ଟିଏଚଆର ସାମଗ୍ରୀ ବଣ୍ଟନ ଅଭିଯୋଗ 

 ରାଜନଗର : ରାଜ୍ୟ ସରକାରଙ୍କ ପକ୍ଷରୁ ଅପପୃଷ୍ଟି ରୋକିବା ପାଇଁ ପରିପୂରକ ପୃଷ୍ଟି ଯୋଜନା (ଏନଏନପି ) କିଶୋରୀ ବାଳିକାଙ୍କ ପୃଷ୍ଟି ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା (ଏମଏସପିୱାୟୀ ) କାର୍ଯ୍ୟକାରୀ କରାଯାଉଛି । ମାତ୍ର ରାଜନଗର ବ୍ଲକରେ ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ଯୋଗାଣକାରୀ ସ୍ୱୟଂ ସହାୟକ ଗୋଷ୍ଠୀ ନିମ୍ନମାନର ଓ କମ ଓଜନର ଟିଏଚଆର ସାମଗ୍ରୀ ବଣ୍ଟନ ସହ ଏମଏସପିୱାୟୀ ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରାଯାଉଥିବା ନେଇ ବିଭିନ୍ନ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ଚଳିତ ମାସ ୧୯ତାରିଖରେ ରାଜନଗର ବ୍ଲକର ଡାଙ୍ଗମାଳ, ତାଳଚୁଆ ଓ ରଙ୍ଗଣୀ ସେକ୍ଟରରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଟିଏଚଆର ସାମଗ୍ରୀ ଦିଆଯାଉଥିବା ଦେଖିବାକୁ ମିଳିଥିଲା । ମାସ ମଝିରେ ଏହି ସାମଗ୍ରୀ ବଣ୍ଟନ ହେଉଥିବାରୁ ଏହା କେଉଁ ମାସର ବୋଲି ସାଧାରଣରେ ଆଲୋଚନା ହେଉଥିଲା । ପୁଣି ମାସ ମଝିରେ ଦିଆଯାଉଥିବା ସାମଗ୍ରୀକୁ କେତେଦିନ ରଖିହେବ, ତାହାକୁ ନେଇ ସନେ୍ଦହ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ରାଜନଗର ସିଡ଼ିପିଓ ଦୀପାଳି ମିଶ୍ରଙ୍କୁ ପଚାରିବାରୁ ଆମ ରାଜନଗର ବ୍ଲକ ପାଇଁ ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକର ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ ଛତୁଆ, ମୁଢି, ଚଣା, ଲଡ଼ୁ, ଖଜୁରୀ ଆଦି ଯୋଗାଉ ଥିବାରୁ ଆସନ୍ତା ଅକ୍ଟୋବର ମାସର ଟିଏଚଆର ସାମଗ୍ରୀ ଚଳିତ ମାସରେ ଦିଆଯାଇଛି । ମାର୍ଗଦର୍ଶିକା ଉଲ୍ଲଙ୍ଘନ ହୋଇନଥିବା ସେ କହିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, ଅକ୍ଟୋବର ମାସ ପାଇଁ ବୁଢ଼ୀ ଜାଗୁଳାଇ ସ୍ୱୟଂ ସହାୟିକା ଗୋଷ୍ଠୀ, ସାତକୁଡ଼ିଆ, ପଟ୍ଟାମୁଣ୍ଡାଇ ବଣ୍ଟନ କରିଥିବା ଏହି ସାମଗ୍ରୀ ଗୁଡିକ କେବେ ପ୍ରସ୍ତୁତ ହୋଇଛି, ତାର କୌଣସି ସୂଚନା ନାହିଁ । ଯାହାକୁ ନେଇ ସାଧାରଣରେ ନାନା କଥା ଆଲୋଚନା ହେଉଛି ।