ଭାରତ ମୃତ ଅର୍ଥନୀତି: ଟ୍ରମ୍ପ ରାହୁଲ କହିଲେ ଟ୍ରମ୍ପ ସତ କହୁଛନ୍ତି
ନୂଆଦିଲ୍ଲୀ : ରୁଷ ସହିତ ତେଲ ଆମଦାନୀ ଓ ବାଣିଜ୍ୟ କାରବାରକୁ ନେଇ ଭାରତ ଉପରେ ଖପ୍ପା ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ସେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍ପ ବୋମା ଫିଙ୍ଗିଛନ୍ତି । ଏହାର ଗୋଟିଏ ଦିନ ପରେ ପୁଣି ଭାରତକୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ । ଟ୍ରୁଥ୍ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, ଭାରତ ରୁଷ ସହିତ କ'ଣ କରେ ତାହା ମୋତେ ଚିନ୍ତା ନାହିଁ । ସେମାନେ ମିଳିମିଶି ନିଜ ମୃତ ଅର୍ଥନୀତିକୁ ନଷ୍ଟ କରୁଛନ୍ତି, ଏହାର ମୋ ପାଇଁ କୌଣସି ମୂଲ୍ୟ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଭାରତ ସହିତ ବହୁତ କମ୍ ବାଣିଜ୍ୟ କରିଛୁ, ସେମାନଙ୍କର ଶୁଳ୍କ ବହୁତ ଅଧିକ, ବିଶ୍ୱରେ ସର୍ବାଧିକ ।
ନୂଆଦିଲ୍ଲୀ ଓ ମସ୍କୋ ବିରୁଦ୍ଧରେ ଟ୍ରମ୍ପଙ୍କ ବୟାନବାଜି ସୂଚିତ କରୁଛି, ଯାହା ବିଶ୍ୱ ଚାପ ସତ୍ତ୍ୱେ ରୁଷ ସହିତ ବିଶେଷକରି ଶକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ନିରନ୍ତର ଆର୍ଥିକ ଏବଂ ରଣନୈତିକ ସମ୍ପର୍କ ଉପରେ ଗଭୀର ହତାଶାକୁ ପ୍ରତିଫଳିତ କରୁଛି । ଏହି ବିବୃତ୍ତି ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି, ବିରୋଧୀମାନେ ଆମେରିକା ରାଷ୍ଟ୍ରପତିଙ୍କୁ କୂଟନୈତିକ ସମ୍ପର୍କକୁ ଦୁର୍ବଳ କରୁଥିବା ଏବଂ ବିଶ୍ୱସ୍ତରୀୟ ମେଣ୍ଟ ଗଠନ ପାଇଁ ଜବରଦସ୍ତି ରଣନୀତି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ବୟାନକୁ ସମର୍ଥନ କରିଛନ୍ତି । ରାହୁଲ କହିଛନ୍ତି ଯେ ଏହି ବୟାନ ସତ୍ୟକୁ ପ୍ରତିଫଳିତ କରେ, ଯାହାକୁ କେବଳ ଭାରତ ସରକାର ଗ୍ରହଣ କରିବାକୁ ମନା କରନ୍ତି । ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି,"ହଁ ସେ ଠିକ୍ କହିଛନ୍ତି । ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ସମସ୍ତେ ଏହା ଜାଣନ୍ତି । ସମସ୍ତେ ଜାଣନ୍ତି ଯେ ଭାରତୀୟ ଅର୍ଥନୀତି ଏକ ମୃତ ଅର୍ଥନୀତି । ମୁଁ ଖୁସି ଯେ ରାଷ୍ଟ୍ରପତି ଟ୍ରମ୍ପ ଏହି ସତ୍ୟକୁ ଆଗକୁ ବଢାଇଛନ୍ତି । ସମଗ୍ର ବିଶ୍ୱ ଜାଣେ ଯେ ଭାରତୀୟ ଅର୍ଥନୀତି ଏକ ମୃତ ଅର୍ଥନୀତି । ବିଜେପି ଆଦାନୀଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥନୀତିକୁ ନଷ୍ଟ କରିଛି ।
ସରକାରଙ୍କ ବୈଦେଶିକ ନୀତି ବିଷୟରେ ରାହୁଲ କହିଛନ୍ତି, "ବୈଦେଶିକ ମନ୍ତ୍ରୀ ଦାବି କରନ୍ତି ଯେ ଆମର ଏକ ପ୍ରତିଭାଶାଳୀ ବୈଦେଶିକ ନୀତି ଅଛି । କିନ୍ତୁ ଆମେରିକା ଆମକୁ ଅପମାନିତ କରୁଛି, ଚୀନ୍ ଆମକୁ ଧମକ ଦେଉଛି ଏବଂ ଯେତେବେଳେ ଆମେ କୂଟନୈତିକ ପ୍ରତିନିଧିମଣ୍ଡଳୀ ପଠାଉଛୁ, କୌଣସି ଦେଶ ପାକିସ୍ତାନ ବିରୁଦ୍ଧରେ ଆମ ସହିତ ଠିଆ ହୁଏ ନାହିଁ । ଏହାକୁ କ'ଣ ସେମାନେ କୂଟନୀତି ବୋଲି କୁହନ୍ତି?’ ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଆମେରିକା ସହିତ ଆଗାମୀ ଯେକୌଣସି ବାଣିଜ୍ୟ ଚୁକ୍ତି ୱାଶିଂଟନ ଦ୍ୱାରା ନିଦେ୍ର୍ଦଶିତ ହେବ । "ଟ୍ରମ୍ପ ଚୁକ୍ତିକୁ ପରିଭାଷିତ କରିବେ ଏବଂ ମୋଦି କେବଳ ନିଦେ୍ର୍ଦଶ ପାଳନ କରିବେ ବୋଲି ରାହୁଲ କହିଛନ୍ତି ।