ଭିଡିଓ କଲ୍ରେ ପାକ୍ ଯୁବତୀଙ୍କୁ ବିବାହ : ଚାକିରିରୁ ବିଦା ହେଲେ ସିଆର୍ପିଏଫ୍ ଯବାନ
ନୂଆଦିଲ୍ଲୀ: ପହେଲଗାମ ଆକ୍ରମଣକୁ ନେଇ ପାକ୍ ଉପରେ ଭାରତ ଗୋଟିଏ ପରେ ଗୋଟିଏ ରହିତାଦେଶ ଜାରି କରିବାରେ ଲାଗିଛି । ଏପରିକି ଭାରତରେ ଆଶ୍ରୟ ନେଇଥିବା ପାକିସ୍ତାନୀଙ୍କୁ ଦେଶାନ୍ତର କରିବା ପାଇଁ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଅଟାରୀ-ୱାଘା ସୀମା ଦେଇ ଅଧିକାଂଶ ପାକିସ୍ତାନୀଙ୍କୁ ବିତାଡ଼ିତ କରାଯାଉଛି । ଏହି ଆକ୍ରୋଶମୂଳକ ତଥା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ସିଆର୍ପିଏଫ୍ରେ କାର୍ଯ୍ୟରତ ମୁନୀର୍ ଅହମ୍ମଦ ନାମକ ଜଣେ ଯବାନ ପାକ୍ ଯୁବତୀଙ୍କୁ ବିବାହ କରିଥିବା ଜଣାପଡ଼ିବା ପରେ ତାଙ୍କୁ ଚାକିରିରୁ ବିଦା କରାଯାଇଛି । ମୁନିର ପାରାମିଲିଟାରୀ ସିଆର୍ପିଏଫ୍ର ୪୧ତମ ବାଟାଲିୟନ୍ରେ କାର୍ଯ୍ୟରତ ଥିବା ବେଳେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସିଆର୍ପିଏଫ୍ ଡିଆଜି ଏମ୍ ଧିନାକରନ୍ କହିଛନ୍ତି । ଏହାସହ ସେ କହିଛନ୍ତି ପାକ୍ ଉପରେ ଭାରତ ନେଉଥିବା ପଦକ୍ଷେପ ନିୟମାନୁସାରେ ଏଥିପାଇଁ ତଦନ୍ତର କୌଣସି ଆବଶ୍ୟକତା ନାହିଁ, ଜରୁରୀକାଳିନ ଭିତ୍ତିରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ସୂଚନାଯୋଗ୍ୟ ଗତବର୍ଷ ମଇ ମାସରେ ମୁନିର ମିନାଲ ଖାନ୍ ନାମକ ଜଣେ ପାକିସ୍ତାନ୍ ଯୁବତୀଙ୍କୁ ମୁସଲିମ୍ ରୀତିନୀତିରେ ତଥା ଭିଡିଓ କଲ୍ ଜରିଆରେ ବିବାହ କରିଛନ୍ତି । ତେବେ ମୁନିରଙ୍କ ସହ ମିନାଲଙ୍କ କିଛି ବୈବାହିକ ସମ୍ପର୍କ ରହିଛି କି ନାହିଁ କିମ୍ବା ମିନାଲ ଭାରତକୁ ଆସି ଏଠାରେ କେତେଦିନ ଅବସ୍ଥାନ କରିଛନ୍ତି କି ନାହିଁ ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ସିଆର୍ପିଏଫ୍ ।