ଭୂତକୋଠି ପାଲଟିଛି ବିଇଡି କଲେଜ 

  ନବରଙ୍ଗପୁର : ନବରଙ୍ଗପୁର ସହର ଉପକଣ୍ଠ  ହିର୍ଲି  ନିକଟରେ ୧୦ ବର୍ଷ ପୂର୍ବେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ବିଇଡି  କଲେଜ କୋଠା ନିର୍ମାଣ ହୋଇଥିଲା । ଆଇଟିଡିଏ ପକ୍ଷରୁ  ବିଇଡି କଲେଜ ପାଇଁ ଆଡମିନିଷ୍ଟ୍ରେଟିଭ୍ କୋଠା, ଶ୍ରେଣୀଗୃହ, ଛାତ୍ରୀନିବାସ, ଶିକ୍ଷକମାନଙ୍କ ପ୍ରକୋଷ୍ଠ ନିର୍ମାଣ ହୋଇଥିଲା  । ନିର୍ମାଣ କାର୍ଯ୍ୟ ସରିବା ପରେ ଏହି କୋଠାକୁ ପ୍ରଶାସନକୁ ହସ୍ତାନ୍ତର ବି କରାଯାଇଥିଲା । ହେଲେ ନର୍ମାଣ ହୋଇ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ସୁଦ୍ଧା ବିଇଡି କଲେଜ ଖୋଲା ଯାଇପାରିନାହିଁ । ଅପରପକ୍ଷରେ ଏହି କୋଠା ନିର୍ମାଣ ପରେ ପ୍ରଥମେ ମଙ୍ଗଳ ବିଭାଗ ପକ୍ଷରୁ କିଛି ବର୍ଷ ଅନ୍ୱେଷା ଛାତ୍ରାବାସ ଚାଲିଥିଲା । ପରେ କରୋନା ସମୟରେ ଏହି କୋଠାକୁ ଦୁଇ ବର୍ଷ ହେବ କୋଭିଡ୍ ହସ୍ପିଟାଲରେ ରୂପାନ୍ତରିତ କରାଗଲା । କୋଭିଡ୍ ସରିବା ପରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି କୋଠା ଆଜି ପର୍ଯ୍ୟନ୍ତ କାମରେ ନ ଲାଗି ଖତ ଖାଉଛି । ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ ଠାରେ ଗୋଟିଏ ମାତ୍ର ବିଇଡି କଲେଜ ରହିଛି । ତେଣୁ ଗତ ୨୦୨୩-୨୪ ଶିକ୍ଷାବର୍ଷରୁ ନବରଙ୍ଗପୁର ଜିଲ୍ଲାରେ ବିଇଡି ମଡେଲ ଡିଗ୍ରୀ କଲେଜ ଅଧୀନକୁ ଚାଲିଯିବ । ନବରଙ୍ଗପୁରରେ ୫୦ ସିଟ୍ ବିଶିଷ୍ଟ ୪ ବର୍ଷିଆ ସମନ୍ୱିତ ଶିକ୍ଷକ ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମ (ଆଇଟିଇପି) ପାଠ୍ୟକ୍ରମ କେବଳ ବିଜ୍ଞାନ ପାଠ୍ୟକ୍ରମ ଖୋଲାଯିବ ବୋଲି ଗତ ୨୦୨୨ରେ ନିଷ୍ପତ୍ତି ହୋଇଥିଲା । ଏହି ପାଠ୍ୟକ୍ରମକୁ ମଡେଲ କଲେଜ ପରିଚାଳନା କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବିଇଡି  କଲେଜ ନବରଙ୍ଗପୁର ଜିଲ୍ଲା  ପାଇଁ ରହିବ ବୋଲି କୁହାଯାଇଥିଲା । ଆଦୌ ବିଇଡି  ପାଠ୍ୟକ୍ରମ ସୁବିଧା ନଥିବା ଏହି ଜିଲ୍ଲାରେ ଆଶାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ଖୁସି ଆଣିଦେଇଥିଲା । ତେବେ ନିର୍ମାଣ ହୋଇଥିବା ବିଇଡି କଲେଜ କୋଠା ମଡେଲ ଡିଗ୍ରୀ କଲେଜକୁ ହସ୍ତାନ୍ତର ହୋଇଗଲା ସିନା ଆଜି ପର୍ଯ୍ୟନ୍ତ ବିଇଡି  ପାଠ୍ୟକ୍ରମ ଖୋଲାଯାଇ ପାରିଲାନାହିଁ । ଅପରପକ୍ଷରେ ସରକାରୀ ଅନୁଦାନ ହେଉ ନଚେତ୍ ସ୍ୱୟଂଶାସିତ କିମ୍ବା ବିଇଡି ପାଠ୍ୟକ୍ରମ ହେଉ । ଯେକୌଣସି ଉଚ୍ଚଶିକ୍ଷା ଅନୁଷ୍ଠାନକୁ ଆବଶ୍ୟକ ନାକ ମାନ୍ୟତା । ତେବେ ଜିଲ୍ଲାର ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକୁ ନାକ୍ ମାନ୍ୟତା ମିଳିନଥିବାରୁ ବିଭିନ୍ନ ପ୍ରକାର ସରକାରୀ ଅନୁଦାନ ଅଟକିବା ସହ ସ୍ୱୟଂଶାସିତ ଓ ବିଇଡି ପାଠ୍ୟକ୍ରମ ଖୋଲିବାରେ ସମସ୍ୟା ଦେଖାଦେଇଛି । ଜିଲ୍ଲାରେ ଗୋଟିଏ ମାତ୍ର ସରକାରୀ ମଡେଲ ଡିଗ୍ରୀ କଲେଜରେ ବିଇଡି ପାଠ୍ୟକ୍ରମ ଖୋଲିବା ପାଇଁ ସରକାର ଅନୁମତି ଦେଇଥିଲେ ମଧ୍ୟ ନାକ୍ ମାନ୍ୟତା ପାଇନଥିବା ଜଣାପଡ଼ିଛି  । ଏ ନେଇ କଲେଜ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିବାରୁ ନାକ ମାନ୍ୟତା ପାଇଁ ଆବେଦନ କରାଯାଇଛି । ସରକାର ଅନୁମତି ଦେଲେ ବିଇଡି   ପାଠ୍ୟକ୍ରମ ଖୋଲାଯିବ ବୋଲି କହିଛନ୍ତି ।  ତେବେ ଦେଖାଯାଉ ଏ ଆଦିବାସୀ ନିରକ୍ଷର ଜିଲ୍ଲା ପ୍ରତି ସରକାରଙ୍କ କେବେ ଶୁଭ ଦୃଷ୍ଟି ପଡୁଛି ।