କୃଷ୍ଣ ସୁନ୍ଦରର ଲେଖିକା : ଅନା ସୁଲ୍
ମାତ୍ର ଗୋଟିଏ ଉପନ୍ୟାସ ଲେଖି ବିଶ୍ୱସ୍ତରରେ ପ୍ରସିଦ୍ଧ ହୋଇଥିବା କତିପୟ ସାହିତି୍ୟକାଙ୍କ ମଧ୍ୟରେ ଅନା ସୁଲ୍ ଜଣେ । ତାଙ୍କର ଏକମାତ୍ର ପ୍ରସିଦ୍ଧ କୃତିଟି ହେଉଛି ବ୍ଲାକ୍ ବିଉଟି ବା ଓଡ଼ିଆରେ କୃଷ୍ଣ ସୁନ୍ଦର । ମୃତୁ୍ୟର ମାତ୍ର ଦୁଇ ବର୍ଷ ପୂର୍ବରୁ ଅତ୍ୟନ୍ତ ଅସୁସ୍ଥ ଅବସ୍ଥାରେ ଶଯ୍ୟାଶାୟୀ ଥିବା ବେଳେ ଅନ୍ୟ ଉପନ୍ୟାସଟିର ରଚନା ଆରମ୍ଭ କରିଥିଲେ । ଟେବୁଲ ପାଖରେ ବସି ଲେଖି ପାରୁନଥିବାରୁ ସେ ଡାକୁଥିଲେ ଏବଂ ତାଙ୍କ ମାଆ ଲେଖୁଥିଲେ । ମାତ୍ର ଅଳ୍ପ କିଛି ପୃଷ୍ଠା ସେ ହାତରେ ଲେଖିଥିବା ଜଣାଯାଏ । ଉପନ୍ୟାସଟି ପ୍ରକାଶ ପାଇବାର ପାଞ୍ଚ ମାସ ପରେ ଆନାଙ୍କ ଦେହାନ୍ତ ହୋଇଥିଲା । ଉପନ୍ୟାସଟି ପାଠକ ପ୍ରିୟତା ହାସଲ କରିଥିବା ଶୁଣି ଶାନ୍ତିରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ୩୦ ମାର୍ଚ୍ଚ ୧୮୨୦ରେ ଇଂଲଣ୍ଡ ଅନ୍ତର୍ଗତ ଗ୍ରେଟ୍ ୟର୍ମାଉଥ୍ରେ ଏକ ଧାର୍ମିକ ପରିବାରରେ ଆନା ଜନ୍ମ ଗ୍ରହଣ କରିଥିଲେ । ମାଆ ମେରି ରାଇଟ୍ ସୁଲ ଥିଲେ ଶିଶୁ ଲେଖିକା । ବାର ବର୍ଷ ବୟସରେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଏକ ଦୁର୍ଘଟନା ଯୋଗୁଁ ଆନାଙ୍କ ଦୁଇଟିଯାକ ବଳା ଗଣ୍ଠି ଭାଙ୍ଗି ଯାଇଥିଲା । ତ୍ରୁଟିପୂର୍ଣ୍ଣ ଚିକିତ୍ସା ଓ ଦୁର୍ଭାଗ୍ୟ ଯୋଗୁଁ ସେ ଦୁଇଟି ଯୋଡ଼ି ହେବାରେ ଅନେକ ଦିନ ଲାଗିଯାଇଥିଲା ଏବଂ ଶେଷରେ ବିକୃତ ହୋଇଯାଇଥିଲା । ତେଣୁ ଆନା ଆଜୀବନ ଆଶାବାଡ଼ି ଧରି ଚାଲୁଥିଲେ । ଅଧିକାଂଶ ସମୟରେ ଘୋଡ଼ାଗାଡ଼ି ଉପରେ ନିର୍ଭର କରୁଥିଲେ । ଏହା ତାଙ୍କୁ ଘୋଡ଼ାଙ୍କ ଉପରେ ଉପନ୍ୟାସ ଲେଖିବା ପାଇଁ ଅନୁପ୍ରାଣିତ କରିଥିଲା । ବ୍ଲାକ୍ ବିଉଟିକୁ ଏକ ଶିଶୁ ସାହିତ୍ୟ ଭାବେ ଗ୍ରହଣ କରାଯାଇଥିଲେ ହେଁ ଆନା ଅଶ୍ୱପାଳକଙ୍କ ନିମନ୍ତେ ବହିଟି ଲେଖିଥିଲେ । ତାଙ୍କ ସମୟରେ ସଇସମାନେ ଘୋଡ଼ାଙ୍କ ଉପରେ ଅତି ନିର୍ଦ୍ଦୟ ଭାବେ ଅତ୍ୟାଚାର କରୁଥିଲେ । ଘୋଡ଼ାଙ୍କୁ ଦିଆଯାଉଥିବା ନିର୍ଯାତନା ବନ୍ଦ କରିବା ଲାଗି ଆନା ଉପନ୍ୟାସଟି ରଚନା କରିଥିଲେ । ଆନା ଜନ୍ମ ହୋଇଥିବା ଘରଟି ଏବେ ବି ଅଛି ଏବଂ ସେଠାରେ ଏକ ସଂଗ୍ରହାଳୟ ଚାଲିଛି । ଅନେକ ହୁଏତ ଜାଣିନଥିବେ ଅନାସୁଲ୍ଙ୍କ ଉପରୋକ୍ତ ପୁସ୍ତକ ବିଶ୍ୱର ଅନ୍ୟତମ ବେଷ୍ଟ ସେଲର ପୁସ୍ତକର ମାନ୍ୟତା ପାଇଛି । ଜଣେ ସାରସ୍ୱତ ସାଧିକା ବ୍ୟତୀତ ପ୍ରକୃତିକୁ ଭଲପାଉଥିବା ଏହି ସାହିତି୍ୟକ ପ୍ରକୃତି ଗହଣରେ ଭ୍ରମଣ କରି ମଧ୍ୟ କିଛି ରଚନା ଆମ ଭ୍ରମଣ କହାଣୀ ସାରସ୍ୱତ ଜଗତକୁ ସମୃଦ୍ଧ କରିଛନ୍ତି । ସେ ସବୁବେଳେ କୁହନ୍ତି ଯେ ସାରସ୍ୱତ ଜୀବନରେ ପ୍ରକୃତି ଠାରୁ ଶ୍ରେଷ୍ଠ ପ୍ରେରଣା ଅନ୍ୟ କେଉଁଠି ନାହିଁ । ୧୮୭୮ ଏପ୍ରିଲ ୨୫ ତାରିଖରେ ଆନାଙ୍କ ଦେହାନ୍ତ ହୋଇଥିଲା । ଜୀବନ ସଂଗ୍ରାମରେ ଭିନ୍ନକ୍ଷମ ହୋଇମଧ୍ୟ ନିଜକୁ ଅସହାୟ ମନେନକରି ବା ଅନ୍ୟ ମାନଙ୍କ ଉପରେ ନିର୍ଭର ନ ହୋଇ ବି ସେ ସାରସ୍ୱତ ସାଧନାରେ ଯେଉଁ କୃତି ଅର୍ଜନ କରିଛନ୍ତି ତାହା କ୍ୱଚିତ୍ ସାହିତି୍ୟକଙ୍କ ଭାଗ୍ୟରେ ମିଳେ । ଆମ ସମୟରେ ଅନେକ ଲେଖିକା ଜୀବନର ପ୍ରତିକୂଳତାକୁ ସାମ୍ନା ନକରି ଧୈର୍ଯ୍ୟହରା ହୋଇପଡ଼ୁଥିବାବେଳେ ଏହି କୃଷ୍ଣସୁନ୍ଦରର ଲେଖିକାଙ୍କ ଜୀବନନାମା ପ୍ରେରଣା ଯୋଗାଇବ ବୋଲି ଆଶା କରୁଛୁ ।
ଡ.ଅରୁନ୍ଧତୀ ଦେବୀ,ମୋ : ୯୯୩୭୧୭୨୮୧୦