିଲା । ସେ ଜଣେ ସର୍ବମାନ୍ୟ ନେତା ଥିଲେ । ପ୍ରତ୍ୟେକ ସଂଗ୍ରାମ ଓ ଆନ୍ଦୋଳନରେ ନିବିଡ ଭାବେ ଜଡ଼ିତ ରହିବା ଯୋଗୁଁ ଦୀର୍ଘ ୨୨ ବର୍ଷ ୬ ମାସ କାଳ ତାଙ୍କୁ କାରାଦଣ୍ଡରେ ଦଣ୍ଡିତ ହେବାକୁ ପଡିଥିଲା, ଯାହା ଓଡ଼ିଶା କାହିଁକି ଜାତୀୟ ଆନ୍ଦୋଳନ ଇତିହାସରେ ବିରଳ ।
ଏହି ମହାନ ବିପ୍ଳବୀ ବୀରଙ୍କ ଆବିର୍ଭାବ ହୁଏ ଏକ ସଂଭ୍ରାନ୍ତ ମଧ୍ୟବିତ୍ତ ଖଣ୍ଡାୟତ ପରିବାରରେ ୧୮୯୯ ମସିହା ଜୁନ୍ମାସ ୨୮ ତାରିଖରେ ବଡ଼ଚଣା ଥାନାର ଏକ ଅଜ୍ଞାତ ନିପଟ ପଲ୍ଲୀ ତିଗିରିଆ ଗ୍ରାମରେ। ତାଙ୍କ ପିତାଙ୍କ ନାମ ଆନନ୍ଦଚନ୍ଦ୍ର ରାଉତରାୟ ଓ ମାତାଙ୍କ ନାମ ଚମ୍ପାବତୀ ଦେବୀ । ଆନନ୍ଦଚନ୍ଦ୍ର ରାଜକନିକା ଇଷ୍ଟେଟରେ (ଗୁମାସ୍ତା) ରାଜ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ଏବଂ କନିକାର ଗିରିଆମଠଥିଲା ତାଙ୍କ କର୍ମସ୍ଥଳୀ । ଗାଁ ଚାଟଶାଳୀରେ ତାଙ୍କର ବାଲ୍ୟଶିକ୍ଷା ଆରମ୍ଭ ହୋଇଥିଲା। ତତ୍ ପରେ ତାଙ୍କ ବାପା ତାଙ୍କୁ ନିଜ କର୍ମସ୍ଥଳୀକୁ ନେଇଯାଇ ସେଠାର ଇଂରାଜୀ ବିଦ୍ୟାଳୟରେ ଉଚ୍ଚ ଶିକ୍ଷା ନିମନ୍ତେ ନାମ ଲେଖାଇଥିଲେ । ସେହି ସମୟରେ ରାଜକନିକାରେ ପ୍ରଜାମାନଙ୍କ ଉପରେ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓଙ୍କ ଅତ୍ୟାଚାର ପ୍ରବଳ ରୂପ ଧାରଣ କରିଥିଲା । ସେ ନିଜ ରାଜ୍ୟରେ ଚଉଷଠି ପ୍ରକାରର କର ଆଦାୟ କରୁଥିଲେ । ଚାଷ କରୁଥିବା ଜମିରେ ପ୍ରଜାର ମାଲିକନା ସତ୍ତ୍ୱ ନଥିଲା । ଜମିଦାରମାନେ ଖଜଣା ନେଉଥିଲେ ପ୍ରଜାଙ୍କୁ ପାଉତି ଦେଉନଥିଲେ- ପ୍ରଜାମାନଙ୍କୁ ଯୋଡି ବେତରେ ପ୍ରହାର କରିବା, ଘରେ ଭତ୍ତିକରି ଲଙ୍କାମରିଚ ଧୂଅାଁ ଦେବା, ଧାନଅମାର ଲୁଟ୍ କରି ନେବା, ସବାରି କାନ୍ଧେଇବା ପାଇଁ ମାଡ଼ ମାରିବା ପ୍ରଭୁତି ନିର୍ମମ ଓ ନିଷ୍ଠୁର ଅତ୍ୟଚାର କରୁଥିଲେ ।ଫଳରେ ୧୯୨୦ ମସିହାରେ କନିକାରେ ପ୍ରଜା ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସେତେବେଳେ ‘ସମାଜ’ରେ ଦୁଃଖିନୀ କନିକାର ଅଜସ୍ର ଦୁଃଖର କଥାକୁ ପଣ୍ଡିତ ଗୋପବନ୍ଧୁ ପ୍ରକାଶ କରିଥିଲେ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ର କୃଷ୍ଣ ମୋହନଙ୍କ ମନରେ ଏଭଳି ମର୍ମନ୍ତୁଦ ଅତ୍ୟା·ର ଶୋଷଣର କଥା ଖୁବ୍ ପ୍ରଭାବ ପକାଇଥିଲା । ସେ ଅନ୍ୟ ଛାତ୍ରମାନଙ୍କ ସହ ପାଠ ପଢ଼ା ଛାଡି କନିକା ପ୍ରଜା ଆନ୍ଦୋଳନରେ ସାମିଲ୍ ହୋଇଥିଲେ । ତାଙ୍କ ନେତୃତ୍ୱରେ ସମଗ୍ର ବଡ଼ଚଣାରେ ଯୁବଗୋଷ୍ଠୀ ସଂଗଠିତ ହୋଇ ବ୍ରିଟିଶ ଶାସନ ବିରୁଦ୍ଧରେ ତଥା ରାଜା, ଜମିଦାର ଓ ସାହୁକାରମାନଙ୍କ ବିରୁଦ୍ଧରେ ଦୃଢ଼ ସଂଗଠନ ଗଢ଼ିଥିଲେ । ବିଶେଷକରି ସେ ଜଣେ ରାଜ କର୍ମଚାରୀଙ୍କ ପୁତ୍ର ହୋଇ ରାଜାଙ୍କ ବିରୁଦ୍ଧରେ ପ୍ରଜା ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରି ଶୋଭାଯାତ୍ରାରେ ଦୃଢ଼ ସ୍ୱର ଉତ୍ତୋଳନ କରିବାରୁ ରାଜ ଦରବାର ଦୃଷ୍ଟିକୁ ଆସିଥିଲା ଏବଂ ତାଙ୍କ ପିତାଙ୍କୁ ଏଥିପାଇଁ ସତର୍କତା ଅବଲମ୍ବନ କରିବା ସହିତ କଠୋର ତାଗିଦ୍ କରାଯାଇଥିଲା ଓ ଏଥିରୁ ନିବୃତ୍ତ ହେଲେ କନିକା ଇଷ୍ଟେଟରେ ଚାକିରି ଦେବାର ପ୍ରଲୋଭନ ମଧ୍ୟ ଦିଆଯାଇଥିଲା । କିନ୍ତୁ ସେ ପ୍ରଜା ଆନ୍ଦୋଳନରେ ଘନିଷ୍ଠ ଭାବରେ ଜଡିତ ହେବା ଯୋଗୁଁ ଆନନ୍ଦଚନ୍ଦ୍ର ରାଜଦଣ୍ଡ ଭୟରେ ତାଙ୍କୁ ଗାଁରେ ଛାଡି ଦେଇଥିଲେ । ସ୍କୁଲ ଶିକ୍ଷାରୁ ବଞ୍ôଚତ ହେବା ପରେ ତାଙ୍କ ସାରା ଜୀବନ ହିଁ ଅବିରାମ ସଂଗ୍ରାମ ଭିତରେ ଗତି କରିଥିଲେ । ୧୯୨୦ରେ ଓଡ଼ିଶାରେ ପଣ୍ଡିତ ଗୋପବନ୍ଧୁଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନର ଶୁଭ ଦିଆ ଯାଇଥିଲା । ମହାତ୍ମାଗାନ୍ଧୀ ନିଜେ ଆସି କଟକ କାଠଯୋଡି ନଈ ବାଲିରେ ଏକ ସଭାରେ ଏହାର ତାତ୍ପର୍ଯ୍ୟ ବୁଝାଇଥିଲେ । ଓଡ଼ିଶାରେ ଖ୍ୟାତିନାମା ସଂଗ୍ରାମୀମାନଙ୍କ ଗହଣରେ କୃଷ୍ଣ ମୋହନ ମଧ୍ୟ ଏଥିରେ ଝାସ ଦେଇଥିଲେ । ହେଲେ ଅନ୍ୟମାନଙ୍କ କାର୍ଯ୍ୟ ଓ ସଂଗ୍ରାମର ଅବଦାନ ଯେପରି ଭାବରେ ଜନମାନସରେ ପ୍ରଘଟ ହୋଇଛି କୃଷ୍ଣ ମୋହନଙ୍କ ତ୍ୟାଗ କାହାରିଠାରୁ ଊଣା ନହେଲେ ମଧ୍ୟ ଦୁଃଖର କଥା ତାଙ୍କର କୃତି ଓ କୀର୍ତ୍ତି ଅଜଣା ଓ ଅଶୁଣା ହୋଇ ରହିଛି ।
୧୯୨୧ ମସିହାରେ ଆଇନ ଅମାନ୍ୟ ଆନ୍ଦୋଳନରେ ସେ ଝାସ ଦେଇ ଗାଁ ପାଖ ଖଡଗପୁର ହାଟରେ ବିଲାତି ବସ୍ତ୍ର ପୋଡ଼ି ଘଟଣାର ମୁଖ୍ୟ ପୁରୋଧା ଭାବେ ଅଭିଯୁକ୍ତ ହୋଇ ଦୁଇବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । କାରଗାରରୁ ଫେରିବା ପରେ ମା’ ମାଟିର ମୁକ୍ତି ପାଇଁ ସମଗ୍ର ଯାଜପୁରରେ ବିଦେଶୀ ହଟାଓ ଦେଶକୁ ବଞ୍ଚାଓ ସ୍ଲୋଗାନ ଦେଇ ସମସ୍ତଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କରିବା ଦିଗରେ ଆପ୍ରାଣ ଉଦ୍ୟମ କରିଥିଲେ । ଫଳରେ ବହୁ ବିପ୍ଳବୀ ଯୁବକ ଏହାକୁ ସାକାର କରିବା ପାଇଁ ତାଙ୍କ ସହ ହାତ ମିଳାଇଥିଲେ ସେମାନଙ୍କ ମଧ୍ୟରେ ଶଶିଭୂଷଣ ଦାଶ, ବିଶ୍ୱନାଥ ପଣ୍ଡା, ସଚ୍ଚିଜେନା, ଦିଗମ୍ବର ପଟ୍ଟନାୟକ, ବ୍ରହ୍ମାନନ୍ଦ ପଣ୍ଡା ଓ ବୃନ୍ଦାବନ ତ୍ରିପାଠୀ ଅନ୍ୟତମ ।
୧୯୨୭ରେ ଗାନ୍ଧିଜୀଙ୍କ ଡାକରାରେ ସେ କ୍ରାନ୍ତିକାରୀ ବାନର ସେନା ବାହିନୀରେ ଯୋଗଦେଇ କଟକଠାରେ ପିକେଟିଂ ୧୫ ଦିନ କାରାବାସ ଭୋଗ କରିଥିଲେ। ସେତେବେଳେ ତାଙ୍କ ସହ ବହୁ ସହକର୍ମୀ ଥିଲେ । ୧୯୩୦ ମସିହାରେ ସେ ଓଡ଼ିଶାର ମହାନ ବିପ୍ଲବୀ ୰ ଗୋପବନ୍ଧୁ ଚୋ÷ଧୁରୀଙ୍କ ସକ୍ରିୟ ସହଯୋଗୀ ଭାବରେ ବାଲେଶ୍ୱର ଇଞ୍ଚୁଡିଠାରେ ଲବଣ ସତ୍ୟାଗ୍ରହରେ ଯୋଗଦେଇ ପୁଲିସର ଅକଥନୀୟ ଅତ୍ୟାଚାରର ଶିକାର ହୋଇଥିଲେ । ୧୯୩୧ ମସିହାରେ ଅବକାରୀ ଦୋକାନମାନଙ୍କ ଆଗରେ ପିକେଟିଂ କରି ଆଇନ ଅମାନ୍ୟ ଅପରାଧର ବିଭିନ୍ନ ଦଫାରେ ଦଣ୍ଡିତ ହୋଇ ପାଟଣା ଜେଲରେ ଜୀବନ କାଟିଥିଲେ । ଜେଲରୁ ଫେରିବା ପରେ ୧୯୩୩-୩୪ ମସିହାରେ ସେ ଖଦି ବସ୍ତ୍ର ପ୍ରସାର କାମରେ ଯୋଗଦେଇ ଗ୍ରାମେ ଗ୍ରାମେ ସୂତାକାଟି ଓ ଲୁଗା, ଗାମୁଛା ବୁଣି ସ୍ୱାବଲମ୍ବୀ ହେବା ଦିଗରେ ଲୋକଙ୍କୁ ପ୍ରବର୍ତ୍ତାଉଥିଲେ । ୧୯୩୪ ମସିହାରେ ଓଡ଼ିଶାରେ ବାପୁଜୀଙ୍କର ଐତିହାସିକ ହରିଜନ ପଦଯାତ୍ରାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ସାମିଲ ହୋଇଥିଲେ ।
ପରବର୍ତ୍ତୀ ସମୟରେ ସେ ୧୯୩୯ ମସିହାରେ କଟକ ଜିଲା ବୋର୍ଡ, ୧୯୩୮ ମସିହାରେ ଯାଜପୁର ଲୋକାଲ ବୋର୍ଡ, ୧୯୪୦ମସିହାରେ କଂଗ୍ରେସ ଜୋନାଲ କମିଟି ତଥା ୧୯୪୮ ମସିହାରେ ରାଜ୍ୟ କଂଗ୍ରେସ କମିଟିକୁ ଅପ୍ରତିଦ୍ୱନ୍ଦ୍ୱୀ ସର୍ବସମ୍ମତ ନେତା ଭାବରେ ନିର୍ବାଚିତ ହୋଇଥିଲେ । ଏ ନେତୃତ୍ୱର ଗୋ÷ରବ ପାଇବା ପଛରେ ଥିଲା ତାଙ୍କର ଅସାମାନ୍ୟ ତ୍ୟାଗ, ନିଷ୍ଠା ଓ ଦେଶ ପ୍ରାଣତା ।
୧୯୪୨ ଭାରତ ଛାଡ ଆନ୍ଦୋଳନ ବେଳେ ବ୍ରିଟିଶ ଶାସନର ରକ୍ତମୁହାଁ ପୋଲିସୁ ମୁକାବିଲା କରିବା ନିମନ୍ତେ କଳକଳାଠାରୁ କୋଲଣଗିରି ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ଶତାଧିକ ସଂଗ୍ରାମକୁ ନେଇ ଭରତପୁର ନାଗା ମଠରେ ବୈଠକ, ଶାସନ ବ୍ୟବସ୍ଥାକୁ ଅଚଳ କରିବା ନିମନ୍ତେ ମରଣ ସେନାବାହିନୀ ଗଠନ ଓ ତାଙ୍କ ନେତୃତ୍ୱରେ ଟେଲିଗ୍ରାମ ଲାଇନ ତାର କାଟିବା, ପୋଲ ଭାଙ୍ଗି ଦେଇ ଯୋଗାଯୋଗ ବିଚ୍ଛିନ୍ନ କରିବା, ରେଳ ଲାଇନକୁ ଅଚଳ କରିବା ପ୍ରଭୃତି ଦୃଢ ନିଷ୍ପତ୍ତି ନେଇଥିଲେ । ବରୀ ନିକଟସ୍ଥ କାଇମାଟି ଠାରେ ସଂଗ୍ରାମୀମାନଙ୍କ ସହିତ ପୋଲିସ ମୁହାମୁହିଁ ହେବା ଫଳରେ ପୋଲିସର ୨୮ ରାଉଣ୍ଡ ଗୁଳି ଚାଳନାରେ ବହୁ ସଂଗ୍ରାମୀ ସହିଦ ହେବା ସଙ୍ଗେ ମାଟି ରକ୍ତରଞ୍ଜିତ ହୋଇଥିଲା ଓ କେତେକ ଗୁରୁତର ଆହତ କ୍ଷତବିକ୍ଷତ ହୋଇଥିଲେ । ଏହା ଇତିହାସ ପୃଷ୍ଠାରେ ଏକ ଲୋମହର୍ଷଣକାରୀ ଘଟଣା ହୋଇ ରହିଛି । ତାଙ୍କ ନେତୃତ୍ୱରେ ବାଲିଚନ୍ଦ୍ରପୁରରୁ ଡାକଘର, ଗଞ୍ଜେଇ ଅଫିସ ଦୋକାନ, ଥାନା କଚେରୀ, ଖମାର ଜଳକର, ଅଫିସ, କୁଆଁପାଳ ପୋଷ୍ଟ ଅଫିସ, କୁମୁଡାହାଟ ଅବକାରୀ ଦୋକାନ, ରାମଦାସପୁର କଚେରୀ ଓ ବିଦେଶୀ ବସ୍ତ୍ର ସର୍ବସମ୍ମୁଖରେ ପୋଡିବା ସମେତ ବାଲିପଡିଆ ଜମିଦାରର ଖମାର ଲୁଟ୍ କରାଯାଇଥିଲା । ତାଙ୍କର ଏତାଦୃଶ ବ୍ରିଟିଶ ଶାସନ ବିରୋଧୀ ରକ୍ତାପ୍ଲୁତ ଧ୍ୱଂସମୁଖୀ ଦୁର୍ବାର ବୈପ୍ଲବାତ୍ମକ କାର୍ଯ୍ୟକଳାପ ପାଇଁ ସେ ବ୍ରିଟିଶ ଶାସନର ବିଷ ଦୃଷ୍ଟିରେ ପଡିଥିଲେ। ତେଣୁ କୃଷ୍ଣମୋହନଙ୍କ ବିରୋଧରେ ‘ଦେଖିବା ମାତ୍ରେ ଗୁଳିକର’ ପରୱାନା ବା ଫତୁଆ ଜାରି କରିଥିଲେ । ପୁନଶ୍ଚ ଯେ ତାଙ୍କୁ ଜୀବନ୍ତ ଧରାଇ ଦେଇ ବ୍ରିଟିଶ ପୋଲିସ ଜିମା ଦେବ ତାଙ୍କୁ ୫୦୦ ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ ବୋଲି ଆଦେଶନାମା ଜାରି ହୋଇଥିଲା। ଏହି ଫତୁଆ ଜାରି ନାମା ଥିଲା - ସୁଟ ଆଟ୍ ଦି ସାଇଟ୍ ବା ଦେଖିବା ମାତ୍ରେ ଗୁଳିକର । ଇତ୍ୟବସରରେ ତାଙ୍କର ଅନ୍ତରଙ୍ଗ ସହଯୋଗୀ ସୁରେନ୍ଦ୍ର ନାଥ ଦ୍ୱିବେଦୀ ମୁସଲମାନ ବେଶରେ ଧୂଆଁପତ୍ର ବିକାଳୀ ହୋଇ ପହଞ୍ôଚ ତାଙ୍କୁ ଆତ୍ମ ସମର୍ପଣ ପାଇଁ ପରାମର୍ଶ ଦେଇଥିଲେ । ୧୯୪୨ ସେପ୍ଟେମ୍ବର ୮ ତାରିଖ ନିଶାର୍ଦ୍ଧରେ କୋଲଣଗିରି ମଠରେ ଅନ୍ତିମ ଗୁପ୍ତ ବୈଠକରେ ସେ ଆତ୍ମ ସମର୍ପଣ ପାଇଁ ନିଷ୍ପତ୍ତି ଶୁଣାଇଥିଲେ । କାରଣ ତାଙ୍କରି କୃତକର୍ମ ପାଇଁ ଓ ତାଙ୍କୁ ଧରିବାକୁ ଯାଇ ବିଫଳ ପୋଲିସମାନଙ୍କର ଦୁର୍ଦ୍ଦଶା, ଦଣ୍ଡର ଅନ୍ତନଥିଲା । ପରିଶେଷରେ ସେ ବରଦା ଗ୍ରାମ ଦଫାଦାର ବାସୁଦେବ ସାମଲଙ୍କ ମାଧ୍ୟମରେ ବଡଚଣା ପୋଲିସ ଅଧିକାରୀଙ୍କ ଦ୍ୱାରା ଗୋପାଳପୁର ଡାକ ବଙ୍ଗଳାରେ ଗିରଫ ହୋଇ କଟକ ଜେଲରେ ରାଜବନ୍ଦୀ (ବିଗ୍ରେଡ) ଭାବେ ରହିଥିଲେ । ତାଙ୍କ ବିରୋଧରେ ରାଜଦ୍ରୋହ ଷଡଯନ୍ତ୍ର ପୋଡାଜଳା ଏବଂ ସନ୍ତ୍ରାବାଦ ପ୍ରଭୃତି ଗୁରୁତର ଅପରାଧ ଅଭିଯୋଗରେ ଅଭିଯୁକ୍ତ କରାଯାଇ ସର୍ବାଧିକ ୨୨ ବର୍ଷ ମୋଟ କାରାଦଣ୍ଡାଦେଶ କରାଯାଇଥିଲା। ସେ ବନ୍ଦୀ ଜୀବନ କଟାଉଥିବା ସମୟରେ ଅତ୍ୟାଚାରୀ ଜମିଦାରଙ୍କ ଚକ୍ରାନ୍ତରେ ତିଗିରିଆ ଗ୍ରାମ ନିକଟସ୍ଥ ତାଙ୍କ ବାସ ଗୃହରେ ଅଗ୍ନି ସଂଯୋଗ କରାଯାଇଥିଲା । ଅସହାୟା ଭାବରେ ତାଙ୍କର ବୃଦ୍ଧା ଜନନୀ, ନିଃସନ୍ତାନ ବୟସ୍କ ଦାଦା ଓ ଖୁଡୀଙ୍କର ଗୃହ ଦାହରେ ମୃତ୍ୟୁ ହୋଇଥିଲା । ସେ ୩ବର୍ଷ ୭ମାସ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ମାତୃଭୂମି ଭାରତବର୍ଷ ୧୯୪୭ ଅଗଷ୍ଟ ୧୫ରେ ସ୍ୱାଧୀନ ହେବାର ଦେଖି ସେ ଆତ୍ମ ସନ୍ତୋଷ ଲାଭ କରିଥିଲେ ତା ୧୮.୯.୧୯୫୦ରେ ସେ ବମ୍ବେସ୍ଥ ନାସିକ କଂଗ୍ରେସ ଅଧିବେଶନରେ ଯୋଗଦାନ କରିବା ଥିଲା ବାସ୍ତବରେ ଅତ୍ୟନ୍ତ ଗର୍ବ ଓ ଗୋ÷ରବ । ସେଠାରୁ ପ୍ରତ୍ୟାବର୍ତ୍ତନ କରି ସେ ନିଜ ଅଞ୍ଚଳରେ କେତେକ ରଚନାତ୍ମକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଲେ । ଶିକ୍ଷାର ପ୍ରସାର ପାଇଁ ଦେକୁରୀ ଗ୍ରାମରେ ପ୍ରାଇମେରୀ ବିଦ୍ୟାଳୟ, ଖଡଗପୁର ବିଦ୍ୟାଳୟ ସ୍ଥାପନ, ସ୍ୱାସ୍ଥ୍ୟରକ୍ଷା ପାଇଁ ବରଦାଠାରେ କବିରାଜ ଖାନା, ଖଡଗପୁର ଠାରେ ସ୍ୱରାଜ ଆଶ୍ରମ ପ୍ରତିଷ୍ଠା ଓ ଗମନା ଗମନ ପାଇଁ ବରଦା ବାଉଜଙ୍ଗ ରାସ୍ତା ନିର୍ମାଣ କରିଥିଲେ । ଗତ ତା ୯.୨.୧୯୫୧ ମସିହାରେ ତାଙ୍କର ବିୟୋଗ ହୋଇଥିଲା । ସେ ଆଜି ନାହାନ୍ତି ସତ, ହେଲେ ରଖିଦେଇ ଯାଉଛନ୍ତି ଚିରନ୍ତନ ସ୍ମୃତି । କେବଳ ବ୍ରିଟିଶମାନଙ୍କୁ ଦେଶରୁ ତଡିବାକୁ ନୁହେଁ, ଅନ୍ୟାୟ, ଅତ୍ୟାଚାରୀର ଘୋର ବିରୋଧୀ ଥିଲେ ସେ । ଯାଜପୁର ସମେତ ବଡଚଣା ମାଟିରେ ଭାଗ ନେଇ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ଥିଲେ ବିପ୍ଳବର ଅନ୍ୟତମ କର୍ଣ୍ଣଧାର । ତାଙ୍କ ପରି ଗାନ୍ଧିବାଦୀ, ମହାନ ତ୍ୟାଗୀ ଦେଶପ୍ରେମୀ ଓ ବିପ୍ଳବୀ ମଣିଷ ବାସ୍ତବରେ ବିରଳ ।
ଏମ.ଆଇ.ଜି.ୱାନ ୪୨/୧
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ
ଭୁବନଶ୍ୱେର, ମୋ-୯୧୭୮୯୦୮୭୬୩