ସତ୍ ପଥରେ ପରମାର୍ଥ ଲାଭ
ଉମାଶଙ୍କର ପ୍ରସାଦ : ଦୁନିଆଁ ନୀତି-ନିୟମରେ ବନ୍ଧା । କିନ୍ତୁ ଯେଉଁଠି ନୀତି ନାହିଁ କି ନିୟମ ନାହିଁ ସେଠି ସ୍ୱେଚ୍ଛାଚାର ଭ୍ରଷ୍ଟାଚାର ପ୍ରବେଶ କରିବା ସହଜ ମନେହୁଏ । ପୂର୍ବକାଳରେ ଯେଉଁ ରାଜା ତା’ର ରାଜ୍ୟକୁ ଠିକ୍ ନୀତିନିୟମ ରେ ପରିଚାଳନା କରି ଚାଲୁଥିଲା ସେଇ ରାଜା ଏବଂ ସେଇ ରାଜ୍ୟକୁ ଉକ୍ରୃଷ୍ଟ ବୋଲି କୁହାଯାଉଥିଲା । ନୀତି ନିୟମରେ ପରଚାଳିତ ରାଜ୍ୟରେ ପ୍ରଜାମାନେ ଅଶାନ୍ତି ଏବଂ ଅସାର ଅନୁଭବ କରୁନଥିଲେ । ଶାସନ କ୍ଷେତ୍ରରେ ଏହାହିଁ ଆବଶ୍ୟକ । ମାତ୍ର ଯେଉଁଠି ଦୁର୍ନୀତି ପ୍ରବେଶ କରେ ତାହାକୁ କଳଙ୍କିତ ଶାସନ ବୋଲି କୁହାଯାଏ । କାରଣ ଶାସନକୁ ପରିଚାଳନା କରୁଥିବା ଦଣ୍ଡଧାରୀ ଦୁର୍ନୀତି ନିୟନ୍ତ୍ରଣ କରିବାରେ ମୋଟେ ପାରଙ୍ଗମ ନୁହେଁ ।
ଆଜି ଦେଶରେ ବା ରାଜ୍ୟରେ ରାଜତନ୍ତ୍ର ସ୍ଥାନରେ ଗଣତନ୍ତ୍ରର ଶାସନ ଚାଲିଛି । ରାଜାଙ୍କ ସ୍ଥାନରେ ମନ୍ତ୍ରୀ ଓ ସଚ୍ଚିବ ମାନଙ୍କର ରାଜୁତି ଚାଲିଛି । ସ୍ମରଣ ଯୋଗ୍ୟ ଯେ ଏହି ଦେଶକୁ ଯେତେବେଳେ ଇଂରେଜ ବଣିକ ଶାସନ କରୁଥିଲେ ସେତେବେଳେ ମଧ୍ୟ ଇଂରେଜ କର୍ମଚାରୀମାନେ ଦୁର୍ନୀତିରେ ଲିପ୍ତ ଥିଲେ । ଏହାର କାରଣ ଭିନ୍ନ ଥିଲା । ସ୍ୱର୍ଣ୍ଣପ୍ରସୁ ଭାରତରୁ ଧନ ରତ୍ନ ଲୁଣ୍ଠନ କରିନେବା ସେମାନଙ୍କର ଉଦେ୍ଦଶ୍ୟ ଥିଲା । କିନ୍ତୁ ଦେଶ ସ୍ୱାଧୀନ ହେଲା ପରେ ଦେଶକୁ ଗଢିବାର ଯାହାର ଗୁରୁ ଦାୟିତ୍ୱ ସେମାନେ ଦେଶକୁ ଗଢିବାର ଦାୟିତ୍ୱକୁ ଭୁଲି ଆପଣା ସ୍ୱାର୍ଥ ଚରିତାର୍ଥ କରିବା ନିମନ୍ତେ ଛୋଟଠାରୁ ଆରମ୍ଭ କରି ବଡ ବାବୁ ତଥା କର୍ମଚାରୀମାନେ ଅର୍ଥ ଅତ୍ମସାତ କରିବାରେ ବ୍ୟସ୍ତ । ଏହାଠାରୁ ବଳି କ୍ଷୋଭର ବିଷୟ କ’ଣ ଥାଇପାରେ! ପ୍ରଶାସନର ବିଭିନ୍ନ ପଦ ପଦବୀଧାରୀ ବାବୁମାନେ ମନ୍ତ୍ରୀଙ୍କୁ ତେଲମାରି ରାଜ୍ୟବାସୀଙ୍କ ଅର୍ଥକୁ ଆତ୍ମସାତ କରିବାରେ ବ୍ୟସ୍ତ । ଏ ସବୁ ଦେଖି ସୁଦ୍ଧା ଶାସକ ମାନେ ନୀରବ ଦ୍ରଷ୍ଟା । ତେଣୁ ଆଜି ସମାଜରୁ ସତ୍ୟର ବିଲୟ ହେବାରେ ଲାଗିଛି । କିନ୍ତୁ ‘ସତ୍ୟ ଯେ ପରମାର୍ଥ ଲାଭର ଏକମାତ୍ର ପନ୍ଥା’ ଏ କଥାକୁ ଆଜିର ଶାସକ ଭୁଲିଯିବାରୁ ଦେଶ ତଥା ରାଜ୍ୟ ପ୍ରତି ମୁହୁର୍ତ୍ତରେ ସଙ୍କଟର ସମୁଖୀନ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଏକ ସୁନ୍ଦର କାହାଣୀଟିଏ ମନେପଡେ ।:- “ ବାରାଣସୀ ରାଜା ବ୍ରହ୍ମଦତ୍ତଙ୍କ ରାଜପୁରୋହିତଙ୍କ ନାମ ଥିଲା ଦେବମିତ୍ର । ଦେବମିତ୍ର ମହାଜ୍ଞାନୀ, ରୂପବାନ, ଶୀଳ, ସଦାଚାର, ନୀତିବାନ ବ୍ୟକ୍ତି ଥିଲେ । ଏଥିପାଇଁ ରାଜ୍ୟବାସୀଙ୍କ ସହିତ ରାଜାବ୍ରହ୍ମଦତ୍ତ ତାଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ସମ୍ମାନ କରୁଥିଲେ । ଦେବମିତ୍ର ଥରେ ବିଚାର କଲେ କେଉଁ ଗୁଣ ଯୋଗୁ ମୋତେ ରାଜାଙ୍କ ସହିତ ରାଜ୍ୟବାସୀ ମାନେ ଏପରି ବିପୁଳ ସମ୍ମାନ ଦେଉଛନ୍ତି? ଏହି କଥା ପରୀକ୍ଷା କରିବା ପାଇଁ ଦେବମିତ୍ର ମନେ ମନେ ବିଚାର କଲେ । ଦିନକର କଥା! ରାଜସଭା ଶେଷରେ ପଣ୍ଡିତ ଦେବମିତ୍ର ପ୍ରତ୍ୟେହ ନିଜ ଘରକୁ ଫେରୁଥିବା ପଥରେ କୋଷାଗାର ପଡିଥାଏ । ସେଦିନ ଦେବମିତ୍ର କୋଷାଗାର ମଧ୍ୟକୁ ପ୍ରବେଶ କରି ଗୋଟିଏ ମାତ୍ର ପାହୁଲା ରାଜକୋଷରୁ ଚୋରି କରି ଅଣ୍ଟାରେ ଖୋସିଦେଲେ । ଏ କଥା କୋଷାଧ୍ୟକ୍ଷ ଦେଖିଥିଲେ ମଧ୍ୟ ନଜାଣିଲା ପରି ଅଭିନୟ କରିଥିଲେ ଏବଂ ମନରେ ଭାବିଥିଲେ ପଣ୍ଡିତ ଦେବମିତ୍ର କୈାଣସି ଏକ ବିଶେଷ କାରଣ ଯୋଗୁ ଏକଥା କରିଥାଇ ପାରନ୍ତି । ତା’ପରଦିନ ମଧ୍ୟ ଦେବମିତ୍ର କୋଷାଗାର ମଧ୍ୟରୁ ଦୁଇପାହୁଲା ଚୋରି କରି ଅଣ୍ଟାରେ ଖୋସିଦେଇ ବାହାରି ଗଲେ । ଏଥର ମଧ୍ୟ କୋଷାଧ୍ୟକ୍ଷ ଦେଖିକରି ମୁହଁ ବୁଲାଇ ଦେଲେ । ତୃତୀୟ ଦିନ ମଧ୍ୟ ଦେବମିତ୍ର କୋଷାଗାର ମଧ୍ୟରୁ ଚାରିପାହୁଲା ଚୋରିକଲେ, ଏଥରବି କୋଷାଧ୍ୟକ୍ଷ ଦେଖି ନଦେଖିବାର ଅଭିନୟ କଲେ । ଚତୁର୍ଥ ଦିନ ଦେବମିତ୍ର ରାଜକୋଷ ଛୁଇଁବା ମାତ୍ରେ କୋଷାଧ୍ୟକ୍ଷ ଦେବମିତ୍ରଙ୍କୁ ଧରି ରାଜକର୍ମଚାରୀଙ୍କ ଦ୍ୱାରା ବାନ୍ଧି ଦେଲେ ଏବଂ ହାତକଡି ଲଗାଇ ସାଧାରଣ ଚୋରଙ୍କ ଭଳି ଦେବମିତ୍ରଙ୍କୁ ଚଲାଇ ଚଲାଇ ରାଜ ଦରବାରକୁ ନେଇଥିଲେ । ଏପରି ଅବସ୍ଥାରେ ଦେବମିତ୍ର ଯାଉଥିବା ବେଳେ ହଜାର ହଜାର ଲୋକ ରାସ୍ତାକଡରେ ରୁଣ୍ଡ ହୋଇ କିଏ କେତେ ପ୍ରକାର କଥା କହୁଥିଲେ । ବନ୍ଧା ହୋଇ ଦେବମିତ୍ର ଦରବାରରେ ପହଞ୍ଚିବା ପରେ ରାଜସଭା ସ୍ତବ୍ଧ ହୋଇ ଯାଇଥିଲା ! ଦେବମିତ୍ରଙ୍କ ଭଳି ଜ୍ଞାନୀ ଗୁଣୀ ସଜ୍ଜନ ଓ ନୀତିବାନ ବ୍ୟକ୍ତି ଏପରି ହୀନ କର୍ମ କରିବାର କାରଣ କ’ଣ? କୋଷାଧ୍ୟକ୍ଷଙ୍କ ଠାରୁ ରାଜା ସବୁକଥା ଶୁଣିସାରି ନିଜର ଦଣ୍ଡ ଘୋଷଣା କରି କହିଲେ ଦଣ୍ଡସ୍ୱରୁପ ଦେବମିତ୍ରଙ୍କ ଡାହାଣ ହାତର ଆଙ୍ଗୁଳି କାଟିଦେବା ପାଇଁ ନିଦେ୍ର୍ଦଶ ଦେଲେ ।
ଦଣ୍ଡ ଶୁଣିବା ପରେ ଦେବମିତ୍ର ଉଚ୍ଚସ୍ୱରରେ ହସି ଉଠିଲେ । ହସିବାର କାରଣ ରାଜା ପଚାରିବା ପରେ ଦେବମିତ୍ର କହିଲେ ଆପଣ ମୋତେ ଏତେ ଶ୍ରଦ୍ଧା ସମ୍ମାନ କରୁଥିଲେ, ଅଥଚ ମୋର ଏହି ସାଧାରଣ ଦୋଷ ପାଇଁ କ୍ଷମା କରିପାରିଲେ ନାହିଁ? ଏଇଥିପାଇଁ ହସିଦେଲି । ରାଜା କହିଲେ ତୁମ ଦୋଷ ପାଇଁ ସମୁଚିତ ଦଣ୍ଡ ବିଧାନ କରିଛି । ଆପଣ ଯଦି ମୋର କିଛି ଚୋରି କରିଥାନ୍ତେ ତେବେ ମୁଁ ଆପଣଙ୍କୁ ଅବଶ୍ୟ କ୍ଷମା କରିଥାନ୍ତି ମାତ୍ର ଆପଣ ରାଜକୋଷରୁ ଚୋରି କରିଛନ୍ତି । ରାଜକୋଷ ପ୍ରଜାଙ୍କ କର ତଥା ଦାନରେ ଗଢା ତେଣୁ ଆପଣଙ୍କ କର୍ମପାଇଁ କ୍ଷମା ନାହିଁ । ବିଚାର ସମୟରେ ଉଚ୍ଚ, ନୀଚ୍ଚ, ଧନୀ, ମାନୀ, ଦରିଦ୍ର, ଭାଇ ଭାର୍ଯ୍ୟା, ପୁତ୍ର, ମିତ୍ର ସମସ୍ତେ ସମାନ । ମୋ ପୁଅ କିମ୍ବା ଭାଇ ଯଦି ଏ କର୍ମ କରିଥାନ୍ତା ତେବେ ତାକୁ ମଧ୍ୟ ଏ ଦଣ୍ଡ ଦିଆ ଯାଇଥାନ୍ତା । ତୁମେ ତ ବିଦ୍ୱାନ ବ୍ୟକ୍ତି । ନିଶ୍ଚୟ ରାମାୟଣ ପାଠ କରିଥିବ । ରାମାୟଣରେ ଲେଖାଅଛି- “ ରାଜାଭିର୍ଧୃତ ଦଣ୍ଡାଶ୍ଚ କୃତ୍ୱା ପାପାନି ମାନବାଃ/ ନିର୍ମଳାଃ ସ୍ୱର୍ଗ ମାୟାନ୍ତି ସନ୍ତଃ ସୁକୃତିନୋ ଯଥା/ ଶାସନାଦ୍ ବାପି ମୋକ୍ଷାଦ୍ୱା ସ୍ତେନଃ ପାପାତ୍ ପ୍ରମୁଚ୍ଚ୍ୟତେ ରାଜାତ୍ୱ ଶାସନ୍ ପାପସ୍ୟ ତଦ୍ବାପ୍ନୋତି କିଲ୍ୱିଷମ୍” । ( କିଷ୍କିନ୍ଦା କାଣ୍ଡ ୧୮/୩୧-୩୨) ଅର୍ଥାତ- ମନୁଷ୍ୟ ପାପ କରି ଯଦି ରାଜଦଣ୍ଡ ଗ୍ରହଣ କରି ଅନୁତାପ କରେ ତେବେ ସେ ଶୁଦ୍ଧ ହୋଇ ସତ୍ ପୁରୁଷ ଭଳି ସ୍ୱର୍ଗ ଯାତ୍ରା କରିଥାଏ । କିନ୍ତୁ ରାଜା ବା ଶାସକ ଯଦି ଦୋଷୀକୁ ଦଣ୍ଡ ନଦେଇ ଛାଡି ଦିଏ ତେବେ ସେ ନିଜେ ରାଜା ଉକ୍ତ ପାପର ଭାଗିଦାର ହୋଇଥାଏ । ଆଜିର ନେତୃବର୍ଗ ଏଭଳି ବିଚାର କରୁଛନ୍ତି କି? ଆଜି ରାଜକୋଷକୁ ଦିବା ଲୋକରେ ଲୁଣ୍ଠନ ହେଉଛି ତାହା ପୁଣି ଶାସକର ସହମତିରେ ।
ଦେବମିତ୍ର କହିଲେ ଆପଣ ଭଲଭାବରେ ମୋର ଚରିତ୍ର ଜାଣନ୍ତି ।ମୋର ଧନର ଅଭାବ ନାହିଁ କି ମୁଁ ଚୋର ପ୍ରକୃତିର ନୁହେଁ । ତଥାପି ମୁଁ କ’ଣ ପାଇଁ ରାଜକୋଷରୁ ଚୋରି କଲି , ବିଚାର ସମୟରେ ଆପଣ ମୋତେ ପଚାରିଲେ ନାହିଁ କାହିଁକି? ଏହା କ’ଣ ଏକ ଉତ୍ତମ ବିଚାରକର କର୍ତ୍ତବ୍ୟ ନୁହେଁ କି? ରାଜା କହିଲେ ତେବେ ଆପଣ କଣପାଇଁ ଚୋରି କଲେ କୁହନ୍ତୁ । ଦେବମିତ୍ର କହିଲେ ଆପଣଙ୍କ ରାଜ୍ୟରେ ମୋତେ ବିପୁଳ ସମ୍ମାନ ମିଳୁଛି, କ’ଣ ପାଇଁ ମିଳୁଛି ତାହା ଜାଣିବା ପାଇଁ ମୁଁ ଚୋରି କରିଛି । ବର୍ତ୍ତମାନ ମୁଁ ଏଥିରୁ ଏତିକି ଶିକ୍ଷା କଲି ଯେ ବିଦ୍ୟା, ବିଭୂତି, ଯୌବନ, ମାନ, ସମ୍ମାନ କେହି ହେଲେ ଦୋଷକଲେ ସାହାଯ୍ୟ କରି ପାରିବେ ନାହିଁ । ଅବଶ୍ୟ ଜୀବନ ପାଇଁ ବିଦ୍ୟା, ବିଭୂତିର ପ୍ରୟୋଜନ ରହିଛି କିନ୍ତୁ ସତ୍ପଥ ବ୍ୟତୀତ ଦଣ୍ଡମୁକ୍ତ କେହି କରି ପାରିବେ ନାହିଁ । ରାଜକୋଷରୁ ନେଇଥିବା ଅର୍ଥକୁ ମୁଁ କୋଷାଧ୍ୟକ୍ଷଙ୍କ ଉପସ୍ଥିତିରେ ନେଇଛି ଏବଂ ତାହା ସବୁ ଆପଣଙ୍କ ଅବସର ପ୍ରାପ୍ତ ଅର୍ଥମନ୍ତ୍ରୀଙ୍କ ନିକଟରେ ରଖିଦେଇଛି । ହେ ରାଜନ ମୁଁ ଲଗାତାର ୪ ଥର ଚୋରି କରିବା ପରେ କୋଷାଧ୍ୟକ୍ଷ ମୋତେ ରାଜ ଦରବାରରେ ପହଞ୍ଚାଇଲେ ଯାହା ତାଙ୍କର ରାଜଧର୍ମର ବିରୁଦ୍ଧାଚରଣ, ତେଣୁ କୋଷାଧ୍ୟକ୍ଷ ମୋର ଦ୍ୱିତୀୟ ବାର ଚୋରି ସମୟରେ ମୋତେ ରାଜ ଦରବାରରେ ପହଞ୍ଚାଇବାର ଥିଲା । ତେଣୁ ଏ ଗପଟି ଏଠାରେ ଅବତାରଣା କରିବାର ଯଥାର୍ଥ ଏହା ଯେ ଆଜି ଆମ ନେତୃବର୍ଗୀୟ ଜନସାଧାରଣଙ୍କ ଆୟରେ ଭରିଥିବା ରାଜକୋଷକୁ କିପରି ନିଜର ବିଳାସ ବ୍ୟସନରେ ବିନିର୍ବ୍ୟୟ କରୁଛନ୍ତି ତାହା ମୋର ବିଜ୍ଞ ପ୍ରାଜ୍ଞ ପାଠକ ମାନେ ବିଚାର କରିବେ ।
ଖୋର୍ଦ୍ଧା
ମୋ:୬୩୭୦୬ ୭୫୫୬୨