ଆତ୍ମତୃପ୍ତି

ଭବାଶିଷ ଦାସ : ଯାହାର ଜନ୍ମ ହୋଇଛି ତା'ର ଅବଶ୍ୟ ମୃତ୍ୟୁ ହେବ। ଆଜି ହେଉ ବା ଶତବର୍ଷ ପରେ ହେଉ ପ୍ରାଣୀର ମୃତ୍ୟୁ ଧ୍ରୁବ । ଶରୀର ନାଶଶୀଳ, ସମ୍ପତ୍ତି ଅଶେଷ ବିପତ୍ତିର ଆଧାର, ମିଳନ ବିରହଯୁକ୍ତ, ଯାହାର ବିକାଶ ଅଛି ତା'ର ବିନାଶ ନିଶ୍ଚୟ । ଏହି ଦୃଷ୍ଟିକୋଣରୁ ଯେଉଁସବୁ ପ୍ରବୃତ୍ତି ଏକଦା ଖୁବ୍‌ ଶକ୍ତିଶାଳୀ ହୋଇ ମନୁଷ୍ୟକୁ ବିପଥରେ ନେଇଯାଇଥାନ୍ତି ସେହି ପ୍ରବୃତ୍ତି ସକଳର ବିଲୟ ଅବଶ୍ୟ ହେବ । ସେତେବେଳେ ଶରୀରର ତେଜ ନଥିବ, କାରଣ ଶରୀର ପ୍ରତି ମୁହୂର୍ତ୍ତରେ କ୍ଷୟ ହେଉଅଛି, କିନ୍ତୁ ତାହା ଦୃଶ୍ୟମାନ ହେଉନାହିଁ । ଯେପରି ଜଳମଧ୍ୟସ୍ଥିତ ଅପକ୍ୱ ଘଟ ମିଳାଇ ଯିବା ପରେ ତାହାର କ୍ଷୟ ଜଣାପଡ଼ିଥାଏ, ସେହିପରି ଶରୀର ବିନଷ୍ଟ ହେଲେ ଏହା ଜଣାଯାଇଥାଏ । ଯୌବନ, ସୌନ୍ଦର୍ଯ୍ୟ, ଜୀବନ, ଧନସଞ୍ଚୟ, ଐଶ୍ୱର୍ଯ୍ୟ, ପ୍ରିୟ ସମାଗମ - ଏସବୁ ଅନିତ୍ୟ । ଜ୍ଞାନୀଲୋକ ଏସବୁରେ ଆସକ୍ତ ହୁଅନ୍ତି ନାହିଁ ।

    ଯେପରି ସମୁଦ୍ରରେ ଦୁଇଖଣ୍ଡ କାଷ୍ଠ (ଭିନ୍ନ ଭିନ୍ନ ଦିଗରୁ ଆସି) ମିଳିତ ହୁଅନ୍ତି, ମିଳିବା ପରେ ପୁଣି ଅଲଗା ହୋଇଯାନ୍ତି, ସେହିପରି ପ୍ରାଣୀମାନଙ୍କର ମିଳନ ପରେ ବିଚ୍ଛେଦ ହୋଇଥାଏ । ଶରୀର ପୃଥିବୀ, ଜଳ, ତେଜ, ବାୟୁ ଓ ଆକାଶ, ଏହି ପଞ୍ଚଭୂତରେ ତିଆରି । ମୃତ୍ୟୁ ପରେ ଏମାନେ ପୁଣି ନିଜ ମୂଳ ଭୂତ ସଙ୍ଗେ ମିଶିଯାଇଥାନ୍ତି । ଏହି ସବୁଥିରେ ମନୁଷ୍ୟ ସନ୍ତୋଷ ଅନୁଭବ କରିଥାଏ ଯେଉଁ ସନ୍ତୋଷ ସବୁବେଳେ ସବୁ ମନୁଷ୍ୟ ଇଛା କରିଥାନ୍ତି, କିନ୍ତୁ ସେହି ସନ୍ତୋଷ ସ୍ଥାୟୀ ନହେବା କାରଣରୁ ଜୀବନକୁ ସନ୍ତୁଷ୍ଟ ଜୀବନ ବୋଲି କୁହାଯାଇନଥାଏ, ପୁଣି ସନ୍ତୋଷ ମିଳିଲେ ଆହୁରି ଅଧିକ ସନ୍ତୋଷ ପ୍ରତ୍ୟେକ ଆଶା କରିଥାନ୍ତି । ଏପରି କାହିଁକି ହୋଇଥାଏ ? ଆତ୍ମା ହିଁ ସନ୍ତୁଷ୍ଟ ତଥା ଅସନ୍ତୁଷ୍ଟ, ଦୁଃଖୀ ଅଥବା ସୁଖୀ ହୋଇଥାଏ । ଏହି କାରଣରୁ ବି ମନୁଷ୍ୟକୁ ପାପାତ୍ମା, ପୁଣ୍ୟାତ୍ମା କୁହାଯାଇଥାଏ । ଜ୍ଞାନ, ଆନନ୍ଦ, ପ୍ରେମ ଓ ଶାନ୍ତି ହିଁ ଆତ୍ମତୃପ୍ତିର ମୂଳଦୁଆ ।

ମୋ : ୯୮୬୧୧୧୮୬୭୩