‘ଭିବି ଜି ରାମ ଜି’ର ଲକ୍ଷ୍ୟ ବିକଶିତ ଭାରତ 

‘ଭିବି ଜି ରାମ ଜି’ର ଲକ୍ଷ୍ୟ ବିକଶିତ ଭାରତ 
  • ଲୋକଙ୍କୁ ରୋଜଗାର ଦେବାରେ ବିଫଳ ହୋଇଥିଲା ମନରେଗା

  • ଗାନ୍ଧିଙ୍କ ନାଁ ବ୍ୟବହାର କରି ରାଜନୈତିକ ଫାଇଦା ନେଉଥିଲେ ବିରୋଧୀ

  • ୧୨୫ ଦିନର ରୋଜଗାର ସୁନିଶ୍ଚିତ

  • ଶ୍ରମିକଙ୍କ ହାତକୁ ଯିବ ମଜୁରୀ

  • ଅଧିକ ଦିନ କାମ, ଅଧିକ ଆୟ, ଅଧିକ ସୁରକ୍ଷା

ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ (ଭିବି ଜି ରାମ ଜି)ବିଲ୍‌ ସଂସଦରେ ପାଶ୍‌ ହୋଇ ଆଇନ୍‌ରେ ପ୍ରଣୟନ ହୋଇଛି । ମହାତ୍ମା ଗାନ୍ଧୀଙ୍କ ଗ୍ରାମ୍ୟ ସ୍ୱରୋଜଗାର ଲକ୍ଷ୍ୟକୁ ବାସ୍ତବରେ କିପରି ହାସଲ କରାଯାଇପାରିବ ତାହା ହେଉଛି ବିକଶିତ ଭାରତର ଉଦ୍ଦେଶ୍ୟ । କେବଳ ତାଙ୍କ ନାମକୁ ବ୍ୟବହାର କରି ରାଜନୈତିକ ଫାଇଦା ଉଠାଇବା ଆମର ଲକ୍ଷ୍ୟ ନୁହେଁ । ବିରୋଧୀ ଦଳଗୁଡିକ ନାନା ପ୍ରକାର ଅପପ୍ରଚାର କରୁଛନ୍ତି । ଏହାକୁ କୃଷକ ବିରୋଧୀ ଏବଂ ଗରିବ ବିରୋଧୀ ବୋଲି ସେମାନେ ଦର୍ଶାଉଛନ୍ତି । କିନ୍ତୁ କୃଷକ ଓ ଶ୍ରମିକ କଲ୍ୟାଣ ପାଇଁ ଏହି ଆଇନ୍‌ରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । 


   ଶ୍ରୀ ମାଝୀ କହିଛନ୍ତିଯେ, ୨୦୦୫ରେ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା(ନରେଗା) ଆରମ୍ଭ କରାଯାଇଥିଲା । ଗତ ୨୦ ବର୍ଷ ଧରି ସାରା ଦେଶରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ୨୦୦୯ରେ ଉକ୍ତ ଯୋଜନାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତ ଯୋଜନା(ମନରେଗା)ରେ ନାମିତ କରାଯାଇଥିଲା । ମାତ୍ର ଏହାର ମୌଳିକ ଢାଞ୍ଚାରେ କୌଣସି ପରିବର୍ତ୍ତନ କରାଯାଇନଥିôଲା । ଗାନ୍ଧୀଙ୍କ ନାମକୁ ବ୍ୟବହାର କରି ରାଜନୈତିକ ଫାଇଦା ଉଠାଇବାକୁ ୟୁପିଏ ସରକାର ଏମିତି କରିଥିଲେ । ଏଥିରେ ୧୦୦ ଦିନର ନିଶ୍ଚିନ୍ତ କର୍ମ ନିଯୁକ୍ତି ଦେବା ପାଇଁ ନିୟମ ଥିଲେ ମଧ୍ୟ ବାସ୍ତବରେ କେବଳ ୫୦ ଦିନ କାମ ମିଳୁଥିଲା । ମଜୁରୀ ପ୍ରଦାନରେ ବ୍ୟାପକ ଅନିୟମିତା ଦେଖିବାକୁ ମିଳିଥିଲା । ୟୁପିଏ ସରକାର ସମୟରେ ଯୋଜନାବଦ୍ଧ ଭାବେ ଏସବୁ ଦୁର୍ନୀତି ହୋଇଥିଲା । ବିହାରରେ ୬ ହଜାର କୋଟି ଓ ଉତ୍ତରପ୍ରଦେଶରେ ୧୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା । ଓଡିଶା ମଧ୍ୟ ଏଥିରୁ ବାଦ ପଡି ନଥିଲା । ୨୦୧୨ ମସିହାରେ ସମ୍ବଲପୁରରେ କେତେଜଣ ମୃତବ୍ୟକ୍ତି, ରୋଗୀ ଏବଂ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବ୍ୟକ୍ତିଙ୍କ ନାମରେ ମଜୁରୀ ଟଙ୍କା ଉଠାଯାଇଥିଲା । ମଷ୍ଟର ରୋଲ୍‌ରେ ମିଛ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଥିଲା । କିଛି ରାସ୍ତା କାମ ଆଦୌ କରାନଯାଇ ଅର୍ଥ ହଡପ କରାଯାଇଥିଲା । 


    ଟେକ୍ନୋଲୋଜିକୁ ବ୍ୟବହାର କରି ଏସବୁ ଦୁର୍ନୀତି ରୋକିବା ଏବଂ ଯୋଜନାର ସଫଳ ରୂପାୟନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ‘ଭିବି ଜି ରାମ ଜି ବିଲ୍‌?’ ପ୍ରଣୟନ କରିଛନ୍ତି । ଗ୍ରାମ ସ୍ୱରାଜ ଆଣିବା ପାଇଁ ଗାନ୍ଧୀଜୀଙ୍କ ଯେଉଁ ସ୍ୱପ୍ନ ଥିଲା ତାହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରି ବିକଶିତ ଆଡକୁ କିପରି ଅଗ୍ର୍ରସର ହେବା ସେନେଇ ନୂତନ ଯୋଜନାରେ ବ୍ୟବସ୍ଥା କରାଯାଇଛି । କର୍ମନିଯୁକ୍ତିର ଅବଧିକୁ ୧୦୦ ଦିନରୁ ବୃଦ୍ଧି କରାଯାଇ ୧୨୫ ଦିନ କରାଯାଇଛି। କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚାଷ ସମୟରେ ଓ ଅମଳ ସମୟରେ ଏହି କାମ ସମ୍ପୂର୍ଣ୍ଣ ବନ୍ଦ ରହିବ । ବର୍ଷକୁ ୬୦ ଦିନ ପର୍ଯ୍ୟନ୍ତ ଏହି ଅବଧି ରଖାଯାଇଛି  । ଏହାଦ୍ୱାରା କୃଷି କ୍ଷେତ୍ରରେ ଶ୍ରମିକ ଅଭାବ ସମସ୍ୟା ଦୂରହେବ ଏବଂ ଅଯଥା ମଜୁରୀ ବଢ଼ିବା ସମସ୍ୟା ବନ୍ଦ ହେବ । ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ରବି ନାରାୟଣ ନାୟକ, ଡ. ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ସରକାରୀ ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ, ବିଧାୟକ ବାବୁ ସିଂ, ଆଶ୍ରିତ ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।