ଅଜଣା ଜଗତର ଡାକ
ଅଶୋକ ବିଶ୍ୱାଳ : ସେଦିନ ରାତିରେ ଗୋଟାଏ ପରେ ଗୋଟାଏ ହୋଇ ଆଉ ଛଅଟି କଚ୍ଛପ ଆସିଥିଲେ । ସମସ୍ତେ ଅନ୍ୟ ଅନ୍ୟ ସ୍ଥାନରେ ଅଣ୍ଡା ଦେଇଥିଲେ ।କଚ୍ଛପଙ୍କୁ ଦେଖିଦେଖି ଏମାନଙ୍କର ଆଖି ପଡିଗଲା ଗଲାଥିଆ ବିଚର ବାଲିରେ, ଖୋଲା ଆକାଶର ତଳେ । ସହସ୍ର ସହସ୍ର ତାରା ସେମାନଙ୍କୁ ନବବର୍ଷରେ ନିଜ ଆଲୋକର ଛଟା ସହ ସ୍ୱାଗତ କରୁଥିଲେ । ନବ ବର୍ଷର ସକାଳ ସେମାନଙ୍କୁ ପ୍ରତୀକ୍ଷା କରି ରହିଥିଲା ସୁନେଲୀ ଆଲୋକର ସହ, ପକ୍ଷୀର ମଧୁର କାକଳୀର ସହ, ସାମାନ୍ୟ ଓଦା ସୁଗନ୍ଧିତ ପବନର ସହ ଆଉ ଲହଡି ତିଆରୁଥିବା ବୀଣାର ସୁମୁଧୁର ଝଙ୍କାର ସହ ।
ଅସୀମ ଆଉ ଶୋଭନା ସକାଳର କିରଣରେ ସାମାନ୍ୟ ଉଦଭାସିତ ହୋଇଉଠିଥିବା ବିଚକୁ ଅନାଇଲେ । ସେମାନଙ୍କୁ ଲାଗୁଥିଲା ଯେମିତି ସେମାନଙ୍କ ଭିତରେ ନବ ସୂର୍ଯ୍ୟ ଉଦୟ ହୋଇଛି । ସେମାନେ ହାତରେ ହାତରେ ହାତ ମିଶାଇ ଧୀରେ ଚାଲିବାକୁ ଲାଗିଲେ । ତଳେ ନରମ ଓଦା ବାଲିରେ କ୍ରାବମାନେ ଛୋଟ ଛୋଟ ଗୋଲଗୋଲ ବଲମାନ ତିଆରି କରିଥିଲେ ।ଶୋଭନା ସେହି ବଲମାନଙ୍କୁ ଅନାଇ କିଛି ଅକ୍ଷର ଯେମିତି ଖୋଜୁଥିଲେ । କିଛି ପତ୍ର ପଡିଥିଲା । ସେ ଭିତରୁ ତାଙ୍କୁ କିଛି ଶବ୍ଦ ଯେମିତି ଦେଖାଗଲା ।
“ସ୍ୱାଗତ ନବବର୍ଷ ।”- ଏକଥା ଛୋଟ କଙ୍କଡାମାନେ ନିଜ ହିସାବରେ ଗଲାଥିଆ ବିଚରେ ଲେଖିସାରିଛନ୍ତି । ତାଙ୍କର ମୁହଁରେ ହସ ଫୁଟିଉଠିଲା ।
-୦-୦-୧୭-ଭାସିଯାଆନ୍ତୁ ସୁମାତ୍ରାକୁ
“ଏକ ବୋଟ ଧରା ହୋଇଛି ।”
“ନା, ଚାରିଟା ବୋଟ ଧରା ହୋଇଛି ।”
“ନା, ଗୋଟାଏ ବୋଟ ଭାସିଆସିଛି ।”
ପ୍ରବଳ ବାତ୍ୟା ପରେ କଥାଟା କ୍ୟାମ୍ପବେଲ ବେରେ ନିଆଁ ଭଳି ଖେଳିଗଲା । ଛୋଟ ଜାଗାରେ ସାମାନ୍ୟ ଖବର ବହୁତ ବଡ ଲାଗେ ଆଉ ସମସସ୍ତଙ୍କ କାନକୁ ମୁହୂର୍ତ୍ତକେ ଚାଲିଯାଏ । ଖବରଟା ପ୍ରଥମେ ବାବୁରାଓ ଦେଇଥିଲା । ଟୋକାଟା ଜଲଦି କାମ ସାରିଦେଇ ବଜାରରେ ବୁଲୁଥିବ, କିଛି ନା କିଛି ଖବର ହେଲେ ନେଇ ଆସିବ । ଆଉ ସାମାନ୍ୟ କଥାକୁ ବଡ କରି କହିବ । ଏଇଟା ତା’ର ଏଣ୍ଟରଟେନମେଣ୍ଟ । ସେମିତି ବଡ କିଛି ଭାବିବାକୁ ନାହିଁ । ଛୋଟ ଜାଗା,ତେଣୁ ଛୋଟ କଥାକୁ ଘେରି ଲୋକମାନେ ବସିଯାଆନ୍ତି ଆଉ ନିଆଁରେ ହାତ ସେକି ଗରମ କଲାଭଳି ନିଜର ଥଣ୍ଡା ପଡିଯାଉଥିବା ମନକୁ କଥାରେ ସେକି ନିଅଁନ୍ତି । “ସତରେ ଧରା ହୋଇଛି ନା କ’ଣ?”-ରୋଷେଇ ଘରେ ଧରମା ପଚାରିଥିଲା ଆଉ ଧରମା ବଜାରକୁ ଦୌଡିଯିବା ଆଗରୁ ଖବରକୁ ଅସୀମଙ୍କ କାନ ପର୍ଯ୍ୟନ୍ତ ଶୋଭନା ନେଇଯାଇଥିଲେ ।
“ବୋଟଟା ସୁମାତ୍ରାରୁ ଭାସି ଆସିଛି ।”
“ସୁମାତ୍ରାରୁ ଭାସି ଆସିଛି!”- ଅସୀମ ବିଶ୍ୱାସ କରି ପାରିନଥିଲେ । ସୁମାତ୍ରା ମାନେ ଆଉ ଏକ ଦେଶ ଇଣ୍ଡୋନେସିଆ । ସେମାନେ ମାଲୟ ଲୋକ ।
“ହଁ ପରା । ଏଇ ଦିନେ ତଳେ ବାତ୍ୟା ହୋଇଥିଲା ନା । ସେଥିରେ ଭାସି ଆସିଛି ।”- ଶୋଭନା ବିଶ୍ୱାସର ସହ କହିଥିଲେ ।
“ଏ ପବନରେ ପାଣିରେ ବୋଟଗୁଡା ଡୁବିଯିବା କଥା ।”- ଅସୀମ ପୁଣି କହିଲେ । ମଝି ସମୁଦ୍ରରେ ବାତ୍ୟାରେ ଛୋଟ ବୋଟ ସବୁ ରହିବନା । ପଟ କିନା କାଠରବୋଟ ଭାଙ୍ଗିଯିବ ଆଉ ଚଟ କିନା ଲୋକମାନେ ବୁଡିଯିବେ । ତେଣୁ ଏକ ପୂରା ବୋଟ ଭାସିଆସିବା ଅବିଶ୍ୱସନୀୟ ହେଉଥିଲା । “ପାଣିରେ ମୋଟେ ନଡୁବି ଭାସିଆସିଛି । ସେଇଆ ପରା ବାବୁରାଓ କହୁଥିଲା ।”-ଧରମା ଏକା ରାହାରେ କହିଲା । ଅସୀମ ଓ ମାଡାମ୍ ବୋଟ ବିଷୟରେ କଥା ଆରମ୍ଭ କରିବାରୁ ଆଉ ଧରମା ଦୌଡି ପଳାଇଲା ନାହିଁ । ଏଠି ମଧ୍ୟ କଥାରୁ କିଛି ଗରମ ବାମ୍ଫ ବାହାରି ଆସିବ ।
ଏ ଭିତରେ ବାବୁରାଓ ଫେରିଆସିଲା । ତା’ ସାର୍ଟ ଝାଳରେ ଭିଜିଯାଇଥିଲା । ଟୋକାଟା ବଜାରରେ ଦୌଡାଦୌଡି ଯେମିତି କରିଛି । ସେ ଯେତେବେଳେ ବୋଟକୁ ଦେଖିଆସିଛି କହିଲା ସେତେବେଳେ ବୁଝିହେଲା ବାବୁରାଓ ଜୋରରେ ଦୌଡିଛି । ବଜାର, ଉପସାଗରର, ବୋଟ ଆଉ ଧରମା କଥା ଶେଷ ହେବା ଆଗରୁ ବାବୁରାଓର ଫେରିଆସିବା ଅର୍ଥ ଏକ ଲାଷ୍ଟ ମିନିଟ ଡ୍ୟାଶ ହୋଇଥିବ ।
ତା କଥା ହିସାବରେ କେତେଟା ବୋଟ କ୍ୟାମ୍ପବେଲ ବେରେ ଅଟକାଯାଇଛି । ସେଥିରେ ସୁମାତ୍ରାର ଲୋକେ ବସିଛନ୍ତି । ସବୁ ଇଂଜିନ ବୋଟ । ମଝିରେ ଅଛି ଇଂଜିନ ରୁମ, ପ୍ରାୟ ଖୋଲା ବୋଟ । ବୋଟରେ କାଚ ଝରକାମାନ ଲାଗିଛି । ବୋଧହୁଏ କମ୍ୟୁନିକେସନପାଇଁ ଯନ୍ତ୍ରପାତି ଅଛି, ଆଣ୍ଟିନା ବାହାରକୁ ଦେଖାଯାଉଛି । ଲୋକଗୁଡାକ ଆମ ଭଳି ପ୍ୟାଣ୍ଟ ଶାର୍ଟ ପିନ୍ଧିଛନ୍ତି । ସମୁଦ୍ରକୂଳରେ ଛୁଆଠାରୁ ବଡ ଲୋକେ ଜମା ହୋଇ ସେ ବୋଟଗୁଡିକୁ ଦେଖୁଛନ୍ତି । ଏ ଧରଣର ଛୋଟବୋଟ ମୋଟେ ଖୋଲା ସମୁଦ୍ରକୁ ଯାଇ ପାରିବ ନାହିଁ । ଏ ଲୋକମାନଙ୍କ ପାଖରେ ଖାଇବା ପାଇଁ କିଛି ରାସନ ବୋଧହୁଏ ଥିଲା । ତେଣୁ ଭାସି ଆସିଲେ ମଧ୍ୟ ବଞ୍ôଚଛନ୍ତି । ଲୋକଗୁଡା କୂଳେ କୂଳେ ଯିବାକଥା ।
ଅସୀମ ଭାବିଲେ ପାଣି ବେଶି ନାଚୁନଥିବ ଆଉ ସୁମାତ୍ରାର ଲୋକମାନେ ନିଃଶ୍ୱାସ ନେଉଥିବେ । କୋଷ୍ଟଗାର୍ଡ ତଥା ପୋଲିସ ସେମାନଙ୍କ କାମ କରିବେ । ଉପଯୁକ୍ତ ପେପର ଯାଞ୍ଚ ପରେ ସେମାନେ ବୋଟକୁ ଯିବାକୁ ଦେବେ ।
ଦିନର ଶେଷ ଆଡକୁ ଶୋଭନା ଆଉ ଅସୀମ ସେମାନଙ୍କ ଘର ପଛଆଡ ସମୁଦ୍ରକୂଳରେ ଚାଲିବାକୁ ଲାଗିଲେ । ଅସୀମଙ୍କ ଆଖିର ଆଗରେ ଜେଟ୍ଟି ଲମ୍ବି ଯାଇଥିଲା ଅନେକ ଭିତରକୁ । କ୍ୟାମ୍ପବେଲ ବେର ଉପସାଗର ବଡ । କୂଳ ଆଡକୁ ଅନେକ ନଡିଆ ଗଛ, ଝାଉଁ ଗଛ, ଘର ଦ୍ୱାର । ଜେଟି ପରେ ମଧ୍ୟ ବହୁତ ଭିତରକୁ ସମୁଦ୍ର ପଶି ଆସିଛି ଆଉ ପାଣି ମୋଟେ ସିଧା ମାଡ ହେବନିି । ଜେଟ୍ଟିର ବାମ ପଟେ ବ୍ରେକ ଓ୍ୟାଟର ଥିଲା । ସିମେଣ୍ଟର ତିଆରି ତାରା ଆକାରମାନ । ତେଣୁ ଭାସିଯିବନି ଆଉ ପାଣି ମଧ୍ୟ ଜେଟ୍ଟିରେ ସିଧା ମାଡ ହେବନି । ଡାହାଣ ପଟେ ଜାହାଜ ସହଜରେ ଲାଗିପାରିବ । ସୁମାତ୍ରାରୁ ଭାସି ଆସିଥିବା ବୋଟକୁ କିନ୍ତୁ ଜେଟ୍ଟିରେ ବନ୍ଧା ଯାଇନଥିଲା, ଉପସାଗର ଭିତରକୁ ଅଣାଯାଇଥିଲା ।
“ଶୂନ୍ୟ ଚଲାପଥ ଦୂର ମାଟିକୁ ପାଣିରୁ ଯୋଡୁଛି ।”-ଅସୀମ ଜେଟ୍ଟିର ଖୁଣ୍ଟମାନଙ୍କୁ ଅନାଇ କହୁଥିଲେ । ଏକ ଛାତ ସମୁଦ୍ର ଭିତରକୁ ଲମ୍ବିଯାଇଛି । ଲୋକେ ଚାଲିଚାଲି ଯିବେ । ଅତି ସାଧାରଣ ଲକ୍ଷ୍ୟ କରିବା କଥା । ଜେଟ୍ଟି ଏକ ଲମ୍ବା ପଥ ପାଣିର ଉପରେ । ପାଣି ଭିତରକୁ ଚାଲିଯାଇଛି, କିନ୍ତୁ ପାଣି ଛୁଇଁବ ନାହିଁ । “ଏକ ଜାହାଜ ଉପସାଗର ଭିତରକୁ ଚାଲିଯିବ । ଜେଟ୍ଟିରେ ବାନ୍ଧିହୋଇ ରହିବ । ଜାହାଜ ଭାସିଯିବ ନାହିଁ ।”-ଶୋଭନା କହିଲେ ଅସୀମଙ୍କ କଥାରେ କଥା ମିଶାଇ । ସେତେବେଳେ ଜେଟ୍ଟିରେ ଏକ ଜାହାଜ ଠିଆ ହୋଇଥିଲା । ପାଖରେ ଏକ ବଡ କ୍ରେନ ଲୋଡିଙ୍ଗ ଅନଲୋଡିଙ୍ଗ ପାଇଁ ଥିଲା ।
ବୋଟ କିନ୍ତୁ ପାଣିରେ ଭାସିଯିବ ।”-ଅସୀମ ପୁଣି କହିଲେ । ଜେଟ୍ଟିରେ ଲାଗିଥିବା ବଡ ଜାହାଜ ଲୁହା ଖୁଣ୍ଟରେ ବନ୍ଧାହୋଇଥିବା ହେତୁ ଭାସି ଯିବନି । କିନ୍ତୁ ଉପସାଗରରେ ନଙ୍ଗର ପକାଇଥିବା ବୋଟ ଥରେ ନଙ୍ଗର ଉଠାଇଦେଲେ ଓଲଟା ପବନରେ ସହଜରେ ପାଣିରେ ଭାସିଯାଇପାରିବ ।
“ଆଶାକୁ ମୁଣିରେ ରଖିଥିଲେ ନା, ସେଇଥି ପାଇଁ ବୋଟ ସିଧା ପବନରେ ଭାସି ଆସିଛି । ନହେଲେ କ’ଣ ସୁମାତ୍ରାରୁ ଆସିପାରିଥାନ୍ତେ?”-ଅସୀମ ପାଣିରେ ଭାସୁଥିବା ବୋଟକୁ ଦେଖାଇ ଆଉ ଥରେ କହୁଥିଲେ ।
“ଏହି ଛୋଟ ବୋଟ ସୁମାତ୍ରାରୁ ! -ଶୋଭନା ବିସ୍ମୟରେ କହିଲେ ।ଏଡିକି ଛୋଟ ବୋଟ କ’ଣ ସତରେ ଆଉ ଏକ ଦେଶରୁ ଆସିଯାଇପାରିବ? ଏଠି ନିକୋବର ତ ଛାଡ କାମୋର୍ଟା, କଚ୍ଚାଲରୁ ଆସୁଥିବା ଶିପମାନ ବଡ । ବୋଟ ତ ଏତିକି ଦୂରରୁ ବି ଚାଲୁନି ।
“ସତରେ ସୁମାତ୍ରାରୁ ।”- ଅସୀମ ନଙ୍ଗର ପକାଇଥିବା ବୋଟକୁ ଅନାଇଥିଲେ । ବୋଟର ଆକାର ଦେଖି ଶୋଭନାଙ୍କୁ ପ୍ରତ୍ୟୟ ନହେଲେ ବି ଅସୀମଙ୍କୁ ବିଶ୍ୱାସ ହେଉଥିଲା । ଆର୍କମେଡିସଙ୍କ ନିୟମ ହିସାବରେ ବୋଟମାନ ପାଣିରେ ଭାସୁଛି । ତେଣୁ ଯଥେଷ୍ଟ ପାଣି ବୋଟ ଭିତରକୁ ନପଶିଲେ ବୁଡିବାର ନାହିଁ । ବୋଟରେ ଚାରିଟା ଲୋକଥିଲେ । ଇଂଜିନ ବନ୍ଦ ହୋଇଗଲା ଆଉ ଭାସିଆସିଲେ । ଭାସିଆସିଲା ବେଳେ କେବଳ ପାଣି ଭିତରୁ କାଢିବାର କଥା । ଆଉ ପବନ ହିସାବରେ ବୋଟକୁ ଛାଡିଦେଲେ କାଠଗର ପାଣିରେ କୂଳକୁ ଭାସିଆସିଲା ପରି ବୋଟ କୂଳକୁ ଭାସିଆସିବ । ପଥରରେ ପିଟିନହେଲେ କିଛି ଅସୁବିଧା ନାହିଁ । ଭାଗ୍ୟକୁ ସେମାନେ ଏକଦମ ପଥୁରିଆ କୂଳରେ ପହଞ୍ôଚନଥିଲେ । ପାଖ ସମୁଦ୍ରରୁ କୋଷ୍ଟଗାର୍ଡ ସେମାନଙ୍କୁ ଉଦ୍ଧାର କରିଥିଲା ।
“ସୁମାତ୍ରା ପାଖରେ ତାହେଲେ । ଲୋକମାନେ ତାଜା ଦିଶୁଛନ୍ତି ।”-ଶୋଭନା କହିଲେ । ସମୁଦ୍ରରେ ଇଂଜିନ ଫେଲ ହୋଇଗଲେ କୁଆଡେ ନା କୁଆଡେ ବୋଟ ଚାଲିଯିବ । ତେଣିକି ବିନା ପାଣି, ବିନା ଆହାରରେ ରହିବା କଥା । ଲୋକମାନେ ଝାଉଁଳି ପଡିବେ । ପାଖରେ, ତେଣୁ ଲୋକମାନେ ବେଶି ସମୟ ସମୁଦ୍ରରେ କଟାଇନାହାନ୍ତି ।
“ଲାଗୁଛି ହାତ ପାହାନ୍ତାରେ । ସହଜରେ ପହଞ୍ôଚ ହେବ ।”-ଶୋଭନା ସେମାନଙ୍କୁ ଦେଖି ପୁଣି କହୁଥିଲେ । ତାଙ୍କୁ ଲାଗୁଥିଲା ସେମାନେ ମଧ୍ୟ ଏତିକିରେ ଭାସିଯାଇ ଆଉ କେଉଁ ଦେଶ ପହଞ୍ôଚଯାଆନ୍ତେ ।
“ସେଇ ଜାଭା, ବାଲି, ସୁମାତ୍ରା । ବିଶ୍ୱାସ ହେଉନି ।”- ଶୋଭନା ପୁଣି କହିଲେ ।
ସୁମାତ୍ରା ତ ବହୁତ ବଡ ଦ୍ୱୀପ । ଭାରତର ସବୁଠାରୁ ବଡ ପ୍ରଦେଶ ରାଜସ୍ଥାନଠାରୁ ମଧ୍ୟ ବଡ, ଏମିତିକି ଓଡିଶାର ଅଢେଇ ଗୁଣ ହେବ । ଏକ ବିରାଟ ଦ୍ୱୀପ । ଦେଶ କହିପାର । ଇନ୍ଦୋନେସିଆ ଦେଶର ସବୁଠାରୁ ବଡ ଅଂଚଳ ।ପ୍ରାଚୀନ କଳିଙ୍ଗର ସହ ନୌବାଣିଜ୍ୟ ତ ହେଉଥିଲା । ଲୋକମାନେ କେଉଁ କାଳରୁ ପାଲଟାଣି ଭାସି ଯାଉଥିଲେ ।ଆଣ୍ଡାମାନ ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେଆର ଦୁଇ ତିନିଦିନର ରାସ୍ତା, ନିକୋବର ତ ଏକଦିନରୁ ଅଧିକ ସମୟ ନେଉଛି । ବହୁତ ଦୂର । ସୁମାତ୍ରା ଏକଦମ ପାଖରେ । ସୁମାତ୍ରାର କୂଳ ତ ଏଇ ପଚାଶ, ଶହେ କିଲୋମିଟର ଭିତରେ ହେବ । ଏତେ ବାଟ ଯିବା କ’ଣ ଦରକାର? ସୁମାତ୍ରା କେଇ ଘଣ୍ଟାରେ । ପହଞ୍ôଚଯାଇହେବ । ଏକ ବଡ ନୂଆ ଦୁନିଆ । ଶୋଭନା ଏମିତି ଭାବି ନିଜ ଭିତରେ ଉତ୍ସାହ ଅନୁଭବ କରୁଥିଲେ ।(କ୍ରମଶଃ)