ଭୁବନେଶ୍ୱର ଦକ୍ଷତା କେନ୍ଦ୍ର ବୁଲିଲେ ନଗଡ଼ାର ଛାତ୍ରଛାତ୍ରୀ

 ଯାଜପୁର : ବହୁଚର୍ଚିତ ନଗଡ଼ାର ଛାତ୍ରଛାତ୍ରୀ ଆଜି ପ୍ରଶାସନ ସହଯୋଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱର ପରିଦର୍ଶନ କରିଥିଲେ । ଜିଲା ପ୍ରଶାସନ ଯାଜପୁରଙ୍କ ତରଫରୁ  ନଗଡାର ଅନୁନ୍ନତ ଜନଜାତି ଅଧିବାସୀ ଛାତ୍ରଛାତ୍ରୀ କିଛି ବରିଷ୍ଠ ଅଧିକାରୀଙ୍କ ସହାୟତାରେ  ପରିଦର୍ଶନ କରିବାକୁ ସୁଯୋଗ ପାଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପି. ଅନ୍ୱେସା ରେଡ୍ଡୀ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ, ଅଧ୍ୟକ୍ଷ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ, ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ସୂତନ୍ତ୍ର ଅଧିକାରୀ ବିରହୋର ଓ ଯୁଆଙ୍ଗ ଉନ୍ନୟନ ସଂସ୍ଥା ଇତ୍ୟାଦିଙ୍କ ଉପସ୍ଥିତିରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏକ ବସ ଯୋଗେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ନଗଡାର ଅନୁନ୍ନତ ଜନଜାତି ସମ୍ପ୍ରଦାୟର ଛାତ୍ର ଛାତ୍ରୀ ଭୁବନେଶ୍ୱର ଅଭିମୁଖ୍ୟ ଯାତ୍ରା କରିଥିଲେ । ଏହି ବିଶ୍ୱ ଦକ୍ଷତା କେନ୍ଦ୍ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିଦର୍ଶନର ମୁଖ୍ୟ ଉଦେଶ୍ୟ ହେଲା ନଗଡା ସ୍ଥିତ ଅନୁନ୍ନତ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଜୀବନ ଶୈଳୀରେ ଉନ୍ନତି ପାଇଁ ଦକ୍ଷତା ବିକାଶ ସମ୍ବନ୍ଧୀୟ ସଚେତନ କରିବା ସହିତ ବୈଷୟିକ ଶିକ୍ଷା ପ୍ରତି ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା । ତତ୍ସହିତ ସମ୍ପ୍ରତି ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ସ୍ୱଳ୍ପ ଏବଂ ଦୀର୍ଘ ଅବଧିର ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରି ରୋଜଗାରକ୍ଷମ କରାଇବା । ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାୟକ, ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତୀ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ କର୍ମଚାରୀ ରାକେଶ କୁମାର ନାୟକ ପରିଚାଳନା କରିଥିଲେ ।