ଭୁବନେଶ୍ବରରେ ଜନସଂଖ୍ୟା ବଢୁଛି : ଟ୍ରାଫିକ୍ ସମସ୍ୟା ଦୂର ପାଇଁ ଏକାଧିକ ଫ୍ଲାଇଓଭର, ରିଙ୍ଗ ରୋଡ ନିର୍ମାଣ ପାଇଁ ଯୋଜନା
ଭୁବନେଶ୍ୱର: ରାଜଧାନୀରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି।
ଭୁବନେଶ୍ବର ସହରର ଗାଡି ଚଳାଚଳ ଓ ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ପାଇଁ ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ପାଇଁ ବିଭିନ୍ନ ସଡ଼କ ପ୍ରକଳ୍ପ ଯୋଜନା ଉପରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନ ରଖା ଯାଇଥିଲା ।ଏହି ଉପସ୍ଥାପନାରେ ଭୁବନେଶ୍ବରର ଜୟଦେବ ବିହାର-ନନ୍ଦନକାନନ ନୂତନ ରାସ୍ତା, ଦୟା ୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକ ଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଙ୍ଗରୋଡ, ସୁନ୍ଦରପଦା-ଜଟଣୀ ରାସ୍ତାର ଉନ୍ନତିକରଣ, ପିତାପଲ୍ଲୀ-ତ୍ରିଶୂଳିଆ ରାସ୍ତାର ଇନ୍ଷ୍ଟିଚ୍ୟୁଟ ଅଫ ମାଥମେଟିକ୍ସ ଠାରୁ ଏକାମ୍ର କାନନ ପର୍ଯ୍ୟନ୍ତ ନୂତନ ରାସ୍ତା, କଳ୍ପନା ଛକ-ମ୍ୟୁଜିଅମ-ରବି ଟକିଜ ନୂତନ ଫ୍ଲାଇ ଓଭର, ଶିଶୁଭବନ-ମାଉସୀମା ମଧ୍ୟରେ ଆଉ ଏକ ROB, ତମାଣ୍ଡୋ-ଚନ୍ଦକା-ବାରଙ୍ଗ-ଧଉଳି-ତମାଣ୍ଡୋ ପର୍ଯ୍ୟନ୍ତ ରିଙ୍ଗ ରୋଡ ନିର୍ମାଣ ବିଷୟରେ ପୂର୍ତ୍ତ ବିଭାଗର ପକ୍ଷରୁ ପ୍ରସ୍ତାବିତ ତଥ୍ୟ ଉପସ୍ଥାପନ କରାଯାଇଥିଲା ।ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ବର-କଟକ-ପୁରୀ ଇକୋନୋମିକ୍ ରିଜିଅନ ଗଠନ ଏବଂ ଗ୍ରେଟର ଭୁବନେଶ୍ବର ଗଠନ ସଂପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଥିଲା ।