ଥଇଥାନ ଦାବିରେ ମେୟରଙ୍କୁ ସ୍ମାରକପତ୍ର୍ର
କଟକ: କର୍ମସ୍ଥଳୀରେ ଥଇଥାନ ଦାବିରେ ଜଗନ୍ନାଥ ରୋଡ଼ ବସ୍ତିବାସିନ୍ଦାଙ୍କ ପକ୍ଷରୁ ସିଏମସି ମେୟରଙ୍କୁ ୨ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଯେ, ୫୪ନଂ ୱାର୍ଡ଼ ସ୍ଥିତ ନୂଆବଜାର ଜଗନ୍ନାଥରୋଡ଼ ବସ୍ତିରେ ଦୀର୍ଘ ଦଶନ୍ଧି ଧରି ଶ୍ରମଜୀବୀ ଲୋକମାନେ ଜରିପାଲ କୁଡ଼ିଆ କରି ରହି ଆସୁଛନ୍ତି । ସ୍ଥାନୀୟ ଅଂଚଳରେ ମଜୁରୀ ଲାଗି ସେମାନେ ପରିବାର ପ୍ରତିପୋଷଣ କରିଥାନ୍ତି । ମହିଳାମାନେ ସ୍ଥାନୀୟ ବାସିନ୍ଦାଙ୍କ ଘରେ ବୁଲି ପାଇଟି କରିଥାନ୍ତି । ତାଙ୍କର ପିଲାମାନେ ସ୍ଥାନୀୟ ସରକାରୀ ସ୍କୁଲମାନଙ୍କରେ ପଢ଼ୁଛନ୍ତି । ସେହି ବସ୍ତିବାସିନ୍ଦାଙ୍କ ପକ୍ଷରୁ ବହୁବାର ସିଏମସି କର୍ତ୍ତୁପକ୍ଷଙ୍କୁ ଜାଗା ମିଶନରେ ସେହି ସ୍ଥାନରେ ଥଇଥାନ ପାଇଁ ଦାବି କରାଯାଇଛି । ହେଲେ ଦୁଃଖର ବିଷୟ ନୂଆ ସରକାର ଆସିବା ଦିନରୁ ବସ୍ତିବାସିନ୍ଦାଙ୍କ କୌଣସି ଯୋଜନା କରା ଯାଉନାହିଁ । ଆଜି ବସ୍ତିବାସିନ୍ଦାଙ୍କ ପକ୍ଷରୁ ମିଳିତ ମଂଚ ଆବାହକ ଖଗେଶ୍ୱର ସେଠୀଙ୍କ ନେତୃତ୍ୱରେ ବସ୍ତି ନେତା ଦୀପକ ଦାସ, ସୁକାନ୍ତ ନାୟକ, ଲକ୍ଷ୍ମୀ ସିଂହ, ଉଦୟ ଟୁଡ଼ୁ ପ୍ରମୁଖ ମେୟରଙ୍କ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ । ବସ୍ତିବାସିନ୍ଦାଙ୍କୁ ସେହି ସ୍ଥାନରେ କିମ୍ବା ସେହି ନିକଟରେ ଜାଗା ମିଶନରେ ଥଇଥାନ କରିବା ଏବଂ ସମସ୍ତ ବସ୍ତିବାସିନ୍ଦାମାନଙ୍କୁ ପଟା ଦେବା ପ୍ରମୁଖ ଦାବି ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ।