ଭୁଲ ଇଞ୍ଜେକସନ୍ ପାଇଁ ଶିଶୁକନ୍ୟାର ମୃତୁ୍ୟ ଘଟଣା : ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରୁନି ପୁଲିସ

ଖଇରା : ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ଗଗନଧୂଳି ଗ୍ରାମ ପଞ୍ଚାୟତ ଅଧିନ ରାଇଗଡିଆ ଗ୍ରାମର ବଳରାମ ରାମଙ୍କ କନ୍ୟା ଲିପ୍ସିତା(୩) ଆଖିବୁଜିବା ଘଟଣାକୁ ୧୧ଦିନ ପୁରିଲାଣି । ହେଲେ ଝିଅକୁ ମାରିଥିବା ଡାକ୍ତରଙ୍କୁ ୧ଘଣ୍ଟା ଭିତରେ ଗିରଫ କରିବାକୁ  ପ୍ରତିଶ୍ରୁତି ଦେଇଥିବା ପୁଲିସ କିନ୍ତୁ ୨୬୪ ଘଣ୍ଟାରେ ବି ଗିରଫ କରି ପାରିଲେନି । ସେପଟେ ଆୟୁଷ ଡାକ୍ତର ହୋଇ ସରକାରୀ ଚାକିରି କରିଥିବା ଡାକ୍ତର ଜଣକ ବେଆଇନ କ୍ଲିନକ୍ ଖୋଲିବା ଏବଂ ଏଲୋପାଥିକ ଇଞ୍ଜେକସନ ଦେଇ ଶିଶୁର ଜୀବନ ସହିତ ଖେଳିଥିଲେ ବି ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯେଉଁଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ ବିଭାଗ ଉପରୁ ଗ୍ରାମବାସୀ ଭରସା ତୁଟାଇ ଜିଲ୍ଲାପାଳ, ଏସ୍ପି, ସ୍ୱାସ୍ଥ୍ୟ ସଚିବ, ଖୋଦ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । 
ଉଲ୍ଲେଖ ଯେ, ଗତ ଜୁଲାଇ ୩୦ ତାରିଖ ଦିନ ଲିପ୍ସିତାକୁ ଜ୍ୱର ହେବା ପରେ ସେମାନେ ତୁଡିଗଡିଆରେ କ୍ଲିନିକ୍ ଖୋଲିଥିବା ଆୟୁଷ ଡାକ୍ତର ଦିପ୍ତିକାନ୍ତ ପାଢୀଙ୍କ ନିକଟକୁ ନେବା ପରେ ସେ ଏକ ଭୁଲ ଇଞ୍ଜେକସନ ଦେଇଥିଲେ । ଘରେ ପହଞ୍ଚିବା ମାତ୍ରେ ଶିଶୁକନ୍ୟା ଭଲ ହେବା ପରିବର୍ତ୍ତେ ଗୁରୁତର ହୋଇ ପଡିଥିଲା । ସେହି ରାତିରେ ତାକୁ ପ୍ରଥମେ ସୋର ଓ ପରେ ବାଲେଶ୍ୱର ନିଆଯାଇଥିଲେ ହେଁ ଶିଶୁଟି ସବୁଦିନ ପାଇଁ ଆଖିବୁଜିଥିଲା ।  ଯାହାର ପ୍ରତିବାଦରେ ବାପାମା’ ଓ ରାଈଗଡିଆ ଗ୍ରାମବାସୀ ୩୧ ତାରିଖ ଅପରାହ୍ନରେ ରାସ୍ତା ଉପରେ ଧାରଣାରେ ବସିଥିଲେ । ପୁଲିସ ଓ ବିଧାୟକଙ୍କ ପ୍ରତିନିଧି ଭାବେ ତାଙ୍କ ପୁଅ ଘଣ୍ଟାକ ଭିତରେ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅଭିଯୁକ୍ତଙ୍କୁ ଗିରଫ ସମ୍ପର୍କରେ ନୀଳଗିରି ସିଡିପିଓ ପ୍ରମୋଦ ମଲ୍ଲିକଙ୍କୁ ପଚାରିବାରେ ସେ ୨୦ତାରିଖ ପର୍ଯ୍ୟନ୍ତ ବ୍ୟସ୍ତ ରହିବେ । ତା’ ପରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି । ଗଣ୍ଡିବେଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାକିରି କରି ବେଆଇନ କ୍ଲିନିକ ଖୋଲାଯିବା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଭାତ ବେହେରାଙ୍କୁ ପଚାରିବାରେ ତାଙ୍କ ବିରୋଧରେ ତଦନ୍ତ ସରିବା ପରେ ରାଜ୍ୟକୁ ରିପୋର୍ଟ ପଠାଯାଇଛି । ସେମାନେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।