ବିଜେପି ରାଜ୍ୟ ସଭାପତିଙ୍କ କଟକ ଗସ୍ତ
କଟକ : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୋମବାର କଟକ ଗସ୍ତ କରିଛନ୍ତି । ସହରର ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ସଭାପତିଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ଏକ ବାଇକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ଟାଉନହଲ ଠାରେ ବିଜେପି ନେତା ଓ କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ପକ୍ଷରୁ ଏହି ଅବସରରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସେବା, ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକି୍ରୟା ଦେଇ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି, ରାଜ୍ୟରେ ବିଜେପି ସଂଗଠନ ଠିକ୍ ରହିଛି । ସଂଗଠନକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ଶ୍ରୀ ସମାଲ ମତବ୍ୟକ୍ତ କରିଛନ୍ତି । ନିଗମ ଅଧ୍ୟକ୍ଷ ଚୟନ ଓ ପଂଚାୟତ ନିର୍ବାଚନ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସାମଲ କହିଲେ, ଠିକ ସମୟରେ ସବୁ କାର୍ଯ୍ୟ ହେବ । ଉପର ପଡ଼ିଆରେ ବାଲିଯାତ୍ରା ହେବା ପ୍ରସଙ୍ଗରେ ଶ୍ରୀ ସାମଲ କହିଛନ୍ତି ଯେ, ଏ ବିଷୟରେ ଜିଲ୍ଲା ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବାଲିଯାତ୍ରା ସଂପର୍କରେ ମୁଖ୍ୟମନ୍ତ୍ରୀ ଠିକ ସମୟରେ ନିଷ୍ପତ୍ତି ନେବେ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି । ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ପାଳନ ଅବସରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସେବା ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ଦେଢ଼କୋଟି ବୃକ୍ଷ ରୋପଣ କରାଯାଇଛି । ସାରା ଦେଶରେ ୨୫କୋଟି ଗଛ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ସଂକଳ୍ପ ନେଇଛନ୍ତି । ସେଥିରେ ଓଡ଼ିଶାର ନିଶ୍ଚିତ ବଡ଼ ଅବଦାନ ରହିବ ବୋଲି ଶ୍ରୀ ସାମଲ କହିଛନ୍ତି । ଆଜିଠାରୁ ଦେଶରେ ନୂଆ ଜିଏସଟି ସଂସ୍କାର ଆରମ୍ଭ ହୋଇଛି । ଏହା ଏକ ବୈପ୍ଳବିକ ପଦକ୍ଷେପ । ଏହା ଦ୍ୱାରା ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ଭାରତ ନିର୍ମାଣ ହୋଇପାରିବ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୁହରି ମହତାବ, କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ, ବରିଷ୍ଠ ବିଜେପି ନେତା ଲଲାଟେନ୍ଦୁ ବଡ଼ୁଙ୍କ ସମେତ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।