ଚାଷୀଙ୍କୁ ମିଳିଲା ଇନପୁଟ୍ ସହାୟତା 

ବାଲେଶ୍ୱର: ବରଗଡ଼ ଜିଲ୍ଲାର ସୋହେଲା ଠାରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ବାଦ ଅତିରିକ୍ତ ୮୦୦ ଟଙ୍କାର ଇନପୁଟ ସହାୟତା ପ୍ରଦାନ ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆ ଠାରେ ବାଲେଶ୍ୱର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏହି ସମାରୋହରେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗଦାନ କରିଥିଲେ । ଏଥିସହିତ ବରଣ୍ୟେ ଅତିଥି ଭାବେ ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଓ ନୀଳଗିରି ବିଧାୟକ  ସନ୍ତୋଷ ଖଟୁଆ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଓ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ନୀରଦ ରଞ୍ଜନ ଦାସ ମଧ୍ୟ ମଞ୍ଚାସୀନ ଥିଲେ । ଉକ୍ତ ସଭାରେ ଉପସ୍ଥିତ ଜିଲ୍ଲାର ଅଗ୍ରଣୀ ଚାଷୀ ଭାଇ ଭଉଣୀଙ୍କୁ ଉଦ୍ବୋଧନ ଦେଇ ନିଜ ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ବାଲେଶ୍ୱର ସର୍ବଦା ନିଜ ଉନ୍ନତମାନର ଚାଷ ପାଇଁ ପ୍ରସିଦ୍ଧ । ବାଲେଶ୍ୱର ଜିଲ୍ଲାରେ ଆସନ୍ତା ତା ୨୭ ରିଖରେ ଆରମ୍ଭ ହେବାକୁ ଥିବା ୨୦୨୪-୨୫ ଖରିଫ ବର୍ଷର ଧାନକିଣା ବିଷୟରେ ମାନ୍ୟବର ମନ୍ତ୍ରୀ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏଥିପାଇଁ ଜିଲ୍ଲାରେ ସମୁଦାୟ ୧,୦୨,୪୬୪ ଜଣ ଚାଷୀ ଧାନ ବିକ୍ରି କରିବା ଲାଗି ବିଭିନ୍ନ ଧାନ କ୍ରୟ କେନ୍ଦ୍ରରେ ନାମ ପଞ୍ଜିକରଣ କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ସୂଚନାନୁସାରେ ପ୍ରତ୍ୟେକ ମଣ୍ଡିରେ ସିସିଟିଭି ଲଗାଇବା ସହତି ଏକ କେନ୍ଦ୍ରସ୍ତରୀୟ କଣ୍ଟ୍ରୋଲ ରୁମର ବ୍ୟବସ୍ଥା ମଧ୍ୟ କରାଯାଇଛି । ଧାନ ପରିବହନକାରୀ ଯାନ ଗୁଡିକର ଗତିବିଧି ଉପରେ ନଜର ରଖିବା ପାଇଁ ସମସ୍ତ ସୀମା ଯାଞ୍ଚ ପଏଣ୍ଟରେ ସିସିଟିଭି ଏବଂ ବାଲେଶ୍ୱର ଜିଲ୍ଲାର ପଶ୍ଚିମ ବଙ୍ଗ ସୀମାନ୍ତ ଅଞ୍ଚଳରେ ୮ ଗୋଟି ସ୍ଥାନ ଚିହ୍ନଟ କରାଯାଇ କ୍ୟାମେରା ଗଚ୍ଛିତ ଗାଡିର ବ୍ୟବସ୍ଥା କରାଯାଇଛି । ସୂଚନାଥାଉକି, ବାଲେଶ୍ୱର ଜିଲ୍ଲାରେ ୧୪୧ ଗୋଟି ପ୍ରାଥମିକ ସେବା ସମବାୟ ସମିତି, ୨ ଗୋଟି ଏଲଏଏମପିସିଏସ ଏବଂ ୮ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଅଧୀନରେ ସମୁଦାୟ ୧୮୦ ଗୋଟି ଧାନକ୍ରୟ କେନ୍ଦ୍ର କାର୍ଯ୍ୟ କରୁଛି ।