ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ଶୋ’ : ଜୟଙ୍କ ପାଇଁ କଲେ ଭୋଟ ଭିକ୍ଷା

ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ଶୋ’ : ଜୟଙ୍କ ପାଇଁ କଲେ ଭୋଟ ଭିକ୍ଷା
  • ନବୀନ ଓ ପାଣ୍ଡିଆନଙ୍କୁ ନିଶାନା
  • ୨୪ ବର୍ଷରେ ଆଦିବାସୀଙ୍କ ଉନ୍ନତି ହେଲାନି
  • ନବୀନଙ୍କୁ ଭେଟି ପାରୁନଥିଲେ ନେତା 
  • ୧୪ ପରେ ଏଠି ସେମାନେ ଆଉ ନଥିବେ
  •  ଯାହା ପ୍ରତିଶ୍ରୁତି ଦେଇଛି ସବୁ ପୂରଣ କରିବି 

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣଣରେ ପୁଣି ଥରେ ନୂଆପଡ଼ାରେ ମେଗା ରୋଡ୍‌ ଶୋ’ କରିଛନ୍ତି । ନୂଆପଡା ଉପନିର୍ବାଚନ ପାଇଁ ସେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଏହି ରୋଡ୍‌ ଶୋ’ ମାଧ୍ୟମରେ ଭୋଟ ଭିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ବିଶାଳ ରୋଡ ଶୋ’ ନୂଆପଡା ସହରରୁ ବାହାରି ଖରିଆର ରୋଡ୍‌ରେ ପହଞ୍ଚିଥିଲା । ପ୍ରାୟ ୧୦ କିଲୋମିଟରର ଏହି ରୋଡ୍‌ ଶୋ’ରେ କଳାହାଣ୍ଡିର ସାଂସଦ ମାଳବିକା ଦେବୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଜେପି ସଭାପତି ମନମୋହନ ସାମଲଙ୍କ ସହିତ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ ।

      ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଗୋଟମା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ । ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ପ୍ରଖ୍ୟାତ ଅଭିନେତା ତଥା ବିଧାୟକ ଆକାଶ ଦାସନାୟକ ମଧ୍ୟ ଥିଲେ । ଆଜି ଓଡିଶା ଇତିହାସରେ ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ମାଓପ୍ରବଣ ତଥା ଉପାନ୍ତ ଅବହେଳିତ ଅଞ୍ଚଳ ଭାବେ ପରିଚିତ ସୁନାବେଡାରେ ପାଦ ଦେଇଥିଲେ । ଏଠାରେ ଥିବା ପ୍ରତ୍ୟକ୍ଷ ଦେବୀ ମାଆ ସୁନାଦେଈଙ୍କ ଦର୍ଶନ କରିଥିଲେ । ଆଦିବାସୀମାନଙ୍କୁ ଅବହେଳା କରାଯାଇଛି ବୋଲି କହିଥିଲେ ।  

    ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ହେଭିୱେଟ ବସନ୍ତ ପଣ୍ଡାଙ୍କୁ ସାଙ୍ଗରେ ଧରି ମାରାଥନ୍‌ ପ୍ରଚାର କରିଥିଲେ । ବିଜେଡି, ନବୀନ ଓ ପାଣ୍ଡିଆନଙ୍କୁ  କଡା ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ।  କହିଥିଲେ ନବୀନ ବାବୁ ୨୪ ବର୍ଷରେ ନୂଆପଡ଼ାର ଆଦିବାସୀ ଜନଜାତିଙ୍କ ପ୍ରତି  ଅବହେଳା କରିଛନ୍ତି । ମୁଁ ସରପଞ୍ଚ ଥିଲି, ଆଦିବାସୀ ପରିବାରର । ତେଣୁ ଆଦିବାସୀଙ୍କ ଦୁଃଖ ବୁଝିବି । ନବୀନ ବାବୁ ଖାଲି ଭୁବନେଶ୍ୱରରେ ରହି କହିଲେ ଆପଣମାନେ ଖୁସି ତ । ବିରୋଧୀ ଦଳ ନେତା  ଆପଣକଙ୍କ ଅଞ୍ଚଳକୁ ଆସିବେ ନା ଆପଣଙ୍କ ଭାଷାରେ କଥା ହେବେ ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । ନବୀନ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଆସିଲେ ନାହିଁ । ହେଲେ ନିର୍ବାଚନ ପ୍ରଚାରକୁ ଆସିଲେ । କାଲି ନବୀନଙ୍କ ରୋଡ ଶୋ ବେଳେ ପ୍ରାର୍ଥୀ ନଥିଲେ । ୧୪ ତାରିଖ ପରେ ସେମାନେ ଏଠି ଆଉ ନଥିବେ । ଥିବେ ଜୟ ଓ ଆଉ ମୁଁ ନିଜେ । ଲୋକେ ୨୪ ବର୍ଷର ନିକମା ସରକାରକୁ ସମୁଦ୍ରରେ ଫିଙ୍ଗି ଦେଇଛନ୍ତି । ଆମ ସରକାର ଆସିବା ପରେ ଓଡିଶାର ବିକାଶ ହେଉଛି । ଗୋଟିଏ ମଧ୍ୟବିତ୍ତ ପରିବାର ବର୍ଷକୁ ୩୮ ହଜାର ପାଇଲେଣି । ଏହାସହ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ମଧ୍ୟ ନିଶାନା କରିଥିଲେ । ନବୀନଙ୍କ ଚଳନ୍ତି ପ୍ରତିମା କହି ତାଚ୍ଛଲ୍ୟ କରିଥିଲେ । ପାଣ୍ଡୁ ଷ୍ଟେଜ ଚଢିବା ବେଳେ ଅନ୍ୟ ନେତାଏ ଟେଣ୍ଟ ବାନ୍ଧୁଥିଲେ । ନେତା ନବୀନ ବାବୁଙ୍କୁ ଦେଖା କରିବାକୁ ଚାହୁଁଥିôଲେ ବି ଦେଖା କରିପାରୁନଥିଲେ ବୋଲି ନିଶାନା କରିଥିଲେ । ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିଲା ବେଳେ ନୂଆପଡ଼ା ଗଡ଼ ଜିତିବାକୁ ଜି ଜାନ୍‌ ଲଗେଇ ଦେଇଛନ୍ତି ୩ ଦଳ ।