ମୟୂରଭଞ୍ଜରେ ଖଣି ସର୍ଭେ
ମୟୁରଭଞ୍ଜ ଜିଲ୍ଲାରେ ବାରିପଦା ନିକଟସ୍ଥ ଦୁଧିଆଶୋଳ ଗାଁ ନିକଟରେ ଉଚ୍ଚମାନର ନିକେଲ୍ ଖଣି ରହିଥିବା କେନ୍ଦ୍ର ଖଣି ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ ପାଇଛି । କେନ୍ଦ୍ର ଖଣି ମନ୍ତ୍ରାଳୟ ପକ୍ଷରୁ ଆବଶ୍ୟକୀୟ ସର୍ଭେ କରାଯାଇ ଏ ପ୍ରକାରର ତଥ୍ୟ ପ୍ରକାଶ କରାଯାଏ । ପୂର୍ବରୁ ଦେଶରେ ରହିଥିବା ନିକେଲ୍ ଖଣିଗୁଡ଼ିକରେ ଉକ୍ରୃଷ୍ଟମାନର ନିକେଲ୍ ବାହାରୁନଥିବାରୁ ଅନ୍ୟ ଦେଶରୁ ଭାରତ ନିକେଲ୍ ଆମଦାନୀ କରୁଥିଲା । ବର୍ତ୍ତମାନ ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ପ୍ରଗତି ଶୀର୍ଷ ସ୍ଥାନରେ ପହଞ୍ଚିଥିବା ବେଳେ ନିକେଲ୍ର ଚାହିଦା ଦିନକୁ ଦିନ ବଢୁଛି । ଦେଶର ଏଭଳି ଏକ ପରିସ୍ଥିତି ସମୟରେ କେନ୍ଦ୍ର ଖଣି ମନ୍ତ୍ରାଳୟ ଯେଉଁ ସର୍ଭେ କରୁଛି, ତାହା ଉପରେ ତତ୍ପରତା ପ୍ରକାଶ ପାଉନାହିଁ । ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ତମ୍ବା, ସୁନା, କୋବାଲ୍ଟ, ୟୁରାନିୟମ୍ ଭଳି ଖଣିଜ ପଦାର୍ଥ ରହିଥିବାର ପ୍ରକାଶ ପାଇଛି । ମୟୁରଭଞ୍ଜର ପଡ଼ୋଶୀ ଜିଲ୍ଲା କେନ୍ଦୁଝର ମଧ୍ୟ ବିଭିନ୍ନ ସମୟରେ ତେଲକୋଇ ଅଞ୍ଚଳରେ ସୁନାଖଣି ଥିବାର ଖବର ପ୍ରକାଶ ପାଇଛି । ହେଲେ ଏହିସବୁ ଖଣିଗୁଡ଼ିକୁ ଚାଲୁ କରିବା କ୍ଷେତ୍ରରେ କୌଣସି ବି ପଦକ୍ଷେପ ନିଆଯାଇନାହିଁ । ଅନ୍ୟପକ୍ଷରେ ଏହାର ସର୍ଭେ କାର୍ଯ୍ୟକୁ ବାରମ୍ବାର କରାଯାଉଥିବା ଦେଖାଯାଉଛି । ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ନିକଟସ୍ଥ କେଶରପୁର ନିକଟରେ ବିଭିନ୍ନ ଖଣିଜ ଦ୍ରବ୍ୟର ସର୍ଭେ କାମ ୧୯୬୯ରୁ ୧୯୭୭ ମସିହା ପର୍ଯ୍ୟନ୍ତ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଦ୍ୱାରା କରାଯାଇଥିଲା । ଏହା ପରେ ୧୯୭୮ ମସିହାରୁ ୧୯୮୫ ମସିହା ପର୍ଯ୍ୟନ୍ତ ତମ୍ବା ପଥର ମଧ୍ୟ ଉତ୍ତୋଳନ କରାଯାଇଥିଲା । ଏହି ଖଣି ସହିତ ସୁନା, କୋବାଲ୍ଟ, ନିକେଲ୍, ୟୁରାନିୟମ୍ ରହିଥିବାର ମଧ୍ୟ ଜଣାପଡ଼ିଲା । ହେଲେ ୧୯୮୫ ମସିହାରେ ସେହି ଖଣି କାମ ବନ୍ଦ ହୋଇଗଲା । ଏହାର କାରଣ ଅସ୍ପଷ୍ଟ ହୋଇ ରହିଗଲା । ୩୦ ମିଟରରୁ ୪୦୦ ମିଟର ଗଭୀରତା ମଧ୍ୟରେ ସୁନା ସହ ବିଭିନ୍ନ ଧାତୁ ରହିଥିବା ଜଣାପଡ଼ିଲା । ଏସବୁ ସତ୍ତ୍ୱେ ଏହି ଖଣିଗୁଡ଼ିକର ବିନିଯୋଗ କରାଯାଉନାହିଁ । ଏହିସବୁ ଖଣିଗୁଡ଼ିକୁ କାର୍ଯ୍ୟକାରୀ କରାଗଲେ ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ରାଜ୍ୟର ଖଣି ରାଜସ୍ୱ ବୃଦ୍ଧି ସହ ରାଜ୍ୟର ଆର୍ଥôକ ପ୍ରଗତି ହୋଇପାରିବ ।
ସେହିପରି ଦେବଗଡ଼ ଜିଲ୍ଲାରେ ମଧ୍ୟ ସୁନା ଖଣିର ସନ୍ଧାନ ମିଳିଛି । ଏ ସମ୍ପର୍କରେ ବିଧାନସଭାରେ ଅନେକବାର ଆଲୋଚନା ମଧ୍ୟ ହୋଇଛି ସତ; ଏହିସବୁ ଖଣିକୁ ଚାଲୁ କରାଯାଉନାହିଁ । କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାର କେତେକ ନଦୀର ବାଲିରେ ସ୍ୱର୍ଣ୍ଣରେଣୁ ରହିଥିବା ଦେଖାଯାଉଛି । କିଛି ସ୍ଥାନୀୟ ଲୋକେ ଏହାକୁ ସଂଗ୍ରହ କରୁଥିବା ମଧ୍ୟ ଜଣାପଡ଼ିଛି । ତେବେ ଏହି ସ୍ୱର୍ଣ୍ଣରେଣୁର ଉତ୍ସକୁ ଠାବ କରି ଖଣି କାର୍ଯ୍ୟ କରାଯିବା କ୍ଷେତ୍ରରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର କାହିଁକୁ ଉଦାସୀନ ତାହା ବୁଝାପଡୁନାହିଁ । ଖଣି ରାଜସ୍ୱ କ୍ଷେତ୍ରରେ ଓଡ଼ିଶା ବିପୁଳ ପରିମାଣର ଅର୍ଥ ପାଉଥିବା ବେଳେ ନୂଆ ଖଣି ଚାଲୁ କରାଗଲେ ଆର୍ଥôକ ଦୃଷ୍ଟିରୁ ରାଜ୍ୟର ବିକାଶ ତ୍ୱରାନ୍ୱିତ ହୋଇପାରିବ । ଅଥଚ ନୂଆ ଖଣି ସବୁ ରହିଥିବା କଥା ଜଣାପଡ଼ିବା ସତ୍ତ୍ୱେ ଖଣି ଖନନ କାର୍ଯ୍ୟ ହେଉନଥିବାରୁ ପ୍ରାକୃତିକ ସମ୍ପଦର ସଦ୍ବିନିଯୋଗ ହୋଇପାରୁନାହିଁ । ଦେଶର ଆର୍ଥôକ ପ୍ରଗତି ତଥା ବୈଷୟିକ ପ୍ରଗତି କ୍ଷେତ୍ରରେ ତମ୍ବା, କୋବାଲ୍ଟ, ନିକେଲ୍ ଏବଂ ୟୁରାନିୟମ୍ର ବ୍ୟବହାର ବଢ଼ି ଚାଲିଥିବା ବେଳେ ଏଦିଗରେ ଆତ୍ମନିର୍ଭର ହେବା ପାଇଁ କୌଣସି ବି ସୁଯୋଗକୁ ହାତଛଡ଼ା କରିବା ଅନୁଚିତ୍ । ଆଞ୍ଚଳିକ ବିକାଶ କ୍ଷେତ୍ରରେ ଖଣିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ନୂଆ ନୂଆ ଆବିଷ୍କୃତ ଖଣିଗୁଡ଼ିକୁ ଚାଲୁ କରାଯିବା କ୍ଷେତ୍ରରେ ବିଳମ୍ବ କରାଯିବା ଅନୁଚିତ୍ । ନୂଆ କରି ଆବିଷ୍କୃତ ହୋଇଥିବା ଖଣିଗୁଡ଼ିକ ତଫସିଲଭୁକ୍ତ ଜାତି, ଉପଜାତି ଅଧ୍ୟୁଷିତ ଅଞ୍ଚଳରେ ଥିବାରୁ ଏଗୁଡ଼ିକୁ କାର୍ଯ୍ୟକାରୀ କରାଗଲେ ଏ ବର୍ଗର ଲୋକ କର୍ମନିଯୁକ୍ତି ପାଇ ଆର୍ଥôକ କ୍ଷେତ୍ରରେ ସଶକ୍ତ ହୋଇପାରିବେ । ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ।